ପୁରୀ,୧୬/୦୪: ମଙ୍ଗଳବାର ପୁରୀ ସର୍କିଟ ହାଉସ୍ଠାରେ ବସିବାକୁ ଯାଉଛି ଜିଲ୍ଲା ପ୍ରଶାସନର ରଥଯାତ୍ରା ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ । ପୂର୍ବାହ୍ଣ ୧୧ଟାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସକ, ଏସ୍ପି ଓ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗର ଅଧିକାରୀମାନେ ସେମାନଙ୍କ ପ୍ରସ୍ତୁତି ଅଗ୍ରଗତି ସମ୍ପର୍କରେ ସୂଚନା ଦେବେ । ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ଶେଷ ସାଙ୍ଗକୁ ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ, ନବଦିନାଙ୍କ ରଥଯାତ୍ରା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା, ମହାପ୍ରସାଦ ବ୍ୟବସ୍ଥା, ବାହୁଡ଼ା, ସୁନାବେଶ, ନୀଳାଦ୍ରି ବିଜେ ମୁଖ୍ୟ ଆଲୋଚନାର ବିଷୟ ହେବ ।
ଚଳିତ ବର୍ଷ ୧୩ ଦିନିଆ ପକ୍ଷ ପଡ଼ୁଥିବାରୁ ଗୋଟିଏ ଦିନରେ ଅଣସର ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ହେବାକୁ ସ୍ଥିର ହୋଇଛି । ଏହାକୁ ଶୃଙ୍ଖଳିତ କରିବା ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିମନ୍ତେ ଚାଲେଞ୍ଜ ସୃଷ୍ଟି କରିବ ।