ଭୁବନେଶ୍ୱର,୨୯/୦୪: ସକାଳ ହେଉ ହେଉ ମାଡ଼ି ଆସୁଛି ତାତି । ଗରମ ଏତେ ବଢ଼ିଯାଉଛି ଯେ, ମଧ୍ୟାହ୍ନର ଭ୍ରମ ସୃଷ୍ଟି କରୁଛି । ତାତି ପ୍ରକୋପରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ତାତି ଏମିତି ଭୟଙ୍କର ରୂପ ନେଉଛି ଯେ, ସକାଳ ୯ଟାରୁ ବାହାରକୁ ଯିବାକୁ ଡର ଲାଗୁଛି । ରବିବାର ରାଜଧାନୀରେ ୧୫ଜଣ ଅଂଶୁଘାତରେ ଶିକାର ହୋଇଥିବା ସରକାର ତଥ୍ୟ ଦେଇଛନ୍ତି । କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ ।
ତାତିର ଏ ଯନ୍ତ୍ରଣା ଆଗକୁ ଆହୁରି ଉଗ୍ର ରୂପ ନେବାକୁ ଯାଉଛି । ଲୋକଙ୍କୁ ଅଣନିଶ୍ୱାସୀ କରିଦେବ ଭୀଷଣ ଗ୍ରୀଷ୍ମପ୍ରବାହ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ତାତି ଆହୁରି ୨ ଡିଗ୍ରୀ ବଢ଼ିଯିବ ବୋଲି ପାଣିପାଗ ବିଭାଗ ଚେତାଇ ଦେଇଛି । ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ଅଧିକ ଅନୁଭୂତ ହେବ । ରବିବାର ମୟୂରଭଞ୍ଜ, କଟକ ଓ ଢେଙ୍କାନାଳରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ପ୍ରବାହିତ ହୋଇଛି । ଗ୍ରୀଷ୍ମପ୍ରବାହ ଦିନ ଆଗକୁ ଆହୁରି ଲମ୍ବିବ । ୨ ତାରିଖ ଯାଏ ପ୍ରଚଣ୍ଡରୁ ଅତି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ।
ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୟାଗଡ଼, କଟକକୁ ସତର୍କ କରାଇଛି ପାଣିପାଗ ବିଭାଗ । ଏ ସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ୩୦ରେ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲା ସମେତ ନୟାଗଡ଼, କଟକ, ଖୋର୍ଦ୍ଧା ଓ ଯାଜପୁର ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି ।
ଏହି ସମସ୍ତ ଜିଲ୍ଲାରେ ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ମାଡ଼ି ଆସିବ । ୧ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର ଓ ଯାଜପୁରରେ ଗ୍ରୀଷ୍ମପ୍ରବାହ ଭୀଷଣ ରୂପ ନେବ ।
ରବିବାର ଅନୁଗୁଳ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ୪୪.୩ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ଆଜି ଦେଶର ପଞ୍ଚମ ଉତ୍ତପ୍ତ ସହର ରହିଥିଲା । ବୌଦ୍ଧରେ ୪୪.୧, ବାରିପଦାରେ ୪୪, ନୟାଗଡ଼ ଓ କଟକରେ ୪୩.୭, ଢେଙ୍କାନାଳରେ ୪୩.୬, ତାଳଚେର, ଟିଟିଲାଗଡ଼ ଓ ମାଲକାନଗିରିରେ ୪୩.୫ ଡିଗ୍ରୀ ରେକର୍ଡ ହୋଇଛି । ଆଜି ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ ହୋଇଛି । ସେହିଭଳି ୨୭ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଭଦ୍ରକ ଓ ଜଗତସିଂହପୁରର କିଛି ସ୍ଥାନରେ ଆଜି କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି ।