ଆକାଶ ମାଧଓ୍ବାଲ ୫/୫: ଲକ୍ଷ୍ନୌ ବ୍ୟାଟିଂକୁ ଧ୍ବସ୍ତବିଧ୍ବସ୍ତ କରିଥିବା ବୋଲର, ପ୍ରଶଂସାରେ ଗଦଗଦ୍ ପୂର୍ବତନ କ୍ରିକେଟର

ଚେନ୍ନାଇ ୨୫/ ୦୫: ଆକାଶ ମାଧଓ୍ବାଲ । ଏ ନାଁ’ କୁ କେବେ ଭୁଲିବନି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏଲିମିନେଟର୍ ମୁକାବିଲାରେ ଲକ୍ଷ୍ନୌକୁ ଧୂଳି ଚଟାଇଥିବା ଆକାଶ ମାଧଓ୍ବାଲଙ୍କ ତାରିଫ୍ରେ ମସଗୁଲ ଅନେକ ବର୍ତ୍ତମାନ ଓ ପୂର୍ବତନ କ୍ରିକେଟର । ବୁଧବାର ଖେଳା ଯାଇଥିବା ଏଲିମିନେଟର୍ ମୁକାବିଲାରେ ୫ ଓ୍ବିକେଟ୍ ନେଇ ମୁମ୍ବାଇକୁ କ୍ବାଲିଫାୟରରେ ପ୍ରବେଶ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଆକାଶ । ଆଇପିଏଲ ଇତିହାସରେ ପ୍ରଥମ ଖେଳାଳି ଭାବେ କୌଣସି ପ୍ଲେ ଅଫ୍ରେ ୫ ଓ୍ବିକେଟ୍ ନେବାର ରେକର୍ଡ କରିଛନ୍ତି ଆକାଶ ମାଧଓ୍ବାଲ । ତାଙ୍କର ପ୍ରଦର୍ଶନକୁ ନେଇ ଜସପ୍ରୀତ ବୁମରାହଙ୍କ ସମେତ, ଅନିଲ କୁମ୍ବଲେ ଓ ବିରେନ୍ଦ୍ର ସେହଓ୍ବାଗ ପ୍ରଶଂସା କରିଛନ୍ତି ।
ଆକାଶଙ୍କ ପ୍ରଦର୍ଶନକୁ ନେଇ ବିରେନ୍ଦ୍ର ସେହଓ୍ବାଗ କହିଛନ୍ତି, ‘ଶେଷ ଲିଗ୍ ମ୍ୟାଚରେ ୪ଟି ଓ୍ବିକେଟ ନେବା ପରେ ଏଲିମିନେଟର୍ ଭଳି କର ବା ମର ମୁକାବିଲାରେ ୫ଟି ଓ୍ବିକେଟ୍ ନେଇଛନ୍ତି ଆକାଶ ମାଧଓ୍ବାଲ । ନୂଆ ଖେଳାଳିଙ୍କ ପ୍ରଦର୍ଶନ ଦେଖିବା ଭଳି । ଚଳିତ ସିଜିନରେ ଅନେକ ଅଭିଜ୍ଞଙ୍କ ପାଇଁ ବେଶ୍ ଭଲ ରହିଛି । କେବଳ ଅଭିଜ୍ଞ ନୁହେଁ ଅନେକ ନବାଗତ ନିଜକୁ ପ୍ରମାଣିତ କରିସାରିଛନ୍ତି । ମୁମ୍ବାଇର ବିଜୟରେ ଅନେକ ଅନେକ ଶୁଭେଚ୍ଛା । ଲିଗ୍ ପର୍ଯ୍ୟାୟରେ ୪ର୍ଥ ରେ ରହି ବି ଆଇପିଏଲ ଫାଇନାଲରେ ପ୍ରବେଶ କରିପାରିବ କି ମୁମ୍ବାଇ ଇଣ୍ଡିଆନ୍ସ?’
ଜସପ୍ରୀତ ବୁମରାହ କହିଛନ୍ତି, ‘ଆକାଶ ମାଧଓ୍ବାଲଙ୍କ ବୋଲିଂ ପ୍ରଦର୍ଶନ ଅତି ଚମତ୍କାର ଥିଲା । ମୁମ୍ବାଇ ପଲଟନ୍କୁ ଶୁଭେଚ୍ଛା’। ଅନିଲ କୁମ୍ବଲେ କହିଛନ୍ତି, ‘ଚାପପୂର୍ଣ୍ଣ ମ୍ୟାଚରେ ଚମତ୍କାର ବୋଲିଂ । ଆକାଶ ମାଧଓ୍ବାଲ, ୫/ ୫ କ୍ଲବକୁ ସ୍ବାଗତ’।

ମ୍ୟାଚ୍ କଥା କହିବାକୁ ଗଲେ, ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୮୨ ରନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । କାମେରୁନ୍ ଗ୍ରୀନ୍ ୪୧ ରନ, ସୂର୍ଯ୍ୟକୁମାର ଯାଦବଙ୍କ ଉପଯୋଗୀ ୩୩ ରନ ବଳରେ ଦଳ ୮ ଓ୍ବିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା । ୧୮୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା । ଆକାଶ ମାଧଓ୍ବାଲଙ୍କ ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଥିଲେ ଲକ୍ଷ୍ନୌ ବ୍ୟାଟର୍ । ପ୍ରେରକ୍ ମଙ୍କଡଙ୍କୁ ପ୍ରଥମ ଶିକାର କରିବା ପରେ ଲକ୍ଷ୍ନୌର ଟପ୍ ଅର୍ଡର ଭୁଶୁଡି ପଡିଥିଲା । ପରେ ଆୟୁସ ବାଦୋନୀ, ନିକୋଲାସ ପୂରନ, ରବି ବିଷ୍ଣୋଇ ଓ ଶେଷରେ ମୋହସିନ ଖାନଙ୍କୁ ଶିକାର କରିଥିଲେ ଆକାଶ ମାଧଓ୍ବାଲ । ମାତ୍ର ୧୦୧ ରନରେ ସୀମିତ ରହିଥିଲଶ ସୁପର୍ ଜାଏଣ୍ଟସ୍ ଇନିଂସ । ୮୧ ରନର ବୃହତ ବିଜୟ ସହ କ୍ବାଲିଫାୟର-୨ ରେ ପ୍ରବେଶ କରିଯାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଯେଉଁଠି ଦଳର ମୁକାବିଲା ପାଣ୍ଡ୍ୟାଙ୍କ ଟାଇଟନ୍ସ ସହ ହେବ । କ୍ବାଲିଫାୟର-୨ରେ ବିଜୟୀ ଦଳ ଚେନ୍ନାଇ ସୁପର୍ କିଙ୍ଗସ୍ ସହିତ ଅହମଦାବାଦର ମୋଟେରା ଗ୍ରାଉଣ୍ଡରେ ଗ୍ରାଣ୍ଡ ଫାଇନାଲ ଖେଳିବ ।