ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କୁ ଭେଟିବ ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ବିବାଦର ଶୀଘ୍ର ସମାଧାନ ପାଇଁ ଶ୍ରୀବାଘେଲାଙ୍କୁ ଭେଟି ଆଲୋଚନା କରିବ । ଜଳ ପୁରୁଷ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ତାଙ୍କୁ ଭେଟିବ ବୋଲି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀସିଂହ କହିଛନ୍ତି, ଛତିଶଗଡରେ ନୂଆ ସରକାର ଶାସନ କ୍ଷମତାକୁ ଆସିଛି । ପୂର୍ବରୁ ଥିବା ରମଣ ସିଂହଙ୍କ ସରକାର କର୍ପୋରେଟ୍ ଓ ପୁଞ୍ଜିପତିଙ୍କ ସରକାର ଭଳି କାମ କରୁଥିଲା । ଶିଳ୍ପସଂସ୍ଥାଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ମହାନଦୀର ପାଣି ବ୍ୟବହାର ପାଇଁ ଅଘୋଷିତ ଅନୁମତି ଦେଇଥିଲେ । କିନ୍ତୁ ଏବେର ସରକାର ଚାଷୀଙ୍କ ପାଇଁ ସମ୍ବେଦନଶୀଳ ଥିବା ଭଳି ମନେ ହେଉଛି । ଏ ନେଇ ଆଭାସ ମିଳିସାରିଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ସମ୍ଭାବନା ସୃଷ୍ଟି ହୋଇଛି । ନିର୍ବାଚନୀ ଇସ୍ତାହାରରେ ମଧ୍ୟ ସରକାର ପାଣିକୁ ପ୍ରାଧାନ୍ୟ ଦେଇଛି । ଏଣୁ ମହାନଦୀ ବିବାଦକୁ ସମାଧାନ କରିବାକୁ ନୂଆ ସରକାର ସହମତ ହେବେ ବୋଲି ଆଶା କରୁଛୁ । ମହାନଦୀ ବିବାଦକୁ ଶୀଘ୍ର ସମାଧାନ ନ କଲେ ଏହା ଆଗକୁ କାବେରୀ ନଦୀ ବିବାଦ ରୂପ ନେବ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆମେ ମହାନଦୀର ସୁରକ୍ଷା ପାଇଁ ଆଲୋଚନା କରିବୁ । ଦରକାର ପଡ଼ିଲେ ଆଗକୁ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବୁ ବୋଲି ସେ ସୂଚନା ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ହୋଇଥିବା ସାକ୍ଷାତ ଆଲୋଚନାକୁ ନେଇ ଶ୍ରୀ ସିଂହ କହିଛନ୍ତି, ନବୀନଙ୍କ ସହ ମହାନଦୀକୁ ନେଇ ଆଲୋଚନା କରିଛି । ସେ ମହାନଦୀକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୀଘ୍ର ସମାଧାନ ପାଇଁ ସବୁ ସହଯୋଗ କରିବେ ବୋଲି କହିଛନ୍ତି । ଏଥିସହ ଓଡ଼ିଶାରେ ଜଳ ସାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନବୀନଙ୍କୁ ପ୍ରସ୍ତାବ ଦେଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଜଳ ଓ ବିଭିନ୍ନ ଜଳାଶୟର ଆବଶ୍ୟକତା ନେଇ ଲୋକଙ୍କୁ ସଚେତନ କରାଯିବ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ଭେଟିବ ବୋଲି ଆବାହକ ସୁଦର୍ଶନ ଦାସ କହିଛନ୍ତି ।