ଦୋହଲୁଛି କଂଗ୍ରେସ

ୁଖିଆ ରାହୁଲଙ୍କ ଗସ୍ତ ଯେତେ ପାଖେଇ ଆସୁଛି ଦଳରେ ଅସ୍ଥିରତା ସେତିକି ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜଣକ ପରେ ଜଣେ ଦଳର ହାତ ଛାଡିବାକୁ ଲାଗିଛନ୍ତି । ବୁଧବାର ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ହାତ ଛାଡିଥିବା ବେଳେ ଆଜି ପୁଣି ମହିଳା କଂଗ୍ରେସ ରାଜ୍ୟ ଉପସଭାପତି ଜୟଶ୍ରୀ ପଟ୍ଟନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେପଟେ ଟିକେଟ୍ ବଣ୍ଟାକୁ ନେଇ ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି । କେବଳ ସେତିକିରେ ଥମିନାହିଁ କଂଗ୍ରେସର କନ୍ଦଳ । ଗତକାଲି କଂଗ୍ରେସ ବହିଷ୍କାର କରିଥିବା ବିଧାୟକ ଯୋଗେଶ ସିଂ ଆଜି ତାଙ୍କର ଇସ୍ତଫା ପତ୍ର ଦଳର ମୁଖିଆ ରାହୁଲଙ୍କୁ ପଠାଇବା ସହିତ ନିଜର ବିଧାୟକ ପଦରୁ ବି ଇସ୍ତଫା ଦେଉଥିବା କଥା ଉଲ୍ଲେଖ କରିଛନ୍ତି ।
ଶୁକ୍ରବାର ରାଜ୍ୟ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଜୟଶ୍ରୀ ତାଙ୍କ ଇସ୍ତଫା ପତ୍ର ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଗତ ୩ ଦଶନ୍ଧି ଧରି ଜୟଶ୍ରୀ ଓ ତାଙ୍କ ପରିବାର ବେଗୁନିଆ-ବୋଲଗଡ଼ ନିର୍ବାଚନମଣ୍ଡଳୀରେ କଂଗ୍ରେସର ନେତୃତ୍ୱ ନେଉଥିଲେ । ହେଲେ ଗତ କିଛି ଦିନ ହେବ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଦଳ ଛାଡୁଥିବା କହିଛନ୍ତି । ସେପଟେ ନିରଞ୍ଜନ କୋରପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବାବଦରେ ଗଣମାଧ୍ୟମରେ ବିବୃତ୍ତି ଦେଇ ବିବାଦ ଭିତରକୁ ଟାଣି ହୋଇ ଆସିଛନ୍ତି । ସଗରିଆ ଶୃଙ୍ଖଳିତ ହେଲେ ଯାଇ ତାଙ୍କୁ ଆଗାମୀ ଦିନରେ ଟିକେଟ୍ ଦିଆଯିବା ବାବଦରେ ଚିନ୍ତା କରାଯିବ ବୋଲି ନିରଞ୍ଜନ କହିଛନ୍ତି । ଯାହାକୁ ନେଇ ସେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ନିରଞ୍ଜନ କଂଗ୍ରେସକୁ ଖତମ୍ କରିବାକୁ ଚାହୁଁଛନ୍ତି । ଟିକେଟ୍ ଦେବା ଓ ନଦେବା ନିଷ୍ପତ୍ତି ଏଆଇସିସି ନେବ । ପିସିସି ସଭାପତି କେବଳ ଟିକେଟ୍ ପାଇଁ ସୁପାରିଶ କରିବେ । କାହାକୁ ଟିକେଟ ଦିଆଯିବ କାହାକୁ ଦିଆନଯିବ, ଏ ଅଧିକାର ତାଙ୍କୁ କିଏ ଦେଲା ବୋଲି ସଗରିଆ ପ୍ରଶ୍ନ କରିଛନ୍ତି । ତେବେ ସେ ଦଳ ବିରୋଧୀ କାମ କରିନଥିବା ସଫେଇ ଦେଇଛନ୍ତି । ଆଗାମୀ ଦିନରେ ନିରଞ୍ଜନଙ୍କ ମନ୍ତବ୍ୟ ବାବଦରେ ସେ ରାହୁଲ ଗାନ୍ଧୀଙ୍କ ଜଣାଇବେ ବୋଲି କହିଛନ୍ତି । ସଗରିଆଙ୍କ ବାବଦରେ ନିରଞ୍ଜନ କହିଥିଲେ, ‘ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା ଚାଲିଛି । ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ୍ ମିଳିବା ସମ୍ଭାବନା ଅଛି ।’ ଅପରପକ୍ଷେ ନବ ଓ ଯୋଗେଶ ଦଳ ଛାଡିବା ସମ୍ପର୍କରେ ନିରଞ୍ଜନ କହିଛନ୍ତି, ଏବେ ନେତା ନୁହଁ, ଦଳ ଗୁରୁତ୍ୱପୂର୍ଣ୍ଣ । ବିକଳ୍ପ ମୁହଁ ସବୁଠି ଅଛି । ୧୫ ତାରିଖରେ ନବଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା । ୧୬ରେ ଏଆଇସିସିରୁ ମତାମତ ଆସିବା ଆଗରୁ ଆମେ ତାଙ୍କୁ ବହିଷ୍କାର କରିଛୁ । ବିଶେଷ କରି ଝାରସୁଗୁଡ଼ାରେ ବିକଳ୍ପ ପାଇଁ ବହୁ ମୁହଁ ଅଛନ୍ତି । ଆବଶ୍ୟକ ପଡ଼ିଲେ ସାଙ୍ଗଠନିକ ପୁନଃବିନ୍ୟାସ କରାଯିବ ବୋଲି ନିରଞ୍ଜନ କହିଛନ୍ତି ।