ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଫରେନର୍ସ ସେଲ୍ ଦଳ ଶନିବାର ଦିନ ଉତ୍ତର-ପଶ୍ଚିମ ଦିଲ୍ଲୀର ଅଶୋକ ବିହାର ଅଞ୍ଚଳରେ ଏକ ବୃହତ୍ ଅଭିଯାନ ଚଳାଇ ଅବୈଧ ଭାବେ ରହୁଥିବା ୧୮ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଏହି ୧୮ ଜଣଙ୍କ ମଧ୍ୟରୁ ୫ ଜଣ ପୁରୁଷ ନିଜକୁ ଟ୍ରାନ୍ସଜେଣ୍ଡର(କିନ୍ନର) ମହିଳା ଭାବରେ ପରିଚୟ ଦେଇ ଆଇନରୁ ଖସିବାକୁ ଚେଷ୍ଟା କରୁଥିଲେ। ଏହି ଅଭିଯାନ ଅବୈଧ ପ୍ରବାସିଙ୍କ ବିରୋଧରେ ଏକ ବୃହତ୍ ପଦକ୍ଷେପ ଭାବେ ଦେଖାଯାଉଛି।
ପୁଲିସ ସୂଚନା ଅନୁଯାୟୀ, ଏହି ଅଭିଯାନ ଦୁଇଟି ପୃଥକ ଅପରେସନରେ କରାଯାଇଥିଲା। ପ୍ରଥମ ଅପରେସନରେ ୧୩ ଜଣ ବାଂଲାଦେଶୀ ନାଗରିକ, ଯେଉଁମାନଙ୍କ ମଧ୍ୟରେ ୧୦ ଜଣ ବୟସ୍କ ଏବଂ ୩ ଜଣ ଶିଶୁ, ବୈଧ ଭ୍ରମଣ ଦଲିଲ ବା ଅନୁମତି ବିନା ରହୁଥିବା ଅବସ୍ଥାରେ ଧରାପଡ଼ିଛନ୍ତି। ଏହା ଫରେନର୍ସ ଆକ୍ଟ, ୧୯୪୬ର ଉଲ୍ଲଂଘନ ବୋଲି ପୁଲିସ କହିଛି। ଦ୍ୱିତୀୟ ଅପରେସନରେ ୫ ଜଣ ବ୍ୟକ୍ତି, ଯେଉଁମାନେ ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଭାବରେ ନିଜର ପରିଚୟ ଲୁଚାଇ ରହୁଥିଲେ, ସେମାନଙ୍କୁ ଗିରଫ କରାଯାଇଥିଲା। ଏହି ୫ ଜଣ ରାସ୍ତାରେ ଭିକ୍ଷା ମାଗୁଥିବା ଅବସ୍ଥାରେ ଧରାପଡ଼ିଥିଲେ।
ପୁଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଏହି ୫ ଜଣ ପୁରୁଷ ନିଜର ଚେହେରା ଏବଂ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଛୋଟ ଅସ୍ତ୍ରୋପଚାର ଏବଂ ହରମୋନ ଚିକିତ୍ସା କରିଥିଲେ। ଏହା ସହିତ, ସେମାନେ ମେକଅପ୍, ବିଗ୍ ଏବଂ ମହିଳାଙ୍କ ପୋଷାକ ବ୍ୟବହାର କରି ନିଜକୁ ଟ୍ରାନ୍ସଜେଣ୍ଡର ମହିଳା ଭାବରେ ଉପସ୍ଥାପନ କରୁଥିଲେ। ଏହି କାର୍ଯ୍ୟ ଆଇନଗତ ତଦନ୍ତରୁ ଖସିବା ପାଇଁ ଏକ ଚାଲାଖିପୂର୍ଣ୍ଣ ଉପାୟ ଥିଲା।
ଅଭିଯୁକ୍ତମାନଙ୍କ ଠାରୁ ମୋଟ ୭ଟି ସ୍ମାର୍ଟଫୋନ୍ ଜବତ କରାଯାଇଛି। ଯେଉଁଥିରେ ଭାରତରେ ନିଷିଦ୍ଧ ଆଇଏମଓ (IMO) ଆପ୍ ଇନଷ୍ଟଲ ଥିବା ଦେଖାଯାଇଛି। ଏହି ଆପ୍ ମାଧ୍ୟମରେ ସେମାନେ ବାଂଲାଦେଶରେ ଥିବା ନିଜ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରୁଥିଲେ। ଗିରଫ ହୋଇଥିବା ବ୍ୟକ୍ତିମାନେ ବାଂଲାଦେଶର ଢାକା, ଖୁଲନା, ଗାଜୀପୁର ଏବଂ ଆଶ୍ରାଫାବାଦ ଭଳି ବିଭିନ୍ନ ଜିଲ୍ଲାରୁ ଆସିଥିବା ନେି ଜଣାପଡିଛି।
ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏକ ବ୍ୟକ୍ତି ପ୍ରାରମ୍ଭିକ ପଚରାଉଚରାରେ ଭୁଲ ସୂଚନା ଦେଇଥିଲେ। କିନ୍ତୁ ପରେ ସେ ନିଜେ ଜଣେ ବାଂଲାଦେଶୀ ନାଗରିକ ବୋଲି ସ୍ୱୀକାର କରିଥିଲେ। ତାଙ୍କ ସୂଚନା ଆଧାରରେ ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା। ସମସ୍ତ ୧୮ ଜଣଙ୍କୁ ଅନେକ ସମୟ ଧରି ପଚରାଉଚରା ଏବଂ ଦଲିଲ ଯାଞ୍ଚ ପାଇଁ ଫରେନର୍ସ ରିଜିଓନାଲ ରେଜିଷ୍ଟ୍ରେସନ ଅଫିସ (FRRO)କୁ ହସ୍ତାନ୍ତର କରାଯାଇଛି।
ଏହି ଘଟଣା ଭାରତରେ ଅବୈଧ ପ୍ରବାସି ଏବଂ ପରିଚୟ ଲୁଚାଇବାର ନୂଆ ପ୍ରଣାଳୀ ଉପରେ ଆଲୋକପାତ କରିଛି। ପୁଲିସ ଏହାର ତଦନ୍ତ ଜାରି ରଖିଛି ଏବଂ ଅନ୍ୟ ସମ୍ଭାବ୍ୟ ଅବୈଧ ପ୍ରବାସୀଙ୍କୁ ଚିହ୍ନଟ କରିବା ପାଇଁ ଅଭିଯାନ ତୀବ୍ର କରିଛି।