ପୁଲିସ-ମାଓବାଦୀ ଗୁଳି ବିନିମୟ : ୨ ମହିଳା କ୍ୟାଡର ମାଓବାଦୀ ମୃତ, ବିପୁଳ ମାଓ ସାମଗ୍ରୀ ଜବତ

ଫୁଲଵାଣୀ/ଗୋଚ୍ଛାପଡା,୬/୧୨ କନ୍ଧମାଳ-ବୌଦ୍ଧ ସୀମାନ୍ତ ଅଞ୍ଚଳରେ ପୁଣି ମୁହାଁମୁହିଁ ହୋଇଛନ୍ତି ପୁଲିସ ଓ ମାଓବାଦୀ। ସୁରକ୍ଷା ବାହିନୀଙ୍କ ଗୁଳି ମାଡରେ ଦୁଇ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ ହୋଇଛି। ସଂପୃକ୍ତ ସ୍ଥାନରୁ ପୁଲିସ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି।
ଏସଓଜି ଯବାନମାନେ ମଙ୍ଗଳବାର ଗୋଚ୍ଛାପଡା ଥାନା ଅନ୍ତର୍ଗତ କନ୍ଧମାଳ-ବୌଦ୍ଧ ସୀମାନ୍ତ ବର୍ତ୍ତୀ ଲୁଇସିଂ ପଞ୍ଚାୟତର ମାଟାକୁପା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ। କମ୍ବିଂ ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳି ଚାଳନା ହେବାରେ ସୁରକ୍ଷା ବାହିନୀ ପାଲଟା ଗୁଳି ଚଳାଇଥିଲେ। ଏସଓ ଜି ଯବାନଙ୍କ ପ୍ରତି ଆକ୍ରମଣରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ଖସି ପଳାଇ ଯାଇଥିଲେ। ପରେ ସେହି ସ୍ଥାନରେ କରା ଯାଇଥିବା ସର୍ଚ୍ଚ ଅପରେସନ ବେଳେ ପୁଲିସକୁ ଦୁଇ ଜଣ ମହିଳା ମାଓବାଦୀଙ୍କ ମୃତ ଶରୀର ମିଳିଛି । ସେମାନଙ୍କ ପାଖରୁ ଗୋଟିଏ ଇନସାସ ରାଇଫଲ ସହିତ ୪ଟି ବନ୍ଧୁକ ଓ ୧୧ ରାଉଣ୍ଡ ଗୁଳି ମିଳିଥିବା ପୁଲିସ ସୁତ୍ରରୁ ସୂଚନା ଦିଆ ଯାଇଛି। ମୃତ ମାଓବାଦୀଙ୍କ ପରିଚୟ ମିଳି ନ ଥିବା ବେଳେ ସଂପୃକ୍ତ ସ୍ଥାନରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଜାରୀ ରହିଛି।
ଗୁଳି ବିନିମୟ ସ୍ଥାନ ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ ମୂଖ୍ୟାଳୟଠାରୁ ପ୍ରାୟ ୭ କିମି ଦୂର ହୋଇଥିବା ବେଳେ ଏହା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାର ସୀମାରେ ରହିଛି। ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ପ୍ରାୟତଃ ଲାଗି ରହିଛି। ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ମାଓବାଦୀଙ୍କ ଆକ୍ରମଣରେ ଦୁଇ ପୁଲିସ କର୍ମଚାରୀ ଆହତ ହୋଇଥିବା ନଜିର ରହିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୧ ତାରିଖରେ ବାଲିଗୁଡା ଥାନା ଅଞ୍ଚଳରେ ପୁଲିସ-ମାଓବାଦୀ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡରଙ୍କ ମୃତ୍ୟୁ ହୋଇଥିଲା।