ବରଗଡ଼,୨୪/୫: ବରଗଡ଼ ଜିଲ୍ଲା ପଦ୍ମପୁର ପବ୍ଲିକ୍ ସ୍କୁଲରେ ଏଯାଏ ବାହାରିନି ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ । ସିବିଏସଏଇ ରେଜଲ୍ଟ ପ୍ରକାଶ ପାଇଥିଲେ ମଧ୍ୟ ପଦ୍ମପୁର ପବ୍ଲିକ୍ ସ୍କୁଲର ପରୀକ୍ଷା ଫଳ ଆସିନାହିଁ । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସିବିଏସଏଇ ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି । ଦ୍ବାଦଶ ଓ ଯୁକ୍ତ ୩ରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ରେଜଲ୍ଟ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।
ଚଳିତ ବର୍ଷ ପଦ୍ମପୁର ପବ୍ଲିକ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୧,୧୮୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ହେଲେ ଏମାନଙ୍କର ରେଜଲ୍ଟ ଏଯାଏ ପ୍ରକାଶ ପାଇ ନାହିଁ । ଯେଉଁଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୪ଟି ବ୍ରାଞ୍ଚ୍ ଯଥା ଫିରୋଜପୁର, ବାନ୍ଦୁପାଲି, ଗାଇସିଲାଟ୍ ଓ ସୋହେଲା ସହିତ ଜେନି୍ଥ ଗୁରୁକୂଳ ଓ ପଦ୍ମପୁର ପବ୍ଲିକ୍ ସ୍କୁଲ ସାମିଲ ରହିଛି । ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୬୦ଜଣ ଅନ୍ୱେଷା ଛାତ୍ରଛାତ୍ରୀ ମଧ୍ୟ ସାମିଲ ଅଛନ୍ତି । ମେ’ ୧୩ ତାରିଖରେ ସିବିଏସଇ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଉପରୋକ୍ତ ୬ ସ୍କୁଲର ୧,୧୮୫ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଛନ୍ତି । ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ।
ଅନ୍ୟପଟେ ଆଡମିନିଷ୍ଟ୍ରେଟିଭ୍ ଇସ୍ୟୁ ଥିବାରୁ ଏହାର ତଦନ୍ତ ଓ ସମାଧାନ ପାଇଁ ଏକ କମିଟି ଗଠନ କରାଯାଇ ଯାଞ୍ଚ ଚାଲିଛି ବୋଲି ଭୁବନେଶ୍ୱର ସିବିଏସଇ ଅଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମାତ୍ର ଏହି ପରୀକ୍ଷା ଫଳ ୧,୧୮୫ ପିଲାଙ୍କ ଭବିଷ୍ୟତ ସହିତ ଜଡ଼ିତ ଥିବାରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିବାକୁ ନିରଞ୍ଜନ ବିଶି, କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସେହିପରି ସିବିଏସଇର ନୂଆଦିଲ୍ଲୀ ସ୍ଥିତ ମୁଖ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟମ ଭରଦ୍ୱାଜଙ୍କୁ ସମାଧାନ ପାଇଁ ମଧ୍ୟ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ।