ଭୁବନେଶ୍ଵର, ୦୧/୦୬ : ଏମିତି ଏକ ସହର ଅଛି ଯେଉଁଠି ମଳମାସ ବା ଅଧିକ ମାସରେ କୁଆ ଦେଖିବାକୁ ମିଳନ୍ତି ନାହିଁ । ଅନ୍ୟ ସବୁ ସମୟରେ କୁଆ ଦେଖିବାକୁ ସ୍ଥାନୀୟ ବାସିନ୍ଦା ପାଉଥିବାବେଳେ ପ୍ରତି ତିନିବର୍ଷରେ ଥରେ ମଳମାସ ପଡ଼ିବା ସହିତ କୁଆଗୁଡ଼ିକ ସହର ଆକାଶରୁ ଆଶ୍ଚର୍ଯ୍ୟଜନକ ଭାବେ ଗାଏବ ହୋଇଯାଇଥାନ୍ତି । ଏମିତି କାହିଁକି ହୋଇଥାଏ, ଏହି ଅଦ୍ଭୁତ ଖାସ୍‌ ସହରଟିର ନାମ କ’ଣ, କେଉଁ ରାଜ୍ୟର ଜାଣିବା ଆସନ୍ତୁ।  

ବିହାରର ରାଜଗୀର ସହର । ପ୍ରତି ତିନିବର୍ଷରେ ଥରେ ଆସୁଥିବା ମଳମାସରେ ସହରରେ କୁଆ ଦେଖିବାକୁ ମିଳିନଥାନ୍ତି। ଏପରି ଘଟିବା ପଛରେ ରହିଛି ଲୋକମୁଖରୁ ଶୁଣିବାକୁ ମିଳୁଥିବା ଏକ ପୌରାଣିକ କାରଣ । ପୌରାଣିକ କଥା ଅନୁଯାୟୀ, ସତ୍ୟଯୁଗରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାନସପୁତ୍ର ରାଜା ବସୁ ଏକଦା ରାଜଗୀରର ପ୍ରସିଦ୍ଧ ବ୍ରହ୍ମକୁଣ୍ଡ ପରିସରରେ କରୁଥିଲେ ଏକ ବିଶାଳ ଯଜ୍ଞ । ମଳମାସ ବା ଅଧିକ ମାସରେ ଆୟୋଜିତ ଏହି ଯଜ୍ଞକୁ ୩୩କୋଟି ଦେବଦେବୀ ତଥା ଅନ୍ୟମାନଙ୍କୁ ଆମନ୍ତ୍ରଣ କରିଥିଲେ ରାଜା ବସୁ । ମାତ୍ର ଭୁଲବଶତଃ ଯଜ୍ଞସ୍ଥଳକୁ କୁଆକୁ ନିମନ୍ତ୍ରଣ କରାଯାଇନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ କୁଆ ଅଭିମାନରେ ରାଜଗୀର ତ୍ୟାଗ କରି ଦେଇଥିଲା । ସେହି ସତ୍ୟଯୁଗରୁ ପ୍ରତି ମଳମାସରେ କୁଆ ରାଜଗୀରରେ ରହିନଥାନ୍ତି ।  

ଏହି ପୌରାଣିକ ଲୋକକଥାକୁ ପିଢ଼ି ପରେ ପିଢ଼ି ସ୍ଥାନୀୟ ବାସିନ୍ଦା ବିଶ୍ୱାସ କରିଆସୁଛନ୍ତି । ଅନ୍ୟ ଦିନରେ ସହର ପରିସରରେ କୁଆଗୁଡ଼ିକ ଦେଖିବାକୁ ମିଳୁଥିବାବେଳେ ପୁରୁଷୋତ୍ତମ ମାସରେ ପକ୍ଷୀଗୁଡ଼ିକ ହଠାତ୍‌ ଗାଏବ ହୋଇଯାଇଥାନ୍ତି ବୋଲି ସହରବାସୀ କହିଥାନ୍ତି ।  ଏଠାରେ କହିରଖିବାକୁ ହେବଯେ ରାଜଗୀର ଅନେକଗୁଡ଼ିଏ ଜଳାଶୟ (କୁଣ୍ଡ)ପାଇଁ ନିଜର ନିଆରା ପରିଚୟ ସୃଷ୍ଟି କରିଛି । କୁଣ୍ଡଗୁଡ଼ିକ ମଧ୍ୟରେ ବ୍ରହ୍ମକୁଣ୍ଡ ସବୁଠୁ ପ୍ରସିଦ୍ଧ । କୁହାଯାଏଯେ ଦେବଦେବୀଙ୍କ ସ୍ନାନ ଲାଗି ଜଳକୁଣ୍ଡଗୁଡ଼ିକର ବ୍ୟବସ୍ଥା କରାଯାଇଥିଲା । ମଳମାସରେ ରାଜଗୀରରେ ଏକ ଭବ୍ୟ ମେଳାର ଆୟୋଜନ ହୁଏ । ମଳମାସରେ ବ୍ରହ୍ମକୁଣ୍ଡ ଏବଂ ଅନ୍ୟ କୁଣ୍ଡରେ ଶ୍ରଦ୍ଧାଳୁମାନେ ସ୍ନାନ କରିଥାନ୍ତି । ବିଶ୍ୱାସ ରହିଛି ଯେ ଏହି କୁଣ୍ଡଗୁଡ଼ିକରେ ସ୍ନାନ କଲେ ସମସ୍ତ ପାପ ଧୌତ ହୋଇଯାଏ ।

ଆହୁରି ପଢନ୍ତୁବିଶ୍ୱର ପ୍ରଥମ ଓମ୍ ଆକାର ମନ୍ଦିର, ୧୦୦୮ ଶିବ ମୂର୍ତ୍ତି ସହିତ ସ୍ଥାପନ ହୋଇଛି ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ

Gajendra Chauhan | ଦେଶର ଯୁବ ପୀଢି ସନାତନ ଧର୍ମ ପ୍ରତି ଆଗ୍ରହ କରୁଛନ୍ତି,ଏହା ଏକ ବହୁତ ଭଲ କଥା..