ନୂଆଦିଲ୍ଲୀ,୨୩ /୦୪: କ୍ରିକେଟର ବାଇବେଲ ଭାବେ ପରିଚିତ ‘ୱିସ୍‌ଡେନ୍‌ କ୍ରିକେଟର୍ସ ଆଲମ୍‌ନାକ’ ପତ୍ରିକାର ୨୦୨୪ ସଂସ୍କରଣ ଆଜି ପ୍ରକାଶିତ ହୋଇଛି । ପୁରୁଷରେ ଭାରତର ପ୍ରମୁଖ ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମରା ଏବଂ ମହିଳାରେ ଓପନିଂ ବ୍ୟାଟର ସ୍ମୃତି ମନ୍ଧନା ବିଶ୍ୱର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ସେହିପରି ୱେଷ୍ଟଇଣ୍ଡିଜର ନିକୋଲାସ ପୂରନ ଶ୍ରେଷ୍ଠ ଟି-ଟ୍ୱେଣ୍ଟି ଖେଳାଳି ପୁରସ୍କାର ମିଳିଛି । 

୨୦୨୪ରେ ବୁମରାଙ୍କ ପ୍ରଦର୍ଶନ ବେଶ୍‌ ପ୍ରଶଂସନୀୟ ରହିଥିଲା । ସେ ଟେଷ୍ଟରେ ପ୍ରଥମ ବୋଲର ଭାବେ ୨୦ରୁ କମ୍‌ ଆଭରେଜ୍‌ରେ ୨୦୦ ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ସେ ୫ଟି ମ୍ୟାଚ୍‌ ଖେଳି ୧୩.୦୬ ଆଭରେଜରେ ୩୨ଟି ୱିକେଟ୍‌ ନେବାରେ ସଫଳ ହୋଇଥିଲେ । ବୁମରା ଟେଷ୍ଟରେ ୪୫ଟି ମ୍ୟାଚ୍‌ ଖେଳି ୨୦୫ଟି ୱିକେଟ୍‌ ନେଇଥିବାବେଳେ ୮୯ଟି ଦିନିକିଆରୁ ୧୪୯ଟି ଏବଂ ୭୦ଟି ଟି-ଟ୍ୱେଣ୍ଟିରୁ ୮୯ଟି ୱିକେଟ୍‌ ଅକ୍ତିଆର କରି ସାରିଛନ୍ତି । 

ଅନ୍ୟ ପଟରେ ମନ୍ଧନା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୩ଟି ଯାକ ଫର୍ମାଟରେ ମୋଟ ୧୬୫୯ରନ୍‌ ସଂଗ୍ରହ କରିବା ସହ ଏକ ରେକର୍ଡ଼ ସ୍ଥାପନ କରିଥିଲେ । ଦିନିକିଆରେ ସେ ୪ଟି ଶତକ ଏବଂ ଟେଷ୍ଟରେ ଗୋଟିଏ ଶତକ ଅର୍ଜନ କରିଥିଲେ । ଗତ ବର୍ଷ ଜୁନ୍‌ ମାସରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟରେ ମନ୍ଧନା ୧୪୯ରନ୍‌ର ଜବରଦସ୍ତ ଇନିଂସ୍‌ ଖେଳିଥିଲେ । ସେହିପରି ପୂରନ ଗତ ବର୍ଷ ୨୧ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳି ୧୪୨.୩୩ ଷ୍ଟ୍ରାଇକ ରେଟ୍‌ରେ ମୋଟ ୪୬୪ ରନ୍‌ ସଂଗ୍ରହ କରିଥିଲେ ।