ନୂଆପଡ଼ା,୧୯/୦୬: ନୂଆପଡ଼ା ବ୍ଳକ ପଞ୍ଚମପୁର ମଣ୍ଡିରେ ଅବ୍ୟବସ୍ଥା ଦେଖା ଦେଇଛି । ଗୁରୁବାର ମଣ୍ଡିରେ ୭୪ଜଣ ଚାଷୀଙ୍କ ୧୦ହଜାର ୬୧୦ ବସ୍ତା ଧାନ ବର୍ଷାରେ ଭିଜି ଓଦା ହୋଇଛି ।
ଗତ ୧୫ ଦିନ ହେବ ପଞ୍ଚମପୁର ମଣ୍ଡିରେ ଅବ୍ୟବସ୍ଥା ଜାରି ରହିଛି । ଏହି ମଣ୍ଡିରେ ୬୪ ଜଣ ଚାଷୀଙ୍କ ୧୦ହଜାର ୬୧୦ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି । ବୁଧବାରଠାରୁ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ଏଥିପାଇଁ ମଣ୍ଡିରେ ବ୍ୟବସ୍ଥା ହୋଇନଥିବାରୁ ଖୋଲା ଆକାଶ ତଳେ ଧାନବସ୍ତା ପଡ଼ି ଭିଜିବାରେ ଲାଗିଛି । ଏଠି କିଛି ଚାଷୀ ପଲିଥିନ ଢାଙ୍କି ଥିଲେ ବି ତଳପଟୁ ବର୍ଷା ପାଣି ପଶି ଧାନ ଓଦା ହେଉଛି ।
ସେହିପରି ଅନେକ ଚାଷୀଙ୍କୁ ଆବଶ୍ୟକ ତାରପୋଲିନ ମିଳିନଥିବାରୁ ବର୍ଷାରେ ଭିଜୁଛି ଧାନବସ୍ତା । ଏଭଳି ଜିଲ୍ଲା ପ୍ରଶାସନର ଅପାରଗତା ହେତୁ ମଣ୍ଡିରୁ ଧାନ ଉଠି ପାରୁନଥିବାରୁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ତୁରନ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଚାଷୀମାନେ ଦାବି କରିଛନ୍ତି ।