ଭୁବନେଶ୍ୱର,୧୬/୧୨: କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ପକ୍ଷରୁ ରବିବାର ୨୦୨୩ ବ୍ୟାଚ୍ର ନୂତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ କ୍ୟାଡର ଆବଣ୍ଟନ କରାଯାଇଛି । ୧୦ ଜଣ ଅଧିକାରୀଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ତନ୍ମଧ୍ୟରୁ ୩ଜଣଙ୍କ ଘର ଓଡିଶା ହୋଇଥିବା ବେଳେ ବାକି ୭ ଅନ୍ୟ ରାଜ୍ୟର ଅଛନ୍ତି । ୩୬ ନମ୍ବର ର୍ୟାଙ୍କରେ ଥିବା ଓଡିଆ ଝିଅ ଆୟୁଷୀ ପ୍ରଧାନ ଆସାମ-ମେଘାଳୟ କ୍ୟାଡରକୁ ଚୟନ କରିଛନ୍ତି ।
୨୦୨୩ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୮୧ ଜଣ ଆଇଏଏସ୍ ପାଇଁ ଚୟନ କରିଥିଲେ । ଏହାକୁ ଆଧାର କରି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କ୍ୟାଡର ଆବଣ୍ଟନ କରାଯାଇଛି । ର୍ୟାଙ୍କ୍-୨ ପାଇଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନ, ୨୪ ନମ୍ବର ର୍ୟାଙ୍କରେ ଥିବା ପ୍ରଜ୍ଞାନନ୍ଦ ଗିରି ଓ ୪୦୯ ନମ୍ବର ର୍ୟାଙ୍କରେ ଥିବା ସନ୍ତୋଷ କୁମାର ପାତ୍ରଙ୍କୁ ଓଡ଼ିଶା କ୍ୟାଡର ମିଳିଛି । ସେହିପରି ୫୪ ର୍ୟାଙ୍କରେ ଥିବା ହରିୟାଣାର କଶିଷ ବକ୍ଶି, ୬୮ ର୍ୟାଙ୍କ୍ରେ ଥିବା କେରଳର କସ୍ତୁରୀ ସା, ୭୧ ର୍ୟାଙ୍କ୍ରେ ଥିବା କେରଳର ଫବି ରଶିଦ, ୧୨୫ ର୍ୟାଙ୍କରେ ଥିବା ରାଜସ୍ଥାନର ମୃଣାଳିକା ରାଠୋର, ୨୧୪ ର୍ୟାଙ୍କରେ ଥିବା ଦିଲ୍ଲୀର ଶୁଭ୍ରା ପଣ୍ଡା, ୨୩୯ ର୍ୟାଙ୍କରେ ଥିବା ଉତ୍ତର ପ୍ରଦେଶର ପୱନ କୁମାର ଏବଂ ୨୫୮ ର୍ୟାଙ୍କରେ ଥିବା ମହାରାଷ୍ଟ୍ରର ଭଗତ୍ ସାମଲ କଲ୍ୟାଣରାଓଙ୍କୁ ଓଡ଼ିଶା କ୍ୟାଡର ମିଳିଛି ।