ବଲାଙ୍ଗୀର, ୨୨/୦୬: ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଖୁଜେନ ଗାଁରେ ହତ୍ୟାକାଣ୍ଡ । ଜମିବାଡ଼ି ବିବାଦ ସହ ଗୁଣି ଗାରେଡ଼ିକୁ ନେଇ ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ଖୁଜେନ ଗାଁର ତୁଲାରାମ ଜାନି । ପୁଲିସ ଅଭିଯୋଗକୁ ଭିତ୍ତି କରି ମୃତକଙ୍କ ୪ ପୁତୁରାକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ମୁତାବକ, ଖୁଜେନ ଗାଁର ତୁଲାରାମ ଜାନି ରାତିରେ ଘର ବାହାରେ ଶୋଇଥିଲେ। କିଛି ସମୟ ପରେ ପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ତୁଲାରାମ ଘର ଭିତର ଶୋଇଥିବା ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଉଠାଇବାକୁ କବାଟ ବାଡେଇଥିଲେ। ଘର ଲୋକ ବାହାରକୁ ଆସି ଦେଖିବା ସମୟରେ ତୁଲାରାମଙ୍କ ବେକରୁ ରକ୍ତ ବାହାରୁଥିବା ବେଳେ ଠିକରେ କଥା କହି ପାରୁନଥିଲେ । ଏହା ଦେଖି ପରିବାର ତୁରନ୍ତ ତାଙ୍କୁ ତୁରେକେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜମିବାଡ଼ି ବିବାଦ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ଝିଅ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟ ପକ୍ଷରେ ପୁଲିସ ଏସଡିପିଓ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଗୁଣି ଗାରେଡି ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି।