ନୂଆଦିଲ୍ଲୀ,୨୬/୦୫: ଅହମ୍ମଦାବାଦରେ ଚଳିତ ଆଇପିଏଲ୍‌ ୨୦୨୫ ସିଜନର ଶେଷ ମ୍ୟାଚ୍‌ ଖେଳିଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ । ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବେଶ ଉତ୍ସାହିତ ରହିଥିଲେ ପ୍ରଶଂସକ । ଥାଲା.., ଥାଲା.. ଏବଂ ଧୋନି.., ଧୋନି.. ଶବ୍ଦରେ କମ୍ପୁଥିଲା ପୂରା ଷ୍ଟାଡିୟମର ଆକାଶ । ହୁଏତ ସିଜନର ଏହି ମ୍ୟାଚ୍‌ ଧୋନିଙ୍କର ଶେଷ ମ୍ୟାଚ୍‌ ହୋଇପାରେ । ୨୦୨୬ରେ ଆଉ ତାଙ୍କୁ ଦେଖିବାକୁ ମିଳିନପାରେ । କିନ୍ତୁ ସେମିତି କିଛି ସୂଚନା ଦେଇ ନଥିଲେ ଧୋନି । ତାଙ୍କ କଥାରେ କେବଳ ଉତ୍କଣ୍ଠା ଭରି ରହିଥିଲା । ସେ ଖେଳ ଛାଡ଼ିବା କିମ୍ବା ପୁଣି ଆଗାମୀ ସିଜନରେ ଖେଳିବା ବିଷୟରେ କିଛି କହି ନଥିଲେ ।

ଷ୍ଟାରସ୍ପୋର୍ଟ୍ସକୁ ଧୋନି ଏତିକି କହିଥିଲେ, ‘ମୁଁ କହୁ ନାହିଁ ଯେ ମୋର ଖେଳ ଶେଷ ହୋଇଗଲା, ଏହା ବି କହୁ ନାହିଁ ଯେ ମୁଁ ଫେରିବି ।’ ଏଥିସହ ସେ ନିଜ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଧୋନିଙ୍କର ଏହି ଦୁଇପଦ କଥା ସମସ୍ତଙ୍କୁ ଉତ୍କଣ୍ଠାରେ ବୁଡ଼ାଇ ଦେଇଛି । ସେ ୨୦୨୬ ସିଜନରେ ଦଳ ସହ ରହିବେ ନା ନାହିଁ? ପୁଣି ଥରେ ମଇଦାନକୁ ଓହ୍ଲାଇବେ ନା ନାହିଁ? ଅନେକ ପ୍ରଶ୍ନ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି । ଧୋନି ପୂର୍ବଭଳି ଏଥର ମଧ୍ୟ କହିଛନ୍ତି ମୋର ଖେଳ ଜୀବନ ଶରୀରର ଫିଟନେସ ଉପରେ ନିର୍ଭର କରୁଛି । ତେଣୁ ଆଗାମୀ କିଛି ମାସ ଭିତରେ ଏ ବିଷୟରେ ଯାହାବି କିଛି ନିଷ୍ପତ୍ତି ନେବି । 

ଆଇପିଏଲରେ ଧୋନି ଅପ୍‌କ୍ୟାପ ଖେଳାଳି ହୋଇ ସାରିଛନ୍ତି । ତେଣୁ ତାଙ୍କର ଦରମା ବି କମିଛି । ସୁପର କିଙ୍ଗ୍‌ସ ମାତ୍ର ୪ କୋଟି ଟଙ୍କାରେ ସେ ରହିଛନ୍ତି । ଆଇପିଏଲରେ ଧୋନିଙ୍କ ସଫଳତାର ଫର୍ଦ୍ଦ ବହୁ ଲମ୍ବା । ସୁପର କିଙ୍ଗ୍‌ସକୁ ୫ ଥର ଚାମ୍ପିଅନ କରାଇଛନ୍ତି । ଏବେ ତାଙ୍କୁ ୪୩ ବର୍ଷ ବୟସ । ଆଉ କିଛି ଦିନ ପରେ ସେ ୪୪ ବର୍ଷରେ ପଦାର୍ପଣ କରିବେ । ଏ ବୟସରେ ବି ଚମତ୍କାର ୱିକେଟ୍‌କିପିଂ କରିପାରୁଛନ୍ତି । ଯଦିଓ ସେ ବ୍ୟାଟିଂ କରିବା ପାଇଁ ବହୁ ବିଳମ୍ବରେ ଆସୁଛନ୍ତି । କୁହାଯାଉଛି, ଫିଟନେସ ସମସ୍ୟା ପାଇଁ ସେ ନିମ୍ନ ଭାଗରେ ବ୍ୟାଟିଂ କରୁଛନ୍ତି ।