ରାଞ୍ଚି,୨୭/୦୧: ମହିଳା ହକି ଇଣ୍ଡିଆ ଲିଗ୍ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଛି ଓଡିଶା ୱାରିଅର୍ସ । ରାଞ୍ଚିରେ ଅନୁଷ୍ଠିତ ଏଚଆଇଏଲ ଫାଇନାଲରେ ଚମ୍ପିଅନ୍ ହୋଇଛନ୍ତି ଓଡିଶା ୱାରିଅର୍ସ । ସୁରମା ହକି କ୍ଲବକୁ ୨-୧ ଗୋଲରେ ପରାସ୍ତ କରି ପ୍ରଥମ ଟାଇଟଲ ହାତେଇଛି ଓଡିଶା । ରୁତୁଜା ପିସଲ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ରବିବାର ରାଞ୍ଚିର ଜୟପାଲ ସିଂହ ମୁଣ୍ଡା ହକି ଷ୍ଟାଡିୟମରେ ସୁରମା କ୍ଲବ ଓ ଓଡିଶା ୱାରିଅର୍ସ ମଧ୍ୟରେ ଫାଇନାଲ ଫାଇଟ୍ ଅନୁଷ୍ଠିତ ହୋଇଥିଲା । ଦୁଇ ଦଳ ମଧ୍ୟରେ ଜୋରଦାର ଫାଇଟ୍ ହୋଇଥିଲା । ପ୍ରଥମ କ୍ବାର୍ଟରରେ ଗୋଲ ଶୂନ୍ୟ ରହିଥିଲା । ଦୁଇ ଦଳ ଗୋଲ କରିବାକୁ ଯଥେଷ୍ଟ ପ୍ରୟାସ କରିଥିଲେ ମାତ୍ର ସଫଳ ହୋଇନଥିଲେ । ଦ୍ବିତୀୟ କ୍ବାର୍ଟରରେ ରୁତୁଜା ପ୍ରଥମ ଗୋଲ କରିବାକୁ ଚେଷ୍ଟା କରିଥିଲେ ମାତ୍ର ସୁରମା କ୍ଲବର ଗୋଲ କିପର ସବିତା ସେଭ୍ କରି ଦେଇଥିଲେ । ସୁରମା ପ୍ରଥମ ପେନାଲ୍ଟି କର୍ଣ୍ଣରେ ଗୋଲ ହାସଲ କରିଥିଲା । ୨୦ ମିନିଟରେ ରୁତୁଜା ପ୍ରଥମ ଗୋଲ ସ୍କୋର କରି ଓଡିଶାକୁ ଆଗୁଆ କରିଥିଲେ । ଗୋଲ ପରିଶୋଧ କରିବାକୁ ସୁରମା ବଳ ଲଗାଇ ଦେଇଥିଲା । ହାଫ ଟାଇମ ସୁଦ୍ଧା ସ୍ଥିତି ୧-୧ରେ ରହିଥିଲା ।
କ୍ବାର୍ଟର ୩ରେ ଗୋଲ କରିବାକୁ ଦୁଇ ଦଳ ଲାଗି ପଡିଥିଲେ । କଡା ଟକ୍କର ହୋଇଥିଲା ।୫୬ ମିନିଟରେ ଆଉ ଏକ ଗୋଲ କରି ଓଡିଶା ୱାରିଅର୍ସକୁ ୨-୧ରେ ଆଗୁଆ କରିଥିଲେ ରୁତୁଜା । ସୁରମା ଗୋଲ ପରିଶୋଧ କରିବାକୁ ଚେଷ୍ଟା କରିଥିଲା ମାତ୍ର ସଫଳ ହୋଇନଥିଲା । ଫଳରେ ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣରେ ବାଜି ମାରି ନେଇଥିଲା ଓଡିଶା । ରୁତୁଜା ପିସଲ ଦୁଇଟି ଗୋଲ ସ୍କୋର କରିଥିଲେ । ଦମଦାର ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ମହିଳା ହକି ଇଣ୍ଡିଆ ଲିଗ୍ ପ୍ରଥମ ସଂସ୍କରଣ ଗତ ଜାନୁଆରୀ ୧୨ ତାରିଖରୁ ରାଞ୍ଚିରେ ଆରମ୍ଭ ହୋଇଥିଲା । ମୋଟ ୪ଟି ଦଳ ଭାଗ ନେଇଥିଲେ । ଦିଲ୍ଲୀ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଓଡିଶା ୱାରିୟର୍ସ ବିଜୟରେ ଅଭିଯାନ ଶେଷ କରିଛି । ଅଧିନାୟିକା ନେୟା ଗୋଏଲଙ୍କ ନେତୃତ୍ବାଧୀନ ମହିଳା ହକି ଇଣ୍ଡିଆ ପ୍ରଥମ ସଂସ୍କରଣର ଓଡିଶା ୱାରିୟର୍ସ ଚମ୍ପିଅନ ହୋଇଛି ।