ନୂଆଦିଲ୍ଲୀ,୧୮/୦୮: ବିହାର ଏସ୍‌ଆଇଆର ଓ 'ଭୋଟ ଚୋରି' ଅଭିଯୋଗକୁ ନେଇ ରାଜନୀତି ସରଗରମ ରହିଛି । ବିହାରର ଭୋଟ୍ ତାଲିକା ଯାଞ୍ଚ ନେଇ ନିର୍ବାଚନ କମିଶନ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ସେପଟେ ବିହାରରେ 'ଭୋଟର ଅଧିକାର ଯାତ୍ରା' ଚଳାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି (ସୋମବାର) ସଂସଦ ଭବନରେ ଅନୁଷ୍ଠିତ ଇଣ୍ଡି ମେଣ୍ଟ ବୈଠକରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଆଲୋଚନା ହୋଇଛି । ଆବଶ୍ୟକ ପଡିଲେ ନିୟମ ଅନୁଯାୟୀ ମହାଭିଯୋଗ ପ୍ରସ୍ତାବ ଆଣି ସିଇସିଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇପାରିବ ବୋଲି ବିରୋଧୀ ନେତା ସହମତ ପ୍ରକାଶ କରିଛନ୍ତି ।

'ଲୋକତନ୍ତ୍ରର ସବୁ ଅସ୍ତ୍ର ବ୍ୟବହାର କରିବୁ-' ମୁଖ୍ୟ ନିର୍ବାଚନ କମିଶନଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିଚାର ଉପରେ କଂଗ୍ରେସ ରାଜ୍ୟସଭା ସାଂସଦ ସାୟଦ ନାସିର ହୁସେନ କହିଛନ୍ତି, ''ଯଦି ଦରକାର ପଡିଲେ, ଆମେ ଲୋକତନ୍ତ୍ରର ସବୁ ଅସ୍ତ୍ର ବ୍ୟବହାର କରିବୁ । ଆମେ ପ୍ରସ୍ତୁତ । ମହାଭିଯୋଗ ପ୍ରସ୍ତାବ ଉପରେ କୌଣସି ଆଲୋଚନା ହୋଇନାହିଁ କିନ୍ତୁ ଦରକାର ପଡିଲେ ଆମେ କିଛି ବି କରିପାରିବୁ ।''

ସଂସଦ ବାହାରେ ଇଣ୍ଟି ମେଣ୍ଟର ବିକ୍ଷୋଭ- ବିହାର ଏସ୍‌ଆଇଆର ଓ 'ଭୋଟ ଚୋରି'କୁ ନେଇ ମୌସୁମୀ ଅଧିବେଶନରେ ସଂସଦ ବାହାରେ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିରୋଧୀ ଦଳ ସାଂସଦମାନେ ବିକ୍ଷୋଭରେ ସାମିଲ ହୋଇଛନ୍ତି । ''ଭୋଟ ଚୋର'' ଗାଦି ଛାଡ,ଏସଆଇଆର ଫେରାଇ ନିଆ କହି ଶାସକ ଓ ନିର୍ବାଚନ କମିଶନଙ୍କ ବିରୋଧରେ ନାରାବାଜି ଦେଇଛନ୍ତି ।

କହି ରଖୁଛି କି, ରବିବାରଠୁ ବିହାରରେ 'ଭୋଟର ଅଧିକାର ଯାତ୍ରା' ଆରମ୍ଭ ହୋଇଛି । ଏଥିରେ ୧୩ ଶହ କିମି ଯାତ୍ରା ପୂରଣ କରିବେ ବିରୋଧୀ ।  କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାମାନଙ୍କ ‘ଭୋଟ ଚୋରି’ ଅଭିଯୋଗକୁ  ନିର୍ବାଚନ କମିଶନ (ଇସି) ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ଦେଶର ସମ୍ବିଧାନ ପ୍ରତି ଅସମ୍ମାନ ବୋଲି ଇସି ଦର୍ଶାଇଛନ୍ତି ।