ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ତେମ୍ବା ବଭୁମା ନାମ ହିଁ ଯଥେଷ୍ଟ, ଦକ୍ଷିଣ ଆଫ୍ରିକାକୁ ଆଇସିସି ଟ୍ରଫି ଜିତାଇଲେ ପ୍ରଥମ କୃଷ୍ଣକାୟ କ୍ୟାପ୍ଟେନ୍

Published By : Ankita S | June 16, 2025 12:08 PM

ନୂଆଦିଲ୍ଲୀ,୧୬/୦୬: ଦୀର୍ଘ ୨୭ ବର୍ଷର ଅନ୍ତ ଘଟାଇ ଶେଷରେ ଦକ୍ଷିଣ ଆଫ୍ରିକା ଆଇସିସି ଟ୍ରଫି ଜିତିବାରେ ସଫଳ ହୋଇଛି । ଏହା ପୁଣି ସମ୍ଭବ ହୋଇଛି ଜଣେ କୃଷ୍ଣକାୟ ଅଧିନାୟକ ତେମ୍ବା ବଭୁମାଙ୍କ ନେତୃତ୍ୱରେ । ଅଦ୍ଭୁତ ନେତୃତ୍ୱ ଶୈଳୀ ଏବଂ ଅବିଶ୍ୱସନୀୟ ପ୍ରଦର୍ଶନ ବଳରେ ବଭୁମା ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏବେବି ରହିଛି ବର୍ଣ୍ଣ ବୈଷମ୍ୟ । କ୍ରିକେଟ୍‌, ରଗବୀ ଓ ଆଥଲେଟିକ୍ସରେ ରହିଛି ବର୍ଣ୍ଣ ଅନୁସାରେ ସଂରକ୍ଷଣ ବ୍ୟବସ୍ଥା । ଏସବୁର ବହୁ ଊଦ୍ଧ୍ୱର୍କୁ ଯାଇ ଶେଷରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଟାଇଟଲ ହାସଲ କରି ନୂଆ ଇତିହାସ ରଚିଛି ।


ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ୨୦୨୩-୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ ଲଢ଼େଇ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆୟୋଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ଶେଷରେ ୫ ୱିକେଟ୍‌ରେ ବିଜୟୀ ହୋଇ ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଲାଭ କରିଥିଲା । ୧୯୯୯ରୁ ୨୦୨୫ ପର୍ଯ୍ୟନ୍ତ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ୧୩ ଥର ନକ୍‌ ଆଉଟ୍‌ରେ ପରାଜିତ ହେବା ପରେ ଶେଷରେ ଦକ୍ଷିଣ ଆଫ୍ରିକା ଚାମ୍ପିଅନ ହୋଇଛି । ୧୯୯୯ ଦିନିକିଆ ବିଶ୍ୱକପ୍‌ ସେମି ଫାଇନାଲ, ୨୦୦୦ ଚାମ୍ପିଅନ୍ସ ଟ୍ରଫି ସେମି, ୨୦୦୨ ଓ ୨୦୦୬ ଚାମ୍ପିଅନ୍ସ ଟ୍ରଫି ସେମି, ୨୦୦୭ ଦିନିକିଆ ବିଶ୍ୱକପ୍‌ ସେମି, ୨୦୦୯ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି, ୨୦୧୧ ଦିନିକିଆ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ, ୨୦୧୩ ଚାମ୍ପିଅନ୍ସ ଟ୍ରଫି ସେମି, ୨୦୧୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମି, ୨୦୧୫ ଦିନିକିଆ ବିଶ୍ୱକପ୍‌ ସେମି, ୨୦୨୩ ଦିନିକିଆ ବିଶ୍ୱକପ୍‌ ସେମି, ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ସେମିରେ ପର।ଜିତ ହୋଇଥିଲା । ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଲା ଏବଂ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସର ଗଦା ଜିତିବାରେ ସଫଳ ହେଲା ।


ସଂଘର୍ଷ, ପ୍ରତ୍ୟାବର୍ତ୍ତନ, ପରାଜୟ- ଫାଇନାଲର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଚମତ୍କାର ବୋଲିଂ କରିଥିଲା । ଫଳରେ ଅଷ୍ଟ୍ରେଲିଆ ମାତ୍ର ୨୧୨ ରନ୍‌ରେ ସୀମିତ ରହିଥିଲା । କାଗିସୋ ରାବାଡ଼ା ଘାତକ ବୋଲିଂ କରି ୫ଟି ୱିକେଟ୍‌ ନେଇଥିଲେ । ଦକ୍ଷିଣ ଆଫ୍ରିକା ମଧ୍ୟ ଦ୍ୱିତୀୟ ଇନିଂସରେ ସଂଘର୍ଷ କରିଥିଲା । ପାଟ୍‌ କମିନ୍ସ ବିପର୍ଯ୍ୟୟ ଘଟାଇଲେ । ଏକା ୬ଟି ୱିକେଟ୍‌ ନେଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ମାତ୍ର ୧୩୮ ରନ୍‌ରେ ସୀମିତ ରହିଥିଲା । ପ୍ରଥମ ଇନିଂସରେ ଅଗ୍ରଣୀ ରହିବା ସହ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିଥିଲା । ଦକ୍ଷିଣ ଆଫ୍ରିକାର ଆଶା ଏକ ପ୍ରକାର ମଉଳି ଯାଇଥିଲା । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨୦୭ ରନ୍‌ରେ ଅଲ୍‌ ଆଉଟ୍‌ ହେବା ପରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୮୨ ରନ୍‌ର ଟାର୍ଗେଟ୍‌ ରହିଥିଲା । ରାବାଡ଼ା ୪ଟି ଓ ଲୁଙ୍ଗି ଏଗିଡି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମିଚେଲ ଷ୍ଟାର୍କ, ଜୋସ ହାଜେଲଉଡ୍‌ ଓ କମିନ୍ସଙ୍କ ସାମ୍ନାରେ ଯେ ଦକ୍ଷିଣ ଆଫ୍ରିକା ଅଧିକ ସମୟ ତିଷ୍ଠି ପାରିବ ତାହା କେହି ବିଶ୍ୱାସ କରି ନଥିଲେ । କିନ୍ତୁ ଆଡେନ ମାରକ୍ରମ ଓ ଅଧିନାୟକ ତେମ୍ବା ବଭୁମା ଯେଉଁଭଳି ଇନିଂସ ଖେଳିଲେ ତାହା ଅଷ୍ଟ୍ରେଲିଆର ହୋସ୍‌ ଉଡ଼ାଇ ଦେଲା । ମାରକ୍ରମ ୧୩୬ ଓ ବଭୁମା ୬୬ ରନ୍‌ର ଇନିଂସ ଖେଳିବା ପରେ ଦଳର ବିଜୟ ସହଜ ହୋଇଥିଲା । ଶେଷରେ ଦକ୍ଷିଣ ଆଫ୍ରିକା ୫ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ସାରା ବିଶ୍ୱ ବଭୁମାଙ୍କ ସାହସିକ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରୁଛି । 


କ୍ରୀଡ଼ାରେ ବର୍ଣ୍ଣ ସଂରକ୍ଷଣ- ସାଧାରଣତଃ ବର୍ଣ୍ଣ ବୈଷମ୍ୟ କହିଲେ ଆମେ କଳା-ଗୋରା ଭେଦ ଭାବକୁ ହିଁ ବୁଝି ଥାଉ । ଦକ୍ଷିଣ ଆଫ୍ରିକାରେ କ୍ରିକେଟ୍‌, ରଗବୀ ଓ ଆଥଲେଟିକ୍ସରେ ବର୍ଣ୍ଣ ଅନୁସାରେ ଜାତୀୟ ଦଳରେ ଖେଳାଳି ଚୟନ ହୁଅନ୍ତି । ଯେମିତି କ୍ରିକେଟରେ ନିୟମ ରହିଛି, ଏକାଦଶରେ ୬ ଜଣ ବିଭିନ୍ନ ବର୍ଣ୍ଣର ଖେଳାଳି ରହିବେ । ସେମାନଙ୍କ ମଧ୍ୟରୁ ୨ ଜଣ ଆଫ୍ରିକୀୟ କୃଷ୍ଣକାୟ ସମ୍ପ୍ରଦାୟରୁ ସାମିଲ ହେବେ । ସେମିତି ରଗ୍‌ବୀ ଓ ଆଥଲେଟିକ୍ସରେ ମଧ୍ୟ ଏଭଳି ସଂରକ୍ଷଣ ବ୍ୟବସ୍ଥା ଅଛି । ବେଳେବେଳେ ଏହାକୁ ବି ଅଣଦେଖା କରାଯାଉଛି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ (୨୦୨୪) ଦକ୍ଷିଣ ଆଫ୍ରିକା ଦଳରେ ରାବାଡ଼ା ଏକମାତ୍ର କୃଷ୍ଣକାୟ ଥିଲେ । ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ବଭୁମା, ରାବାଡ଼ା ଓ ଏନ୍‌ଗିଡି ଦକ୍ଷିଣ ଆଫ୍ରିକା ଦଳରେ ରହିଥିଲେ । ଏ ୩ ଖେଳାଳି ଆଫ୍ରିକୀୟ କୃଷ୍ଣକାୟ ସମ୍ପ୍ରଦାୟର । କ୍ରୀଡ଼ାରେ ଏଭଳି ବର୍ଣ୍ଣ ଭେଦ ଭାବ ଅନୁସାରେ ସଂରକ୍ଷଣକୁ ନେଇ ଦୀର୍ଘ ଦିନ ଧରି ଦକ୍ଷିଣ ଆଫ୍ରିକରେ ଅସନ୍ତୋଷ ଦେଖାଯାଉଛି । ପ୍ରଦର୍ଶନ ଅନୁସାରେ ଖେଳାଳିଙ୍କୁ ଜାତୀୟ ଦଳ ପାଇଁ ଚୟନ ହେଉ ବୋଲି ଦାବି ହୋଇ ଆସୁଛି । 

କୃଷ୍ଣକାୟ ଅଧିନାୟକ- ବଭୁମା ହେଉଛନ୍ତି ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ଅଧିନାୟକ । ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଇତିହାସରେ ନୂଆ ଇତିହାସ ରଚିଛନ୍ତି । ଦୀର୍ଘ ୨୭ ବର୍ଷ ଧରି ଦଳ ଯାହା କରିପାରି ନଥିଲା ତାହା ବଭୁମାଙ୍କ ନେତୃତ୍ୱରେ ସମ୍ଭବ ହୋଇପାରିଛି । ୩୫ ବର୍ଷୀୟ ବଭୁମା କେବଳ ଜଣେ ସଫଳ ଅଧିନାୟକ ଭାବେ ଦଳକୁ ଟ୍ରଫି ଭେଟି ଦେଇଛନ୍ତି ତାହା ନୁହେଁ, ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରରେ ବେଶ ଭଲ ପ୍ରଦର୍ଶନ କରିଛନ୍ତି । ଯାହା ଦଳକୁ ଫାଇନାଲ ପର୍ଯ୍ୟନ୍ତ ଉନ୍ନୀତ ହେବାରେ ଶକ୍ତି ପ୍ରଦାନ କରିଥିଲେ । ଦଳ ଫାଇନାଲରେ ପ୍ରବେଶ କରିବା ସହ ଗଦା ତୋଳି ଧରିବାର ଗୌରବ ଲାଭ କଲା । 

୨୦୨୩ ଜାନୁଆରୀ ମାସରେ ବଭୁମା ଅଧିନାୟକ ନିଯୁକ୍ତ ହୋଇଥିଲେ । କୋଚ୍‌ ସୁକ୍ରି କନରାଡ୍‌ ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ ଏବଂ ତାଙ୍କୁ ଏହି ଦାୟିତ୍ୱ ଦେଇଥିଲେ । ବଭୁମା ସେବେଠୁ ୧୦ଟି ମ୍ୟାଚ୍‌ରେ ନେତୃତ୍ୱ ନେଇ ଦଳକୁ ୯ଟିରେ ବିଜୟୀ କରିଛନ୍ତି । ଗୋଟିଏ ମ୍ୟାଚ ଡ୍ର’ ରହିଛି । ଗୋଟିଏ ବି ମ୍ୟାଚ୍‌ ହାରି ନାହାନ୍ତି ସେ । ସବୁଠୁ ବଡ଼ କଥା ହେଉଛି ବଭୁମାଙ୍କ ପ୍ରଦର୍ଶନ । ୨୦୨୩-୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଚକ୍ରରେ ସେ ୧୩ଟି ଇନିଂସ ଖେଳି ୭୧୧ ରନ୍‌ କରିଛନ୍ତି । ଆଭରେଜ ୫୯.୨୫ ଏବଂ ଏଥିରେ ୨ଟି ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି । ସର୍ବାଧିକ ସ୍କୋର ୧୧୩ ରନ୍‌ । ଫାଇନାଲରେ ମାରକ୍ରମଙ୍କ ସହ ଦଳକୁ ଜିତାଇବାରେ କୃଷ୍ଣକାୟମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ରାବାଡ଼ା ଉଭୟ ଇନିଂସରେ ୯ଟି ୱିକେଟ୍‌ ନେଇଥିଲେ । ବଭୁମା ଉଭୟ ଇନିଂସରେ ୧୦୨ ରନ୍‌ କରିଥିଲେ । ସେମିତି ଏନ୍‌ଗିଡିଙ୍କୁ ୩ଟି ୱିକେଟ୍‌ ମିଳିଥିଲା । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.