ସୁନ୍ଦରଗଡ଼,୨୧/୦୫:  ବିଡ଼ା ବିଡ଼ା ଟଙ୍କା । ସୁନା ଗହଣା ଦେଖି ଆଖି ଜଳକା ।  ବୃତ୍ତିରେ ଫରେଷ୍ଟ ରେଞ୍ଜର ହେଲେ ଘରୁ ମିଳିଲା ପୁଳାପୁଳା ଟଙ୍କା । ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ ପରେ ବିସ୍ରା ଫରେଷ୍ଟ ଉପ-ରେଞ୍ଜର ଅସିତ୍ କୁମାର ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଛାପା ମାରିଥିଲା । ଏଥିରେ ୮ ଲକ୍ଷ ୩୭ ହଜାର ନଗଦ କ୍ୟାସ୍ ସହ ୩୯୦ ଗ୍ରାମର ସୁନା ଗହଣା ମିଳିଛି । ଘଟଣାର ତଦନ୍ତ ଜାରି ରହିଛି ।

ରାଉରକେଲା ବନ ବିଭାଗ ପକ୍ଷରୁ ବିସ୍ରା ଉପ-ରେଞ୍ଜର ଅସିତ୍ କୁମାର ପଟ୍ଟାନାୟକଙ୍କ ନାମରେ ଲାଞ୍ଚ ନେବାର ଅଭିଯୋଗ ହୋଇଥିଲା । ଜଣେ ଗାଡ଼ି ମାଲିକଙ୍କଠୁ ଅସିତ୍‌ ୧୮ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ରହିଥିଲା । ସରକାରୀ ଉଦ୍ଦେଶ୍ୟରେ ପୂର୍ବରୁ ନିୟୋଜିତ ଥିବା ତାଙ୍କ ଗାଡି଼ ଭଡ଼ା ଶୁଳ୍କ ଛାଡ଼ କରିବା ପାଇଁ ଜାଲ ବିଛାଇଥିଲେ । 

ଏହି ଅଭିଯୋଗ ପରେ ଭିଜିଲାନ୍ସ ପକ୍ଷରୁ ଅସିତ୍‌ଙ୍କ ୪ ଠିକଣାରେ ଏକକାଳୀନ ରେଡ୍‌ ହୋଇଥିଲା । ଛାପାରେ ନଗଦ ୮.୩୭ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହା ସହିତ ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ତାଙ୍କ ବାସଭବନରୁ ପ୍ରାୟ ୩୯୦ ଗ୍ରାମର ସୁନା ଅଳଙ୍କାର ମିଳିଛି ।