ଫିଫା ବିଶ୍ୱକପ୍: ଟୁର୍ଣ୍ଣାମେଣ୍ଟ ଆୟୋଜନ ବହୁ ପୂର୍ବରୁ ବିକ୍ରି ହୋଇଛି ୧.୨ ମିଲିୟନ ଟିକେଟ୍

ଦୋହା,୨୩/୦୬: ଫିଫା ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଯୋଗ୍ୟତା ପର୍ଯ୍ୟାୟ ଶେଷ ହୋଇସାରିଥିବାବେଳେ ଗ୍ରୁପ୍ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି । ବିଶ୍ୱକପ୍ ଆସନ୍ତା ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ । କିନ୍ତୁ ଏହାର ବହୁ ପୂର୍ବରୁ ଟିକେଟ୍ ବିକ୍ରି ଏକ ପ୍ରକାର ଶେଷ ହୋଇଛି ।
ଆୟୋଜକଙ୍କ ସୂଚନା ଅନୁସାରେ, ଆଗାମୀ ବିଶ୍ୱକପ୍ ପାଇଁ ୧.୨ ମିଲିୟନ ଟିକେଟ୍ ବିକ୍ରି ହୋଇ ସାରିଛି । ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟିର ମୁଖ୍ୟ ହାସନ ଅଲ ଥାୱାଦି କହିଛନ୍ତି, ନଭେମ୍ବର-ଡିସେମ୍ବରରେ ଆୟୋଜିତ ହେବାକୁ ଥିବା ଫିଫା ବିଶ୍ୱକପ୍ ପାଇଁ ବିଶ୍ୱର ଫୁଟବଲପ୍ରେମୀଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ଏଥିପାଇଁ ମୋଟ୍ ୧.୨ ମିଲିୟନ ଟିକେଟ୍ ବିକ୍ରି ଶେଷ ହୋଇଛି । ଦର୍ଶକ ଟିକେଟ୍ କିଣିଛନ୍ତି ଏବଂ କାତାର ଆସିବାକୁ ଉତ୍ସାହିତ ରହିଛନ୍ତି ।’ ଦୁଇଟି ପର୍ଯ୍ୟାୟରେ କାତାର ବିଶ୍ୱକପ୍ ପାଇଁ ବିଶ୍ୱର ୪୦ ମିଲିୟନ ଦର୍ଶକ ଟିକେଟ୍ କିଣିବା ନେଇ ଅନୁରୋଧ କରିଥିଲେ । କିନ୍ତୁ ଏତେ ସଂଖ୍ୟକ ଟିକେଟ୍ ଯୋଗାଇବା ସମ୍ଭବପର ନହେବାରୁ ଲଟେରୀ ମାଧ୍ୟମରେ ଦର୍ଶକଙ୍କୁ ଟିକେଟ୍ ବିକ୍ରି କରାଯାଇଥିଲା ।