PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ରୁଷ ସେନାର ମିସାଇଲ ମାଡ଼: ଅନ୍ଧାରରେ ୟୁକ୍ରେନର ୧ କୋଟି ଲୋକ, ବଙ୍କରରେ ରହିବାକୁ ଲୋକଙ୍କୁ ପରାମର୍ଶ

କିଏଭ୍‌,୧୯/୧୧: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଆଜି ୨୬୯ ଦିନରେ ପହଞ୍ଚିଛି । ଗତ ଫେବ୍ରୁଆରୀ ୨୪ରେ ଏହି ଆକ୍ରମଣ ଆରମ୍ଭ ହୋଇଥିଲା । ଶୁକ୍ରବାର ମଧ୍ୟ ୟୁକ୍ରେନର କିଛି ସହର ଉପରେ ରୁଷୀ ସେନା ମିସାଇଲ ମାଡ଼ କରିଛି । ବିଶେଷକରି ଓଡେଶା, ନିପ୍ରୋ, ଜାପୋରିଝିଆ, ଭିନିସିଆ, ସୁମି, କିଏଭ ଓ ଖେରସୋନ ସହର ପ୍ରଭାବିତ ହୋଇଛି । ସେଠାକାର ଶକ୍ତି ପ୍ରକଳ୍ପ ଓ ସାମରିକ ପ୍ରତିଷ୍ଠାନକୁ ରୁଷୀ ସେନା ଟାର୍ଗେଟ କରିଛନ୍ତି । ଫଳରେ ୟୁକ୍ରେନର ପ୍ରାୟ ୧ କୋଟି ଲୋକ ଅନ୍ଧାରରେ ରହିଛନ୍ତି ।

ରୁଷ ଆକ୍ରମଣରେ ୟୁକ୍ରେନର ଶକ୍ତି ଓ ସାମରିକ ଭିତ୍ତିଭୂମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୪୦ ପ୍ରତିଶତ ଗ୍ରୀଡ୍‌ ଧ୍ୱଂସ ପାଇଯାଇଛି। ଏହାକୁ ମରାମତି କରିବା ସମ୍ଭବ ନୁହେଁ । ବିଦ୍ୟୁତ ସେବା ବନ୍ଦ ହୋଇଯିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି । ଏଥିସହିତ ବିଭିନ୍ନ ଅଞ୍ଚଳକୁ ଜଳଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଶୀତଋତୁ ଆସିଥିବା ବେଳେ ତାପମାତ୍ରା ଲଗାତାର ହ୍ରାସ ପାଉଛି । ଏଭଳି ସମୟରେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣ ବନ୍ଦ ରହିବା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି । ଖେରସୋନ ସହରରେ ଆଜି ଲୋକମାନେ ଖାଦ୍ୟ ଓ ଶୀତବସ୍ତ୍ର ସଂଗ୍ରହରେ ଲାଗିଥିବା ଦେଖିବାକୁ ମିଳିଛି । ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ସେମାନେ ଅପେକ୍ଷା କରି ଏସବୁ ସାମଗ୍ରୀ ସଂଗ୍ରହ କରୁଛନ୍ତି । ୟୁକ୍ରେନ ସରକାରଙ୍କ ଶକ୍ତି ଉପଦେଷ୍ଟା ଓଲେକଜାଣ୍ଡର ଖରଚେଙ୍କୋ କହିଛନ୍ତି ଦେଶର ପ୍ରାୟ ୫୦ ପ୍ରତିଶତ ଲୋକ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । କିଛି ଅଞ୍ଚଳରେ ବିଦ୍ୟୁତ ସେବା ଜାରି ରହିଥିଲା ବେଳେ ଶୀତ ଆରମ୍ଭ ହୋଇଥିବାରୁ ସେଠାରେ ଚାହିଦା ବୃଦ୍ଧି ପାଇଛି । କିନ୍ତୁ ଲୋକମାନଙ୍କ ଚାହିଦା ଅନୁସାରେ ବିଦ୍ୟୁତ ଯୋଗାଇବା ସମ୍ଭବ ହେଉନାହିଁ ।

ସେପଟେ ରୁଷୀ ସେନା ହଟିଯିବା ପରେ ଖେରସୋନ ସହରର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ରାଜଧାନୀ କିଏଭ୍‌ ଓ ଖେରସୋନ ମଧ୍ୟରେ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଶୁକ୍ରବାର ରାତି ୧୦ଟା ୧୪ରେ ପ୍ରଥମ ଟ୍ରେନ କିଏଭ ଛାଡିଛି ଏବଂ ଏହା ଶନିବାର ସକାଳ ୯ଟା ବେଳେ ଖେରସୋନରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଖେରସୋନ ଅଞ୍ଚଳକୁ ୟୁକ୍ରେନ ସେନା କବ୍‌ଜା କରିବା ପରେ ରୁଷ କ୍ରିମିଆ ଅଞ୍ଚଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି ।

ଗତ ଫେବ୍ରୁଆରୀରୁ କ୍ରିମିଆ ରୁଷର ଲଞ୍ଚିଂ ପ୍ୟାଡ ପାଲଟିଥିଲା । ବର୍ତ୍ତମାନ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଓଡେଶାର ଗଭର୍ଣ୍ଣର ମାକ୍ସିମ ମାର୍ଶେଙ୍କୋ କହିଛନ୍ତି ରୁଷ ପୁଣିଥରେ ଆକାଶମାର୍ଗରୁ ବଡଧରଣର ଆକ୍ରମଣ କରିପାରେ । ତେଣୁ ଲୋକମାନଙ୍କୁ ବଙ୍କର ଭିତରେ ସୁରକ୍ଷିତ ଭାବେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିଭଳି ପୋଲତଭା, ଖାରକିଭ୍‌, ଖମେଲିନ୍‌ସ୍କି ଓ ରିବ୍‌ନେ ଅଞ୍ଚଳରେ ପ୍ରଶାସନ ଲୋକଙ୍କୁ ସୁରକ୍ଷିତ ରହିବାକୁ କହିଛି ।

ସମ୍ବନ୍ଧିତ ଖବର