PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ମହାନଦୀର କରାଳ ରୂପ, ଲକ୍ଷେ ଜଳବନ୍ଦୀ

ଭୁବନେଶ୍ୱର,୧୭/୮ : ସ୍ଥିତି ଗମ୍ଭୀର । ମହାନଦୀ ନେଇଛି କରାଳ ରୂପ । ମହାନଦୀର ଉପରୁ ତଳ ମୁଣ୍ଡ ଯାଏଁ ବନ୍ୟା ଚାଲିଛି । ବର୍ତ୍ତମାନ ସ୍ଥିତି ଓ ପାଣିପାଗର ସମ୍ଭାବ୍ୟ ସ୍ଥିତି ଯାହା, ସ୍ଥିତି ଏତେ ଶୀଘ୍ର ସୁଧୁରିବା ଆଶା କମ୍‌ । ଉପରମୁଣ୍ଡରୁ ଲଗାଣ ବର୍ଷା ଜଳ ମାଡ଼ି ଆସୁଥିବାରୁ ସରକାର ହୀରାକୁଦର ୪୦ଟି ଗେଟ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ସବୁଠି ମହାନଦୀ ଓ ଶାଖା ନଦୀଗୁଡ଼ିକ ବିପଦ ସଙ୍କେତ ଡେଇଁ ଗଲେଣି । ମୁଣ୍ଡଳିରେ ୧୨ ଲକ୍ଷ ଘନଫୁଟ ଉପରେ ପାଣି ଚାଲିଛି । ଜଗତସିଂହପୁରର ସବୁଠୁ ସମ୍ବେଦନଶୀଳ ଅଞ୍ଚଳ ଦଳେଇଘାଇରେ ଦେବୀ ନଦୀ ବିପଦ ସଙ୍କେତ ଡେଇଁଗଲାଣି । ମୁଣ୍ଡଳିରେ ପ୍ରବାହିତ ବର୍ତ୍ତମାନର ସର୍ବାଧିକ ବନ୍ୟା ଜଳ ସମୁଦ୍ରରେ ଖଲାସ ହେବା ଆଗରୁ ଉପର ମୁଣ୍ଡରେ ମାଡ଼ି ଆସିବ ଆହୁରି ବନ୍ୟା ଜଳ ।

ପାଣିପାଗ ପୂର୍ବାନୁମାନ ଯାହା, ୧୮ରୁ ବର୍ଷା ବଢ଼ିବ । ୧୯ରୁ ଲଗାଣ ବର୍ଷା । ଖାଲି ଓଡ଼ିଶା ନୁହେଁ, ଛତିଶଗଡ଼ରେ ବି ଢାଳିବ । ଅର୍ଥାତ୍‌ ଯେଉଁ ସବୁ ଅଞ୍ଚଳ ଏବେ ଜଳବନ୍ଦୀ ଅଛି କିମ୍ବା ହେବାକୁ ଯାଉଛି, ସେଠାରୁ ପାଣି ଏତେ ଶୀଘ୍ର କମିବାର ନାହିଁ । ଏ ପାଣି ଖସିବା ଆଗରୁ ନଈରେ ଆହୁରି ପାଣି ପହଞ୍ଚିବ । ଇତିମଧ୍ୟରେ ଆଶ୍ୱସ୍ତିର ଗୋଟିଏ ଖବର ହେଲା, ହୀରାକୁଦ ଜଳଭଣ୍ଡାରକୁ  ଉପର ମୁଣ୍ଡରୁ ଆସୁଥିବା ଜଳ ପ୍ରବାହ ଖସିଛି । ପ୍ରାକ୍‌ ସରକାରୀ ତଥ୍ୟକୁ ଆଧାର କରି ଏସ୍‌ଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି, ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ୪୯ଟି ବ୍ଲକର ୩୬୯ ପଞ୍ଚାୟତର ୧୩୬୬ ଗାଁ ମହାନଦୀ ବନ୍ୟା ଯୋଗୁ ପ୍ରଭାବିତ । ୯ଟି ପୌରାଞ୍ଚଳର ୪୫ଟି ୱାର୍ଡ ମଧ୍ୟ ପ୍ରଭାବିତ ହୋଇଛି । ଏବେ ସୁଦ୍ଧା ପ୍ରାୟ ୨ ଲକ୍ଷ ଲୋକେ ପ୍ରଭାବିତ ହେଲେଣି । ୨୩୭ଟି ଗାଁ ପାଣି ଘେରରେ ଅଛି । ୧ ଲକ୍ଷ ୨୦ ହଜାର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦୭ଟି ଘର ଭାଙ୍ଗିଥିବା ସୂଚନା ମିଳିଛି । ୨୪ ହଜାର ହେକ୍ଟରରୁ ଅଧିକ ଚାଷ ଜମି ପ୍ରଭାବିତ ହୋଇଛି । ୨୬ ହଜାର ଲୋକେ ସ୍ଥାନାନ୍ତର ହୋଇଥିବାବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହା କେବଳ ପ୍ରାକ୍‌ ତଥ୍ୟ, ଏ ସଂଖ୍ୟା ଆହୁରି ବଢ଼ିବ ।

ଏସଆରସି କହିଛନ୍ତି, ମହାନଦୀ ସିଷ୍ଟମରେ ପୁରୀର ମକରା ନଦୀ ଓ ଖୋର୍ଦ୍ଧାର ରାଜୁଆରେ ଘାଇ ଖବର ହସ୍ତଗତ ହୋଇଛି । କେନ୍ଦ୍ରାପଡ଼ାର ଗରଦପୁରରେ ଘଳିଆ ପଡ଼ିଛି । ଏସଆରସିଙ୍କ କହିବା ଅନୁଯାୟୀ ମୁଣ୍ଡଳିରେ ଏବେ ଜଳସ୍ତର ପିକ୍‌ରେ ଅଛି । ରାତି ପ୍ରାୟ ୩ଟା ପର୍ଯ୍ୟନ୍ତ ଏମିତି ପାଣି ପ୍ରବାହିତ ହେବ । ତା’ପରେ ମୁଣ୍ଡଳୀରେ ଜଳସ୍ତର କ୍ରମଶଃ କମିବ । ମାତ୍ର ଏହି ପିକ୍‌ ବନ୍ୟା ଜଳ ତଳମୁଣ୍ଡରେ ପହଞ୍ଚିବାକୁ ସମୟ ଲାଗିବ । ଏହି ପିକ୍‌ ପାଣି ସମୁଦ୍ରକୁ ଯିବାକୁ କାଲି ସନ୍ଧ୍ୟା କିମ୍ବା ରାତି ହୋଇଯିବ ।

ବିଭିନ୍ନ ଅଞ୍ଚଳରୁ ଆମ ପ୍ରତିନିଧି ଦେଇଥିବା ସୂଚନା ମୁତାବକ, ମହାନଦୀର କରାଳ ରୂପ ପ୍ରଭାବ ଦେଖାଇଲାଣି । କଟକ ଜିଲ୍ଲାର ବାଙ୍କୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । କଟକ-ବାଙ୍କୀ ରାସ୍ତା ଉପରେ ପାଣି ଚାଲିଛି । ବଡ଼ମ୍ବାର ଭଟ୍ଟାରିକା ମନ୍ଦିର ଗମ୍ଭୀରାକୁ ପାଣି ଛୁଇଁଛି । ସାଲେପୁରରେ ମହାନଦୀ ଉଛୁଳି ସିଜୁଖଣ୍ଡ ପଞ୍ଚାୟତର କେତେକ ଗାଁରେ ପାଣି ପଶିଗଲାଣି । କଟକ ସଦର ଗତିରାଉତପାଟଣାରେ ଏକ ସ୍କୁଲର ଶତାଧିକ ଛାତ୍ରଙ୍କୁ ପାଣି ଘେରରୁ ଉଦ୍ଧାର କରାଯାଇଛି । ଅଗ୍ନିଶମ ଟିମ୍‌ ବୋଟରେ ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି । ଆଠଗଡ଼ରେ ଏକ କାର ଭାସିଯାଇଥିବାବେଳେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ବନ୍ୟା ଜଳ ବଢ଼ୁଥିବାରୁ କଟକ ସଦରର ୪୨ ମୌଜା, ପରମହଂସ, କଇଜଙ୍ଗା, ଅଥଙ୍ଗା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଯାଇଛି । ଆଠଗଡ଼ର ଘଣ୍ଟିଖାଲ ଉପରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ରହିଛି । ଜଗତସିଂହପୁରର କୁଜଙ୍ଗ ବ୍ଲକର ହରିପୁର ଗାଁ ଯୋଗାଯୋଗ ବାହାରେ । ତିର୍ତ୍ତୋଲ, ଶଙ୍ଖେଶ୍ୱର, ମାଛଗାଁରେ ବନ୍ୟା ଜଳ ଉଛୁଳି ମାଡ଼ିଗଲାଣି ।  ଖୋର୍ଦ୍ଧା ଜଟଣୀରେ ତିରିମଲଠାରେ ରାଜୁଆ ନଈରେ ୧୦୦ ଫୁଟର ଘାଇ ହୋଇଥିବାବେଳେ ପାଣ୍ଡିଆବିଲିରେ ଏକାଧିକ ସ୍ଥାନରେ ଘଳିଆ ହୋଇଛି । ବାଲିପାଟଣାର ବହୁ ଅଞ୍ଚଳରେ ପାଣି ପଶିଛି । ସୁନ୍ଦରପଦା-ଜଟଣୀ ରାସ୍ତା ପାଶ୍ୱର୍ରେ ଥିବା ଏକ ଆପାର୍ଟମେଣ୍ଟରେ ପାଣି ପଶିବାରୁ ଅଗ୍ନିଶମ ଟିମ ଲୋକଙ୍କୁ ଉଦ୍ଧାର କରାଯାଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ବନ୍ୟା ପ୍ରକୋପ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ାର ମାର୍ଶାଘାଇରେ ୩ଟି ଘାଇ ହୋଇ ୧୦ ହଜାର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।  ଗରଦପୁର, ମହାକାଳପଡ଼ାରେ ଘଳିଆ ପଡ଼ିଲାଣି । ଗରଦପୁରରେ ୧୮ଟି ପଞ୍ଚାୟତ ବନ୍ୟା ସଙ୍କଟରେ ଫସିଛନ୍ତି । ଜିଲ୍ଲାର ୪୫ଟି ପଞ୍ଚାୟତରେ ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ବିପଦ ସଙ୍କେତ ଉପରେ ପ୍ରବାହିତ । କେନ୍ଦ୍ରାପଡ଼ାର ୩ଟି ବ୍ଲକରେ ସ୍କୁଲ ଛୁଟି ଘୋଷଣା ହୋଇଛି ।

ସୋନପୁର ଜିଲ୍ଲାର ବିନିକା, ବୀରମହାରାଜପୁର, ଉଲୁଣ୍ଡା ବ୍ଲକ ପ୍ରଭାବିତ ହୋଇଛି । ସହରର ନଈକୂଳିଆ ଅଞ୍ଚଳ  ସଡ଼କପଡ଼ା, ତରିଆପଡ଼ା, ତଳପଡ଼ା, କୁମ୍ଭୀରପଡ଼ା, ଟିକରପଡ଼ା ଅଂଚଳରେ ବନ୍ୟା ଜଳ ପଶିଛି । ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୫୫ରୁ ଅଧିକ ଗାଁ ବନ୍ୟା ପ୍ରଭାବିତ । ବୌଦ୍ଧ-ଜଗନ୍ନାଥ ସଡ଼କ ରାସ୍ତା ବିଚ୍ଛିନ୍ନ । ପୁରୀ ଜିଲ୍ଲାର ଗୋପ, କଣାସ ସମେତ ବିଭିନ୍ନ ଅଞ୍ଚଳରେ ପାଣି ପଶିଯାଇଛି ।

ଇଏତ ଆରମ୍ଭ, ମହାନଦୀ ଯେଉଁଭଳି କରାଳ ରୂପ ନେଇ ମାଡ଼ି ଆସୁଛି ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ । ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼, ଯାଜପୁର, କେନ୍ଦ୍ରାପଡ଼ାରେ ଶତାଧିକ ଗାଁରେ ନଈ ପାଣି ମାଡ଼ିଯାଇଛି । ଲକ୍ଷାଧିକ ଲୋକେ ପାଣି ଘେରରେ । ବିଭିନ୍ନ ଜାଗାରେ ରାସ୍ତା ଧୋଇଯାଇଛି । ପୋଲ ଉପରେ ପାଣି ଚାଲିଛି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇ ଆଶ୍ରୟସ୍ଥଳୀରେ ରଖାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି । ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ  ୯ଟି ଏନଡିଆରଏଫ ଟିମ୍‌, ୯ଟି ଓଡ୍ରାଫ ଟିମ୍‌, ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟକୁ ମୁତୟନ କରାଯାଇଛି । ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ୭ ଦିନ ପାଇଁ ବାତିଲ କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳ ସ୍ଥିତି ଦେଖି ନିଷ୍ପତ୍ତି ନେବେ । ନୟାଗଡ଼ ଜିଲ୍ଲାରେ ୩୨ଟି ସ୍କୁଲ ଛୁଟି ଘୋଷଣା କରାଯାଇଥିବାବେଳେ ଜଗତସିଂହପୁରର ସମସ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା ହୋଇଛି । କେନ୍ଦ୍ରାପଡ଼ାର ୩ଟି ବ୍ଲକରେ ସ୍କୁଲ ଛୁଟି କରାଯାଇଛି ।

ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ବାରମ୍ବାର ସ୍ଥିତି ସମୀକ୍ଷା କରିବା ସହ ଜଳ ସମ୍ପଦ ବିଭାଗ ଓ ଜିଲ୍ଲା ପ୍ରଶାସନ ସହ ଘନଘନ ଆଲୋଚନା ଚଳାଇଛନ୍ତି । ଏସଆରସି କହିଛନ୍ତି, ଆଗାମୀ ୪୮ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦୁଇଦିନ ପରେ ବନ୍ୟା ଜଳ କ୍ରମଶଃ କମିବାକୁ ଲାଗିବ । ନଦୀ ଓ କେନାଲ ବନ୍ଧର ସୁରକ୍ଷା ପାଇଁ କ୍ଷେତ୍ର ସ୍ତରରେ ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ, ନଦୀ/କେନାଲ ବନ୍ଧର ସୁରକ୍ଷା ପାଇଁ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି ଓ ଗୋଷ୍ଠୀ ସ୍ତରରେ ସହଯୋଗ କରିବାକୁ ଏସଆସି ଶ୍ରୀ ଜେନା ନିବେଦନ କରିଛନ୍ତି ।

ରାତି ୯ଟା ଖବର ମୁତାବକ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୬.୮୭ ଫୁଟ ଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୫ ଲକ୍ଷ ୯୮ ହଜାର ୮୪୯ ଘନ ଫୁଟ ପାଣି ପଶୁଥିବାବେଳେ ୪୦ଟି ଗେଟରେ ଛଡ଼ାଯାଉଛି ୬ ଲକ୍ଷ ୭୧ ହଜାର ୮୪୯ ଘନଫୁଟ । ରାତି ୯ଟାବେଳେ ପଥର୍ଲାରେ ୨ ଲକ୍ଷ ୮୯ ହଜାର ୫୧୬ ଘନ ଫୁଟ ଜଳ ପ୍ରବାହିତ ହେଉଥିବାବେଳେ ଖଇରମାଳରେ ୮.୫୦ ଲକ୍ଷ ଘନ ଫୁଟ, ବରମୁଳରେ ୧୦ ଲକ୍ଷ ୮ ହଜାର ୫ଶହ ଘନଫୁଟ ଓ ମୁଣ୍ଡଳିରେ ୧୨ ଲକ୍ଷ ୧ ହଜାର ୪୨୬ ଘନଫୁଟ ।

ସମ୍ବନ୍ଧିତ ଖବର