PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଏକ ନମ୍ବର ହାଟ ପିଣ୍ଡି କାରସାଦି: ରସିଦ ପିଛା ଗୋଟିଏ ନୂଆ ଦୋକାନ ଘର

ଭୁବନେଶ୍ୱର,୧୩ା୭(ବ୍ୟୁରୋ): ଏକ ନମ୍ବର ହାଟ ବେଆଇନ ପିଣ୍ଡିରେ ଅନ୍ତତଃପକ୍ଷେ ରସିଦ ଖଣ୍ଡିଏ ଲେଖାଏଁ ପହଞ୍ଚାଇବାକୁ ବିଏମ୍‌ସିର ନିର୍ଦ୍ଦିଷ୍ଟ ଅଧିକାରୀ ଓ ଏକ ପ୍ରଭାବଶାଳୀ ଗୋଷ୍ଠୀ ବିକଳ ହୋଇଗଲେଣି । ଏହାର ଚମକପ୍ରଦ କାରଣ ପଦାକୁ ଆସିଛି । ସେ ଆଇନ ହେଉ କି ବେଆଇନ ରସିଦ ଖଣ୍ଡେ ପାଇଲେ ପ୍ରସ୍ତାବିତ ହାଟ ପୁନରୁଦ୍ଧାର ପ୍ରକଳ୍ପରେ ଗୋଟାଏ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଯିବେ । ସେଥିପାଇଁ ଗୋଲ୍ଡରସ୍‌ ଚାଲିଛି । ରସିଦ ପିଛା ଭଲ ଆଦାୟ ହୋଇ ସଂପୃକ୍ତ ଅଧିକାରୀଙ୍କ ଟେବୁଲ ତଳେ ପହଞ୍ଚି ଯାଇଥିବା ଚର୍ଚ୍ଚା ଚାଲିଛି ।

ସାଢ଼େ ୪ ଏକର ପରିମିତ ପ୍ରସ୍ତାବିତ ୧ ନମ୍ବର ହାଟ ପୁନରୁଦ୍ଧାର ଯୋଜନା ପ୍ରଥମ ପର୍ଯ୍ୟାୟ କାମ ସରିଛି । ହାଟ ପରିସୀମାକୁ ବୃଦ୍ଧି କରିବା ଲାଗି କ୍ୱାର୍ଟର୍ସ ଅଞ୍ଚଳ ଚିହ୍ନଟ ସରିଛି । ୫-୬ଟି କ୍ୱାର୍ଟର୍ସ ମଧ୍ୟ ଭଙ୍ଗା ସରିଲାଣି । ବିଶାଳ ମଲ୍‌ ଢାଞ୍ଚାରେ ଏହି ନିର୍ମିତ ଦୋକାନ ଘରେ ପ୍ରକୃତ ପିଣ୍ଡିଧାରୀଙ୍କୁ ଥଇଥାନ କରିବାକୁ ପ୍ରାଥମିକତା ଦିଆଯିବ । ହାଟର ମୂଳ ସତ୍ତ୍ୱାଧିକାରୀ ସାଧାରଣ ପ୍ରଶାସନ ବିଭାଗର ହିସାବ ମୁତାବକ ୧୦୫୬ ପ୍ରକୃତ ପିଣ୍ଡିଧାରୀ ଯୋଗ୍ୟ ବିବେଚିତ ହେବେ । ଏହି ପିଣ୍ଡି ଗୁଡ଼ିକ ହସ୍ତାନ୍ତର ଯୋଗ୍ୟ ହୋଇ ନଥିବାରୁ ରସିଦ ମୁତାବକ କେବଳ ଉକ୍ତ ପିଣ୍ଡିଧାରୀ କିମ୍ବା ସେମାନଙ୍କ ପିଲାପିଲି ନୂଆ ଦୋକାନ ଘର ପାଇବାକୁ ହକଦାର । ତେବେ ଏଥିରେ ୨୦୧୫ ଠାରୁ ଲାଗି ରହିଛି ଗୁନ୍ଦୁରା କାରବାର । ଉକ୍ତ ପ୍ରଭାବଶାଳୀ ଗୋଷ୍ଠୀ ୫୫୬ଟି ପିଣ୍ଡି ହାତେଇବାକୁ ଯୋଜନା କରି ବିପୁଳ ପରିମାଣର ଚାନ୍ଦା ଆଦାୟ କରିଛନ୍ତି । ପର୍ଯ୍ୟାୟକ୍ରମେ ସେଥିରୁ କିଛି ବିଏମ୍‌ସିର ଅଧିକାରୀଙ୍କ ପାଖେ ଭୋଗ ଲଗାଉଛନ୍ତି । ସେହି ସମୟରେ ଦାଖଲଖାରଜ ଫାଇଲ ଫିଟି ତୁମ୍ବିତୋଫାନ ହେଉଛି । ତେବେ ଗଣମାଧ୍ୟମ ଓ ଭିଜିଲାନ୍ସ ଭୟରେ ଉକ୍ତ ଫାଇଲ ପୁଣି ଲୁଚି ଯାଉଛି ।

ଚଳିତ ଅଧ୍ୟାୟରେ ୨୩୫ଟି ବେଆଇନ ପିଣ୍ଡି ଜବରଦଖଲକାରୀଙ୍କ ପାଖରେ ରସିଦ ପହଞ୍ଚାଇବା ପାଇଁ ଭାରି ତତ୍ପରତା ଦେଖାଦେଇଛି । ରସିଦ ଖଣ୍ଡେ ପାଇଗଲେ ନୂଆ ମଲ୍‌ରେ ବେଆଇନ ହେଲେ ବି ଆଇନତଃ ଦାବିଦାର ବନିଯିବେ । ଉକ୍ତ ଗୋଷ୍ଠୀ ରସିଦ ଲୋଭ ଦେଖାଇ ୨୩୫ ଜବରଦଖଲକାରୀଙ୍କ ଠାରୁ ୨୦ ହଜାର ଲେଖାଏଁ ଆଦାୟ କରିଛନ୍ତି । ସେଥିରୁ ଏକ ମୋଟା ଭାଗ ସଂପୃକ୍ତ ଅଫିସରଙ୍କ ପାଖରେ ପହଞ୍ଚିଗଲାଣି । ହେଲେ ରସିଦ କାଟିବାକୁ କେହି ରାଜି ହେଉନାହାନ୍ତି । କଥା ନିଲମ୍ବନ ଓ ଛଟେଇ ପର୍ଯ୍ୟନ୍ତ ଗଲାଣି । କିନ୍ତୁ ଯାହାକୁ ଦେଲେ ସେ ରସିଦ ଫୋପାଡ଼ି ଭିଜିଲାନ୍ସ ଭୟରେ ପଳାଉଛନ୍ତି । ଫଳରେ ଉଭୟ ମହଲରେ ଏବେ ଚିନ୍ତା ପଶି ଯାଇଛି । କର ବା ମର ଅଭିଯାନରେ ସାମ, ଦଣ୍ଡ, ଭେଦ ନୀତି ଅବଲମ୍ବନ କରି ରସିଦ ପହଞ୍ଚାଇବା ମତଲବରେ ଅଛନ୍ତି । ଏଥିପାଇଁ ସଂପୃକ୍ତ ଅଧିକାରୀ ସୋମବାର ଏକ ରିଭ୍ୟୁ ମିଟିଂ ଡାକିଛନ୍ତି । ସେଠି କାହା ବେକରେ ଘଣ୍ଟି ବାନ୍ଧିବେ ତାହା ଦେଖିବାକୁ ବାକି ରହିଛି ।