ଦୁର୍ଘଟଣା ନେଲା ୧୦ ଜୀବନ

କଟକ/ଚୌଦ୍ୱାର-ଗୁରୁଡିଝାଟିଆ/କେନ୍ଦ୍ରାପଡ଼ା/ପାରାଦୀପ,୨୧ା୧(ବ୍ୟୁରୋ): ବିଷ ବେଳାରେ ପାହିଥିଲା ରାତି । ଅଶୁଭ ସୋମବାର ଆଜି ନେଇଛି ୧୦ ମୁଣ୍ଡ । ଭୋର୍ରୁ ରାତି ଯାଏ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୃଥକ ପୃଥକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ ଜଣରୁ ଅଧିକ ଆହତ ହୋଇଛନ୍ତି ।
କେତେଜଣ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି । ବିଶେଷ କରି ସୋମବାର ଭୋର୍ରୁ କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ କାକତିଆ ନିକଟରେ ଏକ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅପରାହ୍ଣରେ କଟକ ଜିଲ୍ଲାର ଚୌଦ୍ୱାରଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଓ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।
ମହାନଦୀ ପୋଲ ଉପରେ ହୋଇଥିବା ଭୟଙ୍କର ବସ୍ ଦୁର୍ଘଟଣାର ଠିକ୍ ଦୁଇ ମାସ ଅନ୍ତରରେ ଆଜି ଅପରାହ୍ନରେ ଚୌଦ୍ୱାର ଉପକଣ୍ଠ କଜଳକଣା ଛକଠାରେ ପୁଣି ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଥିଲା । କଟକରୁ ଅନୁଗୁଳ ଯାଉଥିବା ନୀଳକଣ୍ଠ ବସ୍ (ଓଆର୍ ୦୫ ବି ୮୪୫୯) ଚୌଦ୍ୱାର ଥାନାନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଜଳକଣା ଛକ ନିକଟରେ ଅପରାହ୍ଣରେ ଓଲଟି ପଡିଥିଲା । ବସ୍ରେ ପ୍ରାୟ ୫୫ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଅଞ୍ଚଳର ଦୁର୍ଯ୍ୟୋଧନ ମହାନ୍ତି ବୋଲି କୁହାଯାଉଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି । ଅନ୍ୟପକ୍ଷରେ ଆହତ ମାନଙ୍କୁ ଏସ୍ସିବିରେ ଭର୍ତ୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୪ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ପୁଲିସ୍ ଓ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସ୍ର ବେଗ ଅଧିକ ଥିବାରୁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି । ରାସ୍ତା କଡ଼ରେ ଥିବା ବାଲିଗଦାରେ ଚଢି ବସଟି ଓଲଟି ପଡିଥିଲା । ଫଳରେ ବାଲିରେ ପୋତି ହୋଇ ଶ୍ୱାସରୁଦ୍ଧ ହୋଇ ଦୁଇ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ସେହିପରି କଟକ-ଚାନ୍ଦବାଲି ରାସ୍ତାର ଚାନ୍ଦୋଳ କାକତିଆ ନିକଟରେ ଆଜି ଭୋର୍ ସମୟରେ ଏକ ଟ୍ରକ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ରାଜନଗର ଥାନା ଓସ୍ତିଆ ପଞ୍ଚାୟତ ବାଲିକଣା ଗ୍ରାମର ସୁବାସ ରାଉତ ଓ ତାଙ୍କ ଭାଇ ସୁଶାନ୍ତ ରାଉତ ମୁମ୍ୱଇରେ ହୋଟେଲ ବ୍ୟବସାୟ କରିଆସୁଛନ୍ତି । ପିତା ଶ୍ରୀନିବାସଙ୍କ ମୃତ୍ୟୁ ଯୋଗୁଁ ୨ ଭାଇ ସପରିବାର ଗାଁକୁ ଆସିଥିଲେ । ଶୁଦ୍ଧିକ୍ରିୟା ସାରି ଆଜି ପାହାନ୍ତାରେ ଘରୁ ବାହାରିଥିଲେ କର୍ମକ୍ଷେତ୍ର ମୁମ୍ୱଇକୁ । କଟକ ଷ୍ଟେସନରୁ ଟ୍ରେନ୍ରେ ବସି ମୁମ୍ବଇ ଯାଇଥାନ୍ତେ । ବାଟରେ ଆଉ ୩ ଜଣ ଲିଫ୍ଟରେ ସେମାନଙ୍କ ସହିତ ଉକ୍ତ ଗାଡିରେ ଉଠିଥିଲେ । ହେଲେ ଚାନ୍ଦୋଳ କାକତିଆ ପାଖରେ ସେମାନେ ଯାଉଥିବା ବୋଲେରୋ ସହିତ ମୃତ୍ୟୁଦୂତ ସାଜିଥିବା ଏକ ୧୦ ଚକିଆ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା । ବାଲିକଣା ଗ୍ରାମର ସୁବାସ ଚନ୍ଦ୍ର ରାଉତଙ୍କ ପତ୍ନୀ ଭଗବତୀ ରାଉତ (୪୦), ଭଣଜା ରାଜପୁର ଗ୍ରାମର ବିଭୂତି ଭୂଷଣ ରାଉତ (୨୫), ଗାଡ଼ି ଚାଳକ ଭଗବାନପୁର ଗ୍ରାମର ସୁବ୍ରତ ବେହେରା (୨୨)ଘଟଣାସ୍ଥଳରେ ହିଁ ଆଖି ବୁଜି ଦେଇଥିଲେ । ଗୁରୁତର ଆହତ ଥିବା ସୁବାସ ରାଉତ, ସୁଶାନ୍ତ ରାଉତ, ଅମର କୁମାର ବଳ, କମଳାକାନ୍ତ ବେହେରା, ପ୍ରତାପ ମହାକୁଡ, ଅନ୍ନପୂର୍ଣ୍ଣା ରାଉତଙ୍କୁ ନିଶ୍ଚିନ୍ତକୋଇଲି ମେଡିକାଲ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କଟକ ବଡ଼ ମେଡିକାଲରେ ଅମରଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ରାଜନଗର ଥାନା ଅଞ୍ଚଳରେ ଆଜି ଦୁଇଟି ପୃଥକ ଦୁର୍ଘଟଣାରେ ୨ ଜଣ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ରାଜନଗର-ଗୁପ୍ତି ମୁଖ୍ୟ ରାସ୍ତାର ରାଜନଗର ତାରିଣୀ ମନ୍ଦିର ନିକଟରେ ଆଜି ଏକ ଟ୍ରକ ଧକ୍କାରେ ରାଜନଗର ଥାନା ଅନ୍ତର୍ଗତ ଶିରିଗଡ ଗାଁର ମହେଶ୍ୱର ରାଉତ (୬୦)ଙ୍କ ମୃତ୍ୟୁ ଘଟିଛି । ସେ ତାଙ୍କର ଜଣେ ସଂପର୍କୀୟଙ୍କ ସହିତ କୌଣସି କାମରେ ଏକ ବାଇକ୍ରେ ରାଜନଗର ଯାଇ ଘରକୁ ଫେରୁଥିଲେ । ମାତ୍ର ବାଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେବାରୁ ମହେଶ୍ୱରଙ୍କ ମୃତ୍ୟୁ ଘଟିଥିଲା । ସେହିପରି ରାଜନଗର-ତାଳଚୁଆ ରାସ୍ତାର ହାତିଆଗଡି ନିକଟରେ ଏକ ବାଇକ୍ ଧକ୍କାରେ ହାତିଆଗଡି ଗାଁର ମେଘୁ ଦାସ (୭୦)ଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଇପୁର-ଜଗତସିଂହପୁର ରାସ୍ତାର ରାହାଡିଙ୍ଗାଠାରେ ସଡ଼କ ଦୁର୍ଘଟଣାରେ ଏକ ପରିବାରର ବଡ଼ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଏବଂ ସାନଭାଇ ଆହତ ହୋଇଛନ୍ତି । ମୃତକ ହେଲେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ନଦା ମହଲାର ଇବରାର୍ ଅଲୀଙ୍କ ବଡ଼ ପୁଅ ମୀର ଆରିଫ୍ ମହମଦ (୧୭) ଏବଂ ଆହତ ହେଲେ ଆରିଫ୍ଙ୍କ ମାଆ ସରଫୁନ ବିବି (୪୫) ଏବଂ ଆରିଫ୍ଙ୍କ ସାନଭାଇ ମୀର ଆତିଫ୍ ମହମଦ (୧୪) । ଘନ କୁହୁଡ଼ି ଯୋଗୁଁ ଆରିଫ୍ ରାସ୍ତାରେ ଥିବା ଏକ ଖାଲକୁ ଦେଖିପାରିନଥିଲେ । ଖାଲରେ ବାଇକ୍ ପଡିଯିବା ପରେ ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍ରେ ଥିବା ଏକ ଚାକୁଣ୍ଡା ଗଛରେ ପିଟି ହୋଇଯାଇଥିଲା । ୩ ଜଣଙ୍କୁ ଜଗତସିଂହପୁର ଡାକ୍ତରଖାନା ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଆରିଫ୍ଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପାରାଦୀପଗଡ଼ ଥାନା ଅନ୍ତର୍ଗତ କାଠଗୋଲା ହାତୀ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ପାରି ହେବା ବେଳେ ବାଇକ୍ ଉପରେ ଟ୍ରକ୍ ମାଡ଼ିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି । ମୃତ ବ୍ୟକ୍ତି ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅଞ୍ଚଳର ତିଥି ଗାଁର ଅଞ୍ଜନ କୁମାର ଦାସ ଓ ଗୁରୁତର ହେଲେ ଛେଡ଼ାକଣି ଗାଁର ଭୀମସେନ ସାହୁ । ଘନ କୁହୁଡ଼ି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ କହିଛି ।