କୁନ୍ଦୁରା, ୧୭।୩(ସୁରେନ୍ଦ୍ର ସଗରିଆ): ଆଗରୁ ଗାଁ ପାଖରେ ଥିଲା କେବଳ ଲଣ୍ଡା ପାହାଡ଼ଟିଏ । ମିଳୁନଥିଲା ଦାନ୍ତକାଠି ଖଣ୍ଡିଏ । ମାଟିଘର ଛପର ଲାଗି ଗ୍ରାମବାସୀଙ୍କୁ ନିର୍ଭର କରିବାକୁ ପଡୁଥିଲା ବୈପାରୀଗୁଡ଼ା ବନାଞ୍ଚଳ ଉପରେ । ୪ ଦଶନ୍ଧି ତଳେ ଏକାଠି ବସିଥିଲେ ୧୦ ଖଣ୍ଡ ଗାଁର ଲୋକ । ସେମାନଙ୍କ ମିଳିତ ଉଦ୍ୟମକୁ ଏବେ ମିଳିଛି ସଫଳତା । ୩୬୪ ହେକ୍ଟର ଲଣ୍ଡା ପାହାଡ଼ ଆଜି ସବୁଜିମାରେ ପରିଣତ ହୋଇଛି । ମେଣ୍ଟାଉଛି ଗାଁ ଲୋକଙ୍କ ଚାହିଦା । ତା’ ସହିତ ଆବଶ୍ୟକ ଖାଦ୍ୟ, ସୁରକ୍ଷିତ ସ୍ଥାନ, ପିଇବା ପାଣି ମିଳୁଥିବାରୁ ଏହା ଏବେ ଶତାଧିକ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପାଲଟିଯାଇଛି । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ପଖନାଗୁଡ଼ା ପଞ୍ଚାୟତ ସଦର ନିକଟରେ ରହିଛି ଏହି ଜଙ୍ଗଲ । ପ୍ରଥମେ ଏହା ଏକ ଲଣ୍ଡା ପାହାଡ଼ ଥିଲା । ଘର ଛପର କରିବାକୁ ଅଞ୍ଚଳବାସୀ ବୈପାରିଗୁଡ଼ା ବନାଞ୍ଚଳର କଲାର ଜଙ୍ଗଲକୁ ଯାଉଥିଲେ କାଠବାଉଁଶ ଆଣିବାକୁ । ସପ୍ତାହେ ଧରି ସେମାନଙ୍କୁ ଘର ବାହାରେ ରହିବାକୁ ପଡୁଥିଲା । ଗଲାବେଳେ ସାଙ୍ଗରେ ରୋଷେଇ ସାମଗ୍ରୀ ଧରି ଯାଉଥିଲେ । ଗାଁ ପାଖ ଜଙ୍ଗଲ ସୁରକ୍ଷା ପାଇଁ ୧୯୮୫ରେ ପଖନାଗୁଡ଼ା ଗାଁରେ ଗଢାଯାଇଥିଲା ଏକ ବନ ସୁରକ୍ଷା କମିଟି ।
ଏହା ବି ପଢ଼ନ୍ତୁ... ଗ୍ୟାସ୍ ପାଇଁ ହାହାକାର: ପ୍ରଶାସନର ତତ୍ପରତା ପରେ ବି ସୁଧୁରୁନି ସ୍ଥିତି, ଡିଲରଙ୍କ ପାଖରେ ଲୋକଙ୍କ ଲମ୍ବା ଲାଇନ୍
ତତ୍କାଳୀନ ଗାଁ ମୁଖିଆ ତଥା ବନ ସୁରକ୍ଷା ସମିତି ସଭାପତି ହୋଇଥିଲେ ପୀତାମ୍ବର ଚୌଧୁରୀ । ଉପସଭାପତି ରଘୁନାଥ ପ୍ରଧାନ, ଭିକାରୀ ପ୍ରଧାନ, ବୃନ୍ଦାବନ ମାଝୀ, ସୁନ୍ଦର ସାନ୍ତା, ଲକ୍ଷ୍ମୀଧର ମାଝୀ, ସୁନାଧର ଘିଉରିଆ, ଡମ୍ବରୁ ନାୟକ, ପଞ୍ଚାନନ ରାଉଳ, ତ୍ରିନାଥ ବିଷୋୟୀ ପ୍ରମୁଖ ଏହାର ମଙ୍ଗୁଆଳ ସାଜିଥିଲେ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆଜି ଆରପାରିରେ । ତଥାପି ସେମାନଙ୍କ ସେଦିନର ଉଦ୍ୟମ ଲଣ୍ଡା ପାହାଡ଼କୁ ଆଜି ଘଞ୍ଚ ଜଙ୍ଗଲରେ ବଦଳାଇ ଦେଇପାରିଛି । ଏବେ ସମିତିରେ ପଖନାଗୁଡ଼ା ସମେତ ମାଙ୍କଡ଼ିଗୁଡ଼ା, କାଳିଆଗୁଡ଼ା, ଟଭାପଦର, ବାମଣଗୁଡ଼ା, ବରଗୁଡ଼ା, ଗୁଞ୍ଜିଗୁଡ଼ା, ପଦମପୁର, ଘାଡଙ୍ଗାଗୁଡ଼ା, ସରାଳଗୁଡ଼ା, କନ୍ଧଗୁଡ଼ା ଆଦି ଗାଁ ରହିଛି । ଏସବୁ ଗାଁରେ ମୋଟ ୪୪୬ ପରିବାର ବସବାସ କରୁଛନ୍ତି । ସମିତି ପଞ୍ଜିକୃତ ହୋଇଛି । ପ୍ରତି ପରିବାରକୁ ସମିତି ସଦସ୍ୟ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଜଙ୍ଗଲ ଜଗିବା ଲାଗି ପୂର୍ବରୁ ଘରପିଛା ମାସିକ ୧୦ ଟଙ୍କା ହିସାବରେ ଚାନ୍ଦା ଆଦାୟ କରାଯାଉଥିଲା । ୩ ଜଣ ଜଗୁଆଳିଙ୍କୁ ମାସିକ ପାରିଶ୍ରମିକ ଆକାରରେ ଦିଆଯାଉଥିଲା ୬ ଶହ ଟଙ୍କା ।
ପରବର୍ତ୍ତୀ ସମୟରେ ବାର୍ଷିକ ୩୦୦ ଟଙ୍କା ପର୍ଯ୍ୟନ୍ତ ପ୍ରତିଘରୁ ଚାନ୍ଦା ଆଦାୟ କରାଯାଇଥିଲା । ସେ ଅନୁସାରେ ଜଗୁଆଳିମାନଙ୍କୁ ଶେଷଥର ପାଇଁ ମାସିକ ୬ ହଜାର ପର୍ଯ୍ୟନ୍ତ ପାରିଶ୍ରମିକ ଦିଆଯାଇଥିଲା । ଗଛ ବଢ଼ିଛି, ସଚେତନ ହୋଇଛି ଲୋକେ । ସମିତିର ବିନା ଅନୁମତିରେ ଗଛପତ୍ର ନେଲେ ଦଣ୍ଡବିଧାନ କରାଯାଇଛି । କେତେକ ଶିକାରୀ ଏହି ଜଙ୍ଗଲରେ ବନ୍ୟପ୍ରାଣୀ ଶିକାର କରି ଜେଲ୍ ଯାଇଥିବା ନଜିର ରହିଛି । ଗତ ୩ ବର୍ଷ ହେଲା ଆଉ ଜଗୁଆଳିଙ୍କ ଆବଶ୍ୟକତା ପଡୁନି । କେବଳ ବାଉଁଶ ଗଜା ସମୟରେ ୨ ମାସ ଜଗୁଆଳି ରଖାଯାଉଛି । ଏବେ ଏହି ଜଙ୍ଗଲରୁ ଔଷଧୀୟ ଗଛ ସମେତ ବିଭିନ୍ନ ଫୁଲଫଳ, କୋଳି, କନ୍ଦା, ଶାଳପତ୍ର, ଶିଆଳିପତ୍ର, ଦାନ୍ତକାଠି ଆଦି ମିଳୁଛି । ଜଙ୍ଗଲରେ ରହିଛି ଅନେକ ଗୁମ୍ଫା ସାଙ୍ଗକୁ ମହୁଫେଣା । ମୟୂରଠାରୁ ଆରମ୍ଭ କରି ଠେକୁଆ, କୁଟ୍ରା, ଭାଲୁ, ବଣକୁକୁଡ଼ା, ବାର୍ହା ବି ରହୁଛନ୍ତି । ଜଙ୍ଗଲ ସୃଷ୍ଟିରେ ବନ ବିଭାଗର ବି ସହଯୋଗ ରହିଛି । ବିଭାଗ ପକ୍ଷରୁ ୧୯୮୭ରେ ଏହି ଜଙ୍ଗଲର ସୀମା ନିର୍ଦ୍ଧାରଣ କରାଯାଇ ଚାରିଆଡ଼େ ସୁରକ୍ଷା ଗାତ(ଟ୍ରେଞ୍ଚ) ଖୋଳାଯାଇଥିଲା । ପାହାଡ଼ ତଳେ ଥିବା ଗ୍ରାମ୍ୟ ଜଙ୍ଗଲ, ପତ୍ରା ଜଙ୍ଗଲର ପ୍ରାୟ ୨ ଶହ ଏକରରେ ଚାରାରୋପଣ ହୋଇଥିଲା । ସେଥିରୁ ୫୦ ଏକରରେ କାଜୁ ଓ ଦେଢ଼ଶହ ଏକରରେ ଆକାଶିଆ, ଚାକୁଣ୍ଡା, ଶାଗୁଆନ, ଅଁଳା ଓ ଅନ୍ୟାନ୍ୟ ଔଷଧୀୟ ଗଛ ରହିଥିଲା ।
ଏବେ ବନସୁରକ୍ଷା ସମିତିର ସଭାପତି ରହିଛନ୍ତି ନରେନ୍ଦ୍ର କୁମାର ପ୍ରଧାନ । ଲବ ସାନ୍ତା, କୃଷ୍ଣ ସାନ୍ତା, ମାସି ସାନ୍ତା, ଗୁପ୍ତ ଦାସ, ଭଗବାନ ଭୂମିଆ, ସତ୍ୟନାରାୟଣ ବିଷୋୟୀ, ଉପେନ୍ଦ୍ର ମହାରଣା, ତ୍ରିନାଥ ବିଷୋୟୀ, ଜଗନ୍ନାଥ ବଳିପୁଟିଆ, ଲକ୍ଷ୍ମୀଧର ଭତରାଙ୍କ ସମେତ ଅନ୍ୟମାନେ ସଦସ୍ୟ ରହିଛନ୍ତି । ସଭାପତି ଶ୍ରୀ ପ୍ରଧାନ କହିଛନ୍ତି, ଘର ପାଇଁ ଆବଶ୍ୟକ କାଠ ଏହି ଜଙ୍ଗଲରୁ ନେବାକୁ ହେଲେ ବି ସମିତିର ନିୟମ ମାନିବାକୁ ପଡ଼ିବ । ସମିତିର ନିଜସ୍ୱ ପାଣ୍ଠି ରହିଛି । ସେଥିରେ ବିଭିନ୍ନ ସାମାଜିକ କାର୍ଯ୍ୟ କରାଯାଉଛି । ଏସ୍ଏଚ୍ଜିଙ୍କୁ ବହୁ କମ୍ ସୁଧରେ ଋଣ ଦିଆଯାଉଛି । ବର୍ତ୍ତମାନ ଆଉ ଘରକୁ ଘର ଯାଇ ଚାନ୍ଦା ଆଦାୟ କରିବାକୁ ପଡ଼ୁନି । ୨୦୦୫ରୁ ସେ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି । ୧୦ ବର୍ଷ ତଳେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ବନ ଅଧିକାରୀ ଜଙ୍ଗଲ ପରିଦର୍ଶନ କରିଥିଲେ । ଜଙ୍ଗଲ ସୁରକ୍ଷା ସଫଳତାକୁ ନେଇ ରାଜ୍ୟସ୍ତରରେ ସମିତି ପୁରସ୍କୃତ ହୋଇଥିଲା । ଗଛ ସବୁବେଳେ ମଣିଷର ଉପକାର କରିଥାଏ । ଗଛକୁ ଦେବତା ରୂପରେ ପୂଜା କରିଥାନ୍ତି । ଗଛ ସୁରକ୍ଷିତ ରହିଲେ ମଣିଷ ସମାଜ ସୁରକ୍ଷିତ ରହିବ ।