ସମ୍ବଲପୁର, ୧୭।୩: ଗ୍ୟାସ୍ ସିଲିଣ୍ଡର ଯୋଗାଣ ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଛି । ତଥାପି ଲୋକେ ବର୍ତ୍ତମାନ ମଧ୍ୟ ଗ୍ୟାସ ସିଲିଣ୍ଡର ପାଇବା ପାଇଁ ଡିଲରଙ୍କ ନିକଟରେ ଲମ୍ବା ଲମ୍ବା ଲାଇନ୍ ଲଗାଉଥିବା ଦେଖାଯାଉଛି । ରନ୍ଧାଶାଳ ବର୍ତ୍ତମାନ ପ୍ରଭାବିତ ହୋଇଥିବା ବେଳେ ବ୍ୟବସାୟୀକ ଅନୁଷ୍ଠାନର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । ବିଶେଷ କରି ଛୋଟ ହୋଟେଲ ଓ ଉଠାଦୋକାନ ଦିନକୁ ଦିନ ବନ୍ଦ ହୋଇ ଚାଲିଛି । ବର୍ତ୍ତମାନ ସହରରେ ଏଭଳି ଅନେକ ଉଠାଦୋକାନ ରହିଛି ଯାହା ଗ୍ୟାସ୍ ସିଲିଣ୍ଡର ଅଭାବ ଯୋଗୁଁ ବନ୍ଦ ହୋଇଯାଇଛି । ଅନ୍ୟପକ୍ଷେ ଗ୍ୟାସ୍ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଖୋଲିଛି ସ୍ୱତନ୍ତ୍ର କଣ୍ଟ୍ରୋଲରୁମ । ବିଭାଗୀୟ ସୂଚନା ଅନୁଯାୟୀ, ଗତ ଦୁଇ ଦିନରେ କଣ୍ଟ୍ରୋଲରୁମକୁ ୧୮ଟି କଲ୍ ଆସିଛି । ସେଥିରୁ ୩ଟି କଲ୍ ବୁକିଂ ଜନିତ ସମସ୍ୟା ଥିବା ବେଳେ ଅନ୍ୟ ୧୫ଟି ବିକିଂ ପରେ ଗ୍ୟାସ ସିଲିଣ୍ଡର ମିଳୁନଥିବା ଅଭିଯୋଗ ରହିଥିଲା । ସେଥି ମଧ୍ୟରୁ ୮ ଜଣଙ୍କ ଗ୍ୟାସ ସିଲିଣ୍ଡର ସମସ୍ୟାର ସମାଧାନ ହୋଇଛି । ଅନ୍ୟମାନଙ୍କର ସମସ୍ୟା ନେଇ ଗ୍ୟାସ ସିଲିଣ୍ଡର ଯୋଗାଣକାରୀ ସଂସ୍ଥାକୁ ସମସ୍ୟାର ସମାଧାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ଅଧିକାରୀ ବିଶ୍ୱରଞ୍ଜନ ସାହୁ ସୂଚନା ଦେଇଛନ୍ତି ।
ଏହା ବି ପଢ଼ନ୍ତୁ... ଜଙ୍ଗଲ ଓ ଚାଷଜମିରେ ଲାଗୁଥିବା ନିଆଁ ପଛରେ 'ମନୁଷ୍ୟକୃତ' ଷଡ଼ଯନ୍ତ୍ର, ସଙ୍କଟରେ ପ୍ରାଣୀସମ୍ପଦ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ସମ୍ବଲପୁରରେ ବର୍ତ୍ତମାନ ରନ୍ଧନ ଗ୍ୟାସ୍ ପାଇବା ପାଇଁ ଆରମ୍ଭ ହୋଇଛି ଧାଁ ଦଉଡ଼ । ଗ୍ୟାସ୍ ବୁକିଂ ପାଇଁ ଓ ପୂର୍ବରୁ ବୁକିଂ ହୋଇଥିବା ଗ୍ୟାସ୍ ସିଲିଣ୍ଡର ପାଇବାକୁ ଲୋକେ ବିଭିନ୍ନ ଡିଲର୍ଙ୍କ ନିକଟରେ ଭିଡ଼ ଜମାଉଛନ୍ତି । ଲୋକଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳୁନି ବୋଲି ଅଭିଯୋଗ କରୁଛନ୍ତି । କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ ରହିଥିବାରୁ ବର୍ତ୍ତମାନ ସମସ୍ତ ହୋଟେଲ ବନ୍ଦ ହେବା ସ୍ଥିତିକୁ ଆସିଲାଣି । ହୋଟେଲ ଗୁଡ଼ିକ ବର୍ତ୍ତମାନ ବିକଳ୍ପ ଇନ୍ଧନ ବ୍ୟବହାର ପାଇଁ ଯୋଜନା କରୁଛନ୍ତି । ଗ୍ୟାସ୍ ସିଲିଣ୍ଡର ପାଇବାକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ତୀଖ୍ଣ ଦୃଷ୍ଟି ରଖିଛି ଓ ନିୟମିତ ଯାଞ୍ଚ କରୁଛି । ଅନ୍ୟ ପକ୍ଷେ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଯୋଗାଣ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ଥିବାରୁ ସଙ୍କଟ ସ୍ଥିତି ଦେଇ ଗତି କରୁଛି ହୋଟେଲ ବ୍ୟବସାୟ । ଗ୍ୟାସ୍ ଯୋଗାଣ ବନ୍ଦ ହେବା ଯୋଗୁଁ କାରବାର କମିଛି । ମହଜୁଦ ଥିବା ଗ୍ୟାସ୍ ସିଲିଣ୍ଡରକୁ ବ୍ୟବହାର କରି ଅଳ୍ପ କିଛି ଖାଦ୍ୟ ରନ୍ଧା ଯାଉଛି । ସ୍ଥିତି ଏମିତି ହୋଇଛି ଯେ, ହୋଟେଲ ପୂର୍ବଭଳି ଚାଲୁନଥିବାରୁ ମାଲିକମାନଙ୍କୁ ଘରଭଡ଼ା ଓ କର୍ମଚାରୀଙ୍କ ଦରମା ପ୍ରଦାନ କରିବା କଷ୍ଟକର ହେଲାଣି ।
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ ମିଶନ କାଫେ ମାଧ୍ୟମରେ ଏକ କେଣ୍ଟିନ୍ ଚାଲିଛି । ଉକ୍ତ କେଣ୍ଟିନ୍ ଉପରେ ପ୍ରାୟତଃ ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି । କେଣ୍ଟିନ୍ ପରିଚାଳନା କରୁଥିବା ମାନିନି ସେନାପତି ପ୍ରକାଶ କରିଛନ୍ତି ଯେ, ଗ୍ୟାସ୍ ସିଲିଣ୍ଡର ଯୋଗାଣ ବନ୍ଦ ହେବାପରେ କେଣ୍ଟିନ୍ ଚଲାଇବା କଷ୍ଟକର ହେଲାଣି । ବର୍ତ୍ତମାନ ବିକଳ୍ପ ଭାବେ କାଠ ଯୋଗାଡ଼ କରି ରନ୍ଧା କାର୍ଯ୍ୟ ଚାଲିଛି । ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଦୀର୍ଘ ବର୍ଷ ହେଲା ଚା ଠେଲା କରି ପରିବାର ପୋଷଣ କରୁଥିବା ହରିଶ୍ଚନ୍ଦ୍ର ସାହୁ ଗ୍ୟାସ ସିଲିଣ୍ଡର ଅଭାବ ଯୋଗୁଁ ଆଜି ଠାରୁ ତାଙ୍କର ଠେଲା ବନ୍ଦ କରିଛନ୍ତି । ଅନ୍ୟ ବିକଳ୍ପ ନଥିବାରୁ ଗ୍ୟାସ ସିଲିଣ୍ଡର ମିଳିଲେ ଯାଇ ଠେଲା ଖୋଲିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । କେବଳ ଏହି ଦୁଇ ବ୍ୟବସାୟୀକ ଅନୁଷ୍ଠାନ ନୁହେଁ ସହରରେ ଏଭଳି ଅନେକ ଛୋଟ ଛୋଟ ହୋଟେଲ ଓ ଠେଲା ବର୍ତ୍ତମାନ ବନ୍ଦ ହେଉଥିବା ଦେଖିବାକୁ ମିଳିଛି ।