୧୦୪ ବର୍ଷ ପୂର୍ବେ, ମଧୁମେହ, ବିଶେଷକରି ଟାଇପ୍ ୧ ଏକ ମାରାତ୍ମକ ରୋଗ ଭାବେ ବିବେଚନା କରାଯାଉଥିଲା । ସେହି ସମୟରେ, ପିଲାଙ୍କଠାରେ ଏହି ରୋଗ ହେବା ଏକ "ମୃତ୍ୟୁଦଣ୍ଡ" ସହ ସମାନ । ଏହି ରୋଗରେ ପୀଡ଼ିତ ପିଲାମାନେ ଅତ୍ୟନ୍ତ ଦୁର୍ବଳ ହୋଇଯାଉଥିଲେ, ମାତ୍ର କିଛି ମାସ ମଧ୍ୟରେ ତାଙ୍କର ମୃତ୍ୟୁ ହେଉଥିଲା । ୧୯୨୨ ମସିହାରେ, ଏହାର ଚିକିତ୍ସାରେ ଏକ ଚମତ୍କାର ଘଟିଲା, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ନୂଆ ଜୀବନ ଦେଲା । ଆଜି ମଧୁମେହ ପୀଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ପ୍ରଭାବୀ ସାବ୍ୟସ୍ତ ହୋଇଛି ଇନସୁଲିନ୍ । ବିଶ୍ୱର ପ୍ରଥମ ଇନସୁଲିନ୍ ଇଞ୍ଜେକ୍ସନ କିପରି ସୃଷ୍ଟି ହୋଇଥିଲା ଆସନ୍ତୁ ଜାଣିବା ।
ଇନସୁଲିନ୍ ଆବିଷ୍କାରର କାହାଣୀ କାନାଡ଼ାର ଟୋରଣ୍ଟୋରୁ ଆରମ୍ଭ ହୁଏ । ୧୯୨୧ ମସିହାରେ ବୈଜ୍ଞାନିକ ଫ୍ରେଡେରିକ୍ ବାଣ୍ଟିଂ ଏବଂ ଚାର୍ଲ୍ସ ବେଷ୍ଟ କୁକୁରମାନଙ୍କ ଉପରେ ପରୀକ୍ଷଣ କରିଥିଲେ । ସେମାନେ ପ୍ରମାଣ କରିଥିଲେ ଯେ, ଗାଈର ଅଗ୍ନାଶୟରୁ ବାହାର କରାଯାଇଥିବା ଏକ ନିର୍ଦ୍ଦିଷ୍ଟ ହରମୋନ୍ ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିପାରିବ । ଏହି ହରମୋନ୍ ଆଜି ଇନସୁଲିନ୍ ଭାବେ ପରିଚିତ । ୧୧ ଜାନୁଆରୀ ୧୯୨୨ରେ, ଟୋରଣ୍ଟୋ ଜେନେରାଲ ହସ୍ପିଟାଲରେ, ୧୪ ବର୍ଷୀୟ ଲିଓନାର୍ଡ ଥମ୍ପସନ ପ୍ରଥମ ଇନସୁଲିନ୍ ଇଞ୍ଜେକ୍ସନ ନେଇଥିଲେ । ଲିଓନାର୍ଡ ଟାଇପ୍ ୧ ମଧୁମେହରେ ପୀଡ଼ିତ ଥିଲେ । ସେ ପ୍ରଥମେ ଯେଉଁ ଇନସୁଲିନ୍ ନେଇଥିଲେ ତାହା ସମ୍ପୂର୍ଣ୍ଣ ଶୁଦ୍ଧ ନଥିଲା, ଯାହା ଫଳରେ ତାଙ୍କ ଶରୀରରେ ଏହି ଇନସୁଲିନ୍ ପ୍ରତିକ୍ରିୟା ହୋଇଥିଲା । ଏହି ସମସ୍ୟାର ସମାଧାନ ପାଇଁ, ଟିମ୍ର ଅନ୍ୟ ଜଣେ ସାଥୀ ଜେମ୍ସ କଲିପ୍ ଇନସୁଲିନ୍ ବିଶୋଧନ କରିବାର ଏକ ପଦ୍ଧତି ବିକଶିତ କରିଥିଲେ । ଲିଓନାର୍ଡଙ୍କୁ ଜାନୁଆରୀ ୨୩, ୧୯୨୨ରେ ଦ୍ୱିତୀୟ ଇଞ୍ଜେକ୍ସନ ଦିଆଯାଇଥିଲା ଏବଂ ଏଥର ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହେଲା । ଲିଓନାର୍ଡଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଗତିରେ ଉନ୍ନତି ଦେଖାଦେଲା । ତାଙ୍କ ରକ୍ତରେ ଶର୍କରା ସ୍ତର ସ୍ୱାଭାବିକ ହୋଇଥିଲା ଏବଂ ସେ ବହୁ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ ।
ପ୍ରାରମ୍ଭିକ ସ୍ତରରେ ପ୍ରାଣୀଙ୍କ ଅଗ୍ନାଶୟରୁ ଇନସୁଲିନ୍ ବାହାର କରାଯାଉଥିଲା । କିନ୍ତୁ, ଏହାର ଦୁଇଟି ପ୍ରମୁଖ ସମସ୍ୟା ଥିଲା । ପ୍ରଥମଟି ହେଉଛି, ଇନସୁଲିନ୍ର ଅଭାବ ଏବଂ ଦ୍ୱିତୀୟତଃ ପ୍ରାଣୀମାନଙ୍କଠାରୁ ତିଆରି ଇନସୁଲିନ୍ ମଣିଷଙ୍କ ଶରୀରରେ ପ୍ରତିକ୍ରିୟା ସୃଷ୍ଟି କରୁଥିଲା । ୧୯୭୮ ମସିହାରେ ଏହି ସମସ୍ୟାର ସମାଧାନ ବାହାରିଲା । ଆମେରିକୀୟ କମ୍ପାନୀ ଜେନେଣ୍ଟେକର ବୈଜ୍ଞାନିକମାନେ ଏକ ବିପ୍ଳବୀ ପ୍ରଯୁକ୍ତିବିଦ୍ୟା ବିକଶିତ କଲେ । ସେମାନେ ମାନବ ଇନସୁଲିନ୍ ଉତ୍ପାଦନ କରୁଥିବା ଜିନ୍ କୁ ଇ. କୋଲାଇ ନାମକ ଜୀବାଣୁରେ ପ୍ରବେଶ କରାଇଲେ । ଫଳରେ ଜୀବାଣୁମାନେ ନିଜେ ମାନବ ଇନସୁଲିନ୍ ଉତ୍ପାଦନ କରିବା ଆରମ୍ଭ କଲେ । ପରେ ଇଷ୍ଟରୁ ଇନସୁଲିନ୍ ଉତ୍ପାଦନ ପାଇଁ ଏକ ପ୍ରଯୁକ୍ତିବିଦ୍ୟା ବିକଶିତ ହେଲା ଏବଂ ଆଜି ଏହି ଇନସୁଲିନ୍ ସାରା ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହେଉଛି ।