ଭୁବନେଶ୍ୱର,୧୯/୧୧ : ଚଳଚ୍ଚିତ୍ର ଆମର ସାମାଜିକ-ସାଂସ୍କୃତିକ ଜୀବନର ପ୍ରକୃତ ପ୍ରତିଛବିକୁ ପ୍ରତିଫଳିତ କରେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । କଳାଭୂମିରେ ଅନୁଷ୍ଠିତ ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । ସମବାୟ, ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଧ୍ୟ ଏହି କର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ସେଗୁଡ଼ିକୁ ସଂରକ୍ଷଣ କରିବା ଆମର ଦାୟିତ୍ୱ ।
ରାଜ୍ୟ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଏବଂ ଚଳଚ୍ଚିତ୍ର ଐତିହ୍ୟ ଫାଉଣ୍ଡେସନ୍ ମଧ୍ୟରେ ଏକ ଏମ୍ଓୟୁ ହୋଇଛି। ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଏବଂ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ନିର୍ଦ୍ଦେଶକ ଶିବେନ୍ଦ୍ର ସିଂହ ଡୁଙ୍ଗରପୁର ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।
୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା ନଭେମ୍ବର ୧୨ରୁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍, ଇଣ୍ଟରନ୍ୟାସନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଅଭିଲେଖାଗାର ଏବଂ ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା। କଳାଭୂମିସ୍ଥିତ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟରେ ଆରମ୍ଭ ହୋଇଥିବା ଏହି କର୍ମଶାଳା ଆଜି ଶେଷ ହୋଇଛି । କର୍ମଶାଳାରେ ଯୋଗଦେଇଥିବା ସମସ୍ତ ୫୯ ଜଣ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ଏବଂ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ଚଳଚ୍ଚିତ୍ର ନୀତିରେ ଏବଂ ବର୍ତ୍ତମାନ ସରକାରଙ୍କ ‘ବିକଶିତ ଭାରତ ୨୦୪୭’ ପାଇଁ ‘ବିକଶିତ ଓଡ଼ିଶା-୨୦୩୬’ ଲାଗି ସରକାରଙ୍କ ପରିକଳ୍ପିତ ‘ଓଡ଼ିଶା ଭିଜନ୍’ରେ ଚଳଚ୍ଚିତ୍ର ଅଭିଲେଖାଗାର ପ୍ରତିଷ୍ଠା ଯୋଜନା ରହିଛି । ମାତ୍ର ଏ ଯାଏ କାର୍ଯ୍ୟକାରୀ ହୋଇନାହିଁ । ୧୦ମ ଚଳଚ୍ଚିତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର କର୍ମଶାଳା-୨୦୨୫ ଉଦ୍ଘାଟନୀ ପର୍ବରେ ବିଗ୍ ବି ଅମିତାଭ ବଚ୍ଚନ ଆଭାସୀରେ ଯୋଡ଼ି ହୋଇ ଓଡ଼ିଆ ଚଳଚ୍ଚିତ୍ର ସଂରକ୍ଷଣ ନୀତି ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଓଡ଼ିଶାର ସମୃଦ୍ଧ ଚଳଚ୍ଚିତ୍ର ପରମ୍ପରାର ସୁରକ୍ଷା ଦୃଷ୍ଟିରୁ ସିନେମା ବଞ୍ଚାଇବା ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।