କମ୍ବିଂ ବେଳେ ଯବାନଙ୍କ ହାତରେ ଧରାପଡିଲେ ୧୧ ସନ୍ଦିଗ୍ଧ, ୪ ଦେଶୀ ବନ୍ଧୁକ ଜବତ

ଫୁଲବାଣୀ,୧୯/୩ କୋଟଗଡ ଥାନା ଅନ୍ତର୍ଗତ ମାଦାଗୁଡା ପଞ୍ଚାୟତ ହରିପୁର ବୁଢ଼ା ପାହାଡ଼ରେ ସିଆରପିଏଫ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ୧୧ ଜଣ ସନ୍ଦିଗ୍ଧ ବ୍ୟକ୍ତି ଧରା ପଡିଛନ୍ତି। ସେମାନଙ୍କ ଠାରୁ ୪ଟି ଦେଶୀ ବନ୍ଧୁକ,୩ଟି ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି,୨ଟି ମୋବାଇଲ ଫୋନ ଜବତ ହୋଇଛି। ତେବେ ସେମାନେ ମାଓବାଦୀ କି ନୁହନ୍ତି ସେ ନେଇ ଅନୁଧ୍ୟାନ କରୁଛନ୍ତି ସିଆରପିଏଫ ଅଧିକାରୀ।
ସିଆରପିଏଫ-୮ ବାଟାଲିୟନର ଯବାନମାନେ ନିଜର ଦୈନିକ ରୁଟିନ ଅନୁଯାୟୀ ମାଦାଗୁଡା ପଂଚାୟତର ଜରିଘାଟି ଗାଁ ନିକଟରେ କମ୍ବିଂ କରୁଥିବା ବେଳେ ସନ୍ଦେହଜନକ ଅବସ୍ଥାରେ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ । ଯବାନମାନେ ସେମାନଙ୍କୁ କାବୁ କରିବା ସହ ସେମାନଙ୍କ ଠାରୁ ବହୁ ସାମଗ୍ରୀ ଜବତ କରିଛନ୍ତି। ଏହି ଲୋକମାନେ କିଏ ଓ ସେମାନଙ୍କର ମାଓବାଦୀଙ୍କ ସହ ସମ୍ପର୍କ ରହିଛି କି ନାହିଁ, ତାର ଖୋଳତାଡ ଜାରି ରହିଛି।