ପାରାଦୀପ ହେବ ବିକାଶର ଇଞ୍ଜିନ: ୧୧ ହଜାର କୋଟିର ପ୍ରକଳ୍ପ ଉଦ୍ଘାଟିତ

ପାରାଦୀପ,୬ା୨(ଆପ୍ର): ‘ଓଡ଼ିଆମାନେ ଆଉ ନିଯୁକ୍ତି ମାଗିବେନି ବରଂ ନିଯୁକ୍ତି ଦେବେ’ ବୋଲି ଦୃଢୋକ୍ତି ବାଢିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରାଦୀପର ଜଣେ ଯୁବ ଉଦ୍ୟୋଗୀ କରିବାକୁ ଥିବା ପ୍ଲାଷ୍ଟିକ୍ ବ୍ୟାଗ୍ ନିର୍ମାଣ କାରଖାନାର ଉଦାହରଣ ଦେବା ବେଳେ ଓଡ଼ିଆମାନେ ଏଣିକି କିଭଳି ନିଯୁକ୍ତି ସୃଷ୍ଟି କରିବେ ସେ ଦିଗରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଆଲୋକପାତ କରିଥିଲେ । ସେହିପରି, କେନ୍ଦ୍ର ସଡ଼କ ଓ ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡ଼କରି ଆଗକୁ ହେବାକୁ ଥିବା ପ୍ରସ୍ତାବିତ ବ୍ରାହ୍ମଣୀ-ମହାନଦୀର ୨୬୧ କିଲୋମିଟର ଜଳପଥ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବ ବୋଲି ମତ ବାଢ଼ିଥିଲେ । ‘ବନ୍ଦର ନଗର ପାରଦୀପକୁ ନିବେଶର ସୁଅ ଛୁଟିଛି । ତେଣୁ ପାରାଦୀପ ବନ୍ଦର ଭବିଷ୍ୟତରେ ୧ ନମ୍ବର ବନ୍ଦର ହେବ । କେବଳ ଏକ ନମ୍ବର ହେବନି, ଓଡ଼ିଶା ବିକାଶରେ ପାରାଦୀପ ଗ୍ରୋଥ୍ ଇଞ୍ଜିନ ହେବ’ ବୋଲି କହିଥିଲେ ମନ୍ତ୍ରୀ ଶ୍ରୀ ଗଡ଼କରି । ଆଜି ୧୧ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିବା ସହ କିଛି ପ୍ରକଳ୍ପର ଭିତ୍ତିପ୍ରସ୍ତର ପକାଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ।
ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ମେଗା ପ୍ରୋଜେକ୍ଟ ଅନାବରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଲାଇଟ୍ ହାଉସ୍ ପାଖରେ ଥିବା ଅସ୍ଥାୟୀ ଏୟାରଷ୍ଟ୍ରିପ୍ରୁ ଉଭୟ ସିଧାସଳଖ ସଭାସ୍ଥଳକୁ ଆସିଥିଲେ । ଆଇଓସିଏଲ୍ ଅଧ୍ୟକ୍ଷ ସଞ୍ଜିବ ସିଂ, ପାରାଦୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ ଓ ଇଷ୍ଟ୍କୋଷ୍ଟ ରେଲୱେର ମହାପ୍ରବନ୍ଧକ ପୂର୍ଣ୍ଣେନ୍ଦୁ ଶେଖର ମିଶ୍ର ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପାରାଦୀପ ବିଧାୟକ ଡା.ଦାମୋଦର ରାଉତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପାରାଦୀପ ବନ୍ଦରରେ ଦିନକୁ ଦିନ ପୁଞ୍ଜିନିବେଶ ବଢୁଥିବା ବେଳେ ସ୍ଥାନୀୟ ଲୋକେ ନିଯୁକ୍ତି ପାଉନଥିବା ହେତୁ ସମସ୍ୟା ସୃଷ୍ଟି ହେଉଥିବା ଡା.ରାଉତ ତାଙ୍କ ଭାଷଣରେ ଅଭିଯୋଗ ଉଠାଇଥିଲେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଅଭିଭାଷଣରେ ପାରାଦୀପ ବନ୍ଦରକୁ ଭାରତର ଏକ ନମ୍ବର ବନ୍ଦରରେ ପରିଣତ କରିବାକୁ ଥିବା ସ୍ୱପ୍ନ ବାସ୍ତବରେ ପରିଣତ ହେବା ଆଉ ବେଶୀଦିନ ନୁହେଁ ବୋଲି କହିଥିଲେ । ସେ କହିଥିଲେ, ଆଇଓସିଏଲ୍ ଓ ପାରାଦୀପ ବନ୍ଦର ଜମିହରାଙ୍କ ପାଇଁ ରାଜ୍ୟ ସରକାର ଓ ବନ୍ଦର, ଆଇଓସିଏଲ୍ କର୍ତ୍ତୃପକ୍ଷ ମିଳିତ ଭାବେ କାମ କରିବା ଆବଶ୍ୟକ । ହେଲେ ଏହି ସମସ୍ୟା ସମାଧାନ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କଠାରୁ ଦୁଇପାଦ ଆଗରେ ରହିବେ । ସାଗରମାଳା ପ୍ରୋଜେକ୍ଟରେ ୪୧୫ କିଲୋମିଟର ରାଜରାସ୍ତାର ନିର୍ମାଣ ହେବ ରାଜ୍ୟ ପାଇଁ ଶ୍ରେଷ୍ଠ ଅବଦାନ । ଦୀଘା, ଚାନ୍ଦିପୁର, ପାରାଦୀପ, ପୁରୀ ଦେଇ ଏହି ରାସ୍ତା ଆନ୍ଧ୍ରକୁ ଛୁଇଁବ । ସେହିଭଳି ଦୈତାରୀ-ପାରାଦୀପ ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ହେଲେ ରାଜ୍ୟ ସରକାରଙ୍କ ଅସହଯୋଗ ମନୋଭାବ ପାଇଁ ଏସବୁ ପ୍ରକଳ୍ପ ଆଗେଇ ପାରୁନଥିବା ମନ୍ତ୍ରୀ ଶ୍ରୀ ପ୍ରଧାନ ଅଭିଯୋଗ ଆଣିଥିଲେ । ଯଦି ରାଜ୍ୟର ପ୍ରଗତିରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଥାଏ ତେବେ ଆଜି ହିଁ ନିଜ ଅଫିସରମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କେନ୍ଦ୍ରକୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦିଅନ୍ତୁ ବୋଲି ସେ କହିଥିଲେ । ପାରାଦୀପକୁ ମୁମ୍ବାଇରେ ପରିଣତ କରିବାକୁ ରେଳପଥ, ସଡ଼କପଥ, ଆକାଶପଥ ଓ ଜଳପଥ ସବୁକ୍ଷେତ୍ରରେ ଗମନାଗମନ ସୁବିଧା ଓ ସହଜ କରାଯିବା ନେଇ ସମସ୍ତ ପଦକ୍ଷେପ କେନ୍ଦ୍ର ସରକାର ନେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପୂର୍ବରୁ ପାରାଦୀପ ପୋର୍ଟର ବ୍ୟବସାୟ ୬୮ ମିଲିୟନ ମେଟ୍ରିକ୍ ଟନ୍ ଥିଲା । ମାତ୍ର ମୋଦି ସରକାର ଦାୟିତ୍ୱରେ ଆସିବା ପରେ ଗଡ଼କରିଙ୍କ ଦୂରଦୃଷ୍ଟି କାରଣରୁ ଏବଂ ଯୋଗ୍ୟ ଅଧିକାରୀଙ୍କ ପରିଶ୍ରମ ବଳରେ ପାରାଦୀପ ପୋର୍ଟ ଭାରତବର୍ଷର ଏକ ନମ୍ବର ହେବାକୁ ଯାଉଛି । ବନ୍ଦରର ବ୍ୟବସାୟ ୬୮ରୁ ୧୧୦ ମିଲିୟନ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ବଢ଼େଇବାର ସୌଭାଗ୍ୟ ଏହି ଟିମ୍କୁ ମିଳିଛି ।
ପରେ ୨ ଶହ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ବିଶ୍ୱସ୍ତରୀୟ ଏୟାରପୋର୍ଟ ପ୍ରକଳ୍ପ ପାଇଁ ଆଇଓସିଏଲ୍, ପିପିଟି ଓ ଏୟାରପୋର୍ଟ ଅଥରିଟି ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ହଜାରେ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ଉପକରଣ ଆଲିଙ୍ଗକେ ଓ ଇଣ୍ଡିଆନ୍ ଅଏଲ୍ ସହଭାଗିତାରେ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିଲା । ୫ ଜଣଙ୍କୁ ଏହି ଅବସରରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରି ଉପକରଣ ବାଣ୍ଟିଥିଲେ । ଏହାପରେ ମୁଖ୍ୟ ଅତିଥି ଶ୍ରୀ ଗଡ଼କରି ୪ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହ ୯ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।
ପାରାଦୀପ ବନ୍ଦରର ମଲଟି ପରପୋଜ୍ ବର୍ଥ, ଅଠରବାଙ୍କି ଆର୍ଆର୍ଆଇ ଓ ରେଲୱ ଷ୍ଟେସନ ବିଲ୍ଡ଼ିଂ, ଏମ୍ସିଏଚ୍ପିରେ ମେକାନାଇଜ୍ଡ଼ କୋଲ୍ ହ୍ୟାଣ୍ଡଲିଂ ପ୍ଲାଣ୍ଟ ଓ ଡ଼ଷ୍ଟ ସସ୍ପେନସନ୍ ସିଷ୍ଟମ, ରୁଫ୍ ଟପ୍ ସୋଲାର୍ ପାୱାର ଜେନେରେସନ(୧୬୫ କିଲୋୱାଟ୍ ବିଶିଷ୍ଟ) ନବ ନିର୍ମିତ ପ୍ରକଳ୍ପ ଗୁଡ଼ିକୁ ରିମୋଟ୍ ସାହାଯ୍ୟରେ ସଭାସ୍ଥଳରୁ ଉଦ୍ଘାଟନ କରିଥିଲେ । ଏଥସହ ଇଷ୍ଟ କ୍ୱେ ୧, ୨ ଓ ୩ ବର୍ଥର ଯାନ୍ତ୍ରୀକରଣ, ନୂଆ କୋଲ୍ ବର୍ଥର ହାଣ୍ଡଲିଂ ଓ ଉନ୍ନତିକରଣ, ସାଉଥ୍ ଅଏଲ୍ ଜେଠିରେ ଏଲ୍ପିଜି ଟର୍ମିନାଲ୍ ନିର୍ମାଣ, ଆଇଓଏଚ୍ପି ଓ ଏମ୍ସିଏଚ୍ପିର ସଂଯୋଗୀକରଣ, ଫ୍ଲାଇ ଓଭର ଦ୍ୱାରା ଦ୍ୱିତୀୟ ଏକଜିଟ୍ ପଏଣ୍ଟ ନିର୍ମାଣ, ମହାନଦୀ ମାଉଥ୍ଠାରେ ଡ଼୍ରେଜିଂ କାର୍ଯ୍ୟ, ୩୫୦ଟି ନୂତନ କ୍ୱାଟର ନିର୍ମାଣ, ମଲ୍ଟି ମୋଡ଼ାଲ୍ ଲଜିଷ୍ଟିକ୍ ପାର୍କ, କଣ୍ଟେନର ସ୍କାନରର ନିର୍ମାଣ ନେଇ ୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ ।