ଭୁବନେଶ୍ୱର, ୧୭/୦୯: ରାଜଧାନୀରୁ ନିଖୋଜ କେନ୍ଦୁଝରରୁ ମିଳିଲା ମୃତଦେହ।  ୧୨ ଦିନ ପରେ ମହିଳା ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ ଠାବ ହୋଇଛି। କେନ୍ଦୁଝର ଜିଲ୍ଲା ଘଟଗାଁ ଜଙ୍ଗଲରେ ମୃତଦେହ ପଡିଥିବା ଜଣାପଡ଼ିଛି।

ଗତ ୬ ତାରିଖ ସକାଳେ ଶୁଭମିତ୍ରା ଅଫିସ୍‌ ଆସିଥିଲେ । ଦ୍ୱିପହର ଖାଇବାକୁ ସେ ଅପରାହ୍ଣ  ପ୍ରାୟ ୨ଟା ବେଳକୁ ଘରକୁ ଯାନ୍ତି । ସେଦିନ ଘରକୁ ଯାଇନଥିଲେ । କାର୍ଯ୍ୟ ବ୍ୟସ୍ତ ଥିବେ ବୋଲି ପରିବାର ଲୋକ ଭାବିଥିଲେ । କିନ୍ତୁ ସନ୍ଧ୍ୟା ୭ଟା ଯାଏ  ସେ ଘରକୁ ନ ଫେରିବାରୁ ପରିବାର ଲୋକ ଅଫିସ ସହ ଯୋଗାଯୋଗ  କରିଥିଲେ । ଅପରାହ୍ଣ ସାଢ଼େ ୧ଟାରେ ଶୁଭମିତ୍ରା ଘରକୁ ଖାଇବାକୁ ଆସିଥିବା ଶୁଣି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ସେହିଦିନ ରାତିରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ପୁଲିସ  ଶୁଭମିତ୍ରାଙ୍କ ଫଟୋ ଓ ସବୁ ଥାନାକୁ ପଠାଇଥିଲା । ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପୁଲିସ ଲୋକେସେନ ଟ୍ରାକ କରିପାରୁନି । ନିଖୋଜ ଅଭିଯୋଗ ପରେ ପୁଲିସ ନିଖୋଜ ପୋଷ୍ଟର ମାରିଥିଲା। ଶୁଭମିତ୍ରାଙ୍କ ସମ୍ପର୍କରେ ସୂଚନା  ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ସେପଟେ ତାଙ୍କ ବାପା ଅଭିଯୋଗ କରିଥିଲେ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଦୀପକ ନାମକ ଜଣେ ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କ ଝିଅର ସମ୍ପର୍କ ଥିଲା । ସେ ହିଁ ତାଙ୍କ ଝିଅକୁ କେଉଁଆଡ଼େ ନେଇ ଯାଇଥାଇପାରନ୍ତି।

ବାପାଙ୍କ ଅଭିଯୋଗ ପରେ ପୁଲିସ ମାମଲାରେ ଛାନ୍‌ଭିନ୍ କରିଥିଲା । ମହିଳା କନେଷ୍ଟବଳ କଲ୍ ଡିଟେଲ୍‌ସରୁ  ଅଭିଯୁକ୍ତ ଦୀପକ ବାବଦରେ ଜାଣିବାକୁ ପାଇଥିଲା  । ପରେ ତାଙ୍କୁ ମାରାଥନ ଜେରା କରିଥିଲା । ଏହି ଜେରା ସମୟରେ ଦୀପକ ସବୁ ସତ ମାନିଥିବା କୁହାଯାଉଛି। ପ୍ରେମିକ କନେଷ୍ଟବଳ ଜଣକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଏକ ଜଙ୍ଗଲରେ ଫିଙ୍ଗିଥିବା ଜଣାପଡିଛି । ଏହାପରେ କମିଶନରେଟ ପୁଲିସ ମୃତଦେହ ଠାବ ପାଇଁ କେନ୍ଦୁଝର ପୁଲିସ ସହାୟତା ଲୋଡ଼ିଥିବା ସୂଚନା ମିଳିଛି । କମିଶନରେଟ ପୁଲିସର ଏକ ସ୍ପେଶାଲ ସ୍କ୍ୱାଡ୍ କେନ୍ଦୁଝର ଅଭିମୁଖେ ବାହାରିଥିବା ଜଣାପଡିଛି ।