PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ନୂଆ ଦେବୋତ୍ତର ନିୟମର ଦାଉ; ସଂକଟରେ ୧୨ହଜାର ଧର୍ମାନୁଷ୍ଠାନ

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦେବୋତ୍ତର ଆଇନରେ ପରିବର୍ତ୍ତନ କରି ହିନ୍ଦୁ ଧର୍ମାନୁଷ୍ଠାନର ହିତ ଚିନ୍ତା କଲେ ସରକାର । କିନ୍ତୁ ତାହା ଏବେ ବୁମେରାଂ ପାଲଟିଛି । ଏହି ଆଇନର ଛିଦ୍ର ଉଣ୍ଡି ଅସାଧୁ ସରକାରୀ କର୍ମଚାରୀ ଓ ଜମିମାଫିଆ ଠାକୁରଙ୍କ ସମ୍ପତ୍ତି ହଡ଼ପ ଦିଗରେ ଲାଗି ପଡ଼ିଛନ୍ତି ।

ଦେବୋତ୍ତର ବିଭାଗ ସ୍କିମ୍‌ ମୁତାବକ ରାଜ୍ୟରେ ପଞ୍ଜୀକୃତ ପାଖାପାଖି ୧୨ ହଜାର ହିନ୍ଦୁ ଧର୍ମାନୁଷ୍ଠାନ ପରିଚାଳନା କ୍ଷେତ୍ରରେ ଏବେ ସଂକଟ ଉପୁଜିଛି । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଅନ୍ୟ ଧର୍ମାନୁଷ୍ଠାନରେ ପରିଚାଳନା କମିଟି ଗଠନ ହେବାରେ ଅଚଳାବସ୍ଥା ଦେଖାଦେଇଛି । ଫଳରେ ଧର୍ମାନୁଷ୍ଠାନର ରୀତିନୀତି ଓ ନିଷ୍ପତ୍ତି ଗ୍ରହଣ କ୍ଷେତ୍ର ଏଥିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି । ହିନ୍ଦୁ ଧର୍ମାନୁଷ୍ଠାନ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳିତ ନୂଆ ଖସଡ଼ା ଠିକଣା ଭାବେ ପ୍ରବର୍ତ୍ତନ ନ ହେବା ଫଳରେ ଏଭଳି ଅବସ୍ଥା ଉପୁଜିଛି ବୋଲି ବୁଦ୍ଧିଜୀବୀଗଣ ମତ ଦେଇଛନ୍ତି ।

ଦେବୋତ୍ତର ବିଭାଗ ଅଧୀନରେ ରାଜ୍ୟରେ ପ୍ରାୟ ୫୦ ହଜାର ହିନ୍ଦୁ ଧର୍ମାନୁଷ୍ଠାନ ପରିଚାଳିତ ହେଉଛି । ଦେବୋତ୍ତର ଆଇନର ୪୨ ଧାରା ମୁତାବକ ସେଥିରୁ ପ୍ରାୟ ୧୨ ହଜାର ଧର୍ମାନୁଷ୍ଠାନରେ ଦେବୋତ୍ତର ବିଭାଗୀୟ ସ୍କିମ୍‌ ମୁତାବକ ପରିଚାଳିତ ହେଉଛି । ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ସ୍କିମ୍‌ ପ୍ରଣୟନ କରାଯାଇ ଟ୍ରଷ୍ଟ ବୋର୍ଡ ଗଠନ କରାଯାଉଛି । ତେବେ ସରକାର ଏକ ଗେଜେଟ୍‌ ନୋଟିଫିକେସନ୍‌ ନମ୍ବର-୨୦୬୪/୧୮ ମୁତାବକ ଦେବୋତ୍ତର ଆଇନର ଧାରା ୪୨ ଓ ୪୪ରେ ପରିବର୍ତ୍ତନ କରିଛନ୍ତି । ଧାରା ୪୨ ମୁତାବକ ସ୍କିମ୍‌ ଓ ପରିଚାଳନା କମିଟି ଗଠନ ଦେବୋତ୍ତର ସହକାରୀ କମିଶନରଙ୍କ କ୍ଷମତା ପରିସରଭୁକ୍ତ ଥିଲା । ସହକାରୀ ଆୟୁକ୍ତ ସଂପୃକ୍ତ ଧର୍ମାନୁଷ୍ଠାନ ଅଞ୍ଚଳର ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଚୟନ କରି ଟ୍ରଷ୍ଟ ବୋର୍ଡ କିମ୍ବା ପରିଚାଳନା କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଉଥିଲେ । ଏଥିରେ କୌଣସି ବାଦବିବାଦ ଦେଖାଗଲେ ଧାରା ୪୪ ମୁତାବକ ଦେବୋତ୍ତର କମିଶନର ନିକଟରେ ଆପତ୍ତି ହେଉଥିଲା । ଦେବୋତ୍ତର କମିଶନର ସ୍ୱାଧୀନ ଓ ନିରପେକ୍ଷ ଭାବେ ଏହାର ବିଚାର କରି କମିଟି ଗଠନର ଚୂଡ଼ାନ୍ତ ନିଷ୍ପତ୍ତି ନେଉଥିଲେ ।

୨୦୧୮ ନଭେମ୍ବରରେ ସରକାର ଉପରୋକ୍ତ ଧାରାରେ ପରିବର୍ତ୍ତନ କରିଛନ୍ତି । ଏଥିରେ ଦେବୋତ୍ତର କମିଶନରଙ୍କ ଆଇନଗତ କ୍ଷମତାକୁ ସଂକୁଚିତ କରି ଦିଆଯାଇଛି । କୌଣସି ହିନ୍ଦୁ ଧର୍ମାନୁଷ୍ଠାନର ଟ୍ରଷ୍ଟ ବୋର୍ଡ କିମ୍ବା ପରିଚାଳନା କମିଟି ଗଠନ କ୍ଷେତ୍ରରେ ବିଭାଗୀୟ ସହକାରୀ ଆୟୁକ୍ତ ସିଧାସଳଖ ନିଷ୍ପତ୍ତି ନେଇପାରିବେ ନାହିଁ । ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ହେଲେ ଜିଲ୍ଲା ପ୍ରଶାସନର ସହମତି ନେବାକୁ ପଡ଼ିବ ବୋଲି ନୂଆ ଖସଡ଼ାରେ ଉଲ୍ଲେଖ ରହିଛି । ଖାଲି ସେତିକି ନୁହେଁ, ହିନ୍ଦୁ ଧର୍ମାନୁଷ୍ଠାନ ପରିଚାଳନା କମିଟି ସଂଖ୍ୟାର ଅଧା ସରକାରୀ କର୍ମଚାରୀ ରହିବେ । ଯଦି କମିଟି ଗଠନ ନ ହୋଇ ପାରିଲା କିମ୍ବା ଅବଧି ସରିଗଲା ତେବେ ପରିଚାଳନା ଦାୟିତ୍ୱ ସିଧାସଳଖ ଜିଲ୍ଲା ପ୍ରଶାସନ ହାତକୁ ଚାଲିଯିବ । ଏଥିରେ ଦେବୋତ୍ତର କମିଶନରଙ୍କ ହସ୍ତକ୍ଷେପ ରହିବ ନାହିଁ ।

ସରକାରଙ୍କ ଏହି ନୂଆ ନୀତିର ଶିକାର ହୋଇଛନ୍ତି ଶ୍ରୀଲିଙ୍ଗରାଜ । ଚଳିତ ବର୍ଷ ଫେବ୍ରୁଆରୀ ୨୩ ତାରିଖରେ ମନ୍ଦିର ଟ୍ରଷ୍ଟ ବୋର୍ଡର ଅବଧି ସରିଗଲା । ନୂଆ ନିୟମ ମୁତାବକ ଟ୍ରଷ୍ଟ ବୋର୍ଡ ଏଯାଏ ଗଠନ ହୋଇ ପାରିନି । ତେଣୁ ବାଧ୍ୟ ହୋଇ ଦେବୋତ୍ତର କମିଶନର ନୂଆ ନିୟମ ଆଧାରରେ ମନ୍ଦିର ପରିଚାଳନାର ସମସ୍ତ ଦାୟିତ୍ୱ ଜିଲ୍ଲା ପ୍ରଶାସନ ହାତରେ ଟେକି ଦେଇଛନ୍ତି । ଏହି ସୁଯୋଗରେ ଠାକୁରଙ୍କ ଭୂସମ୍ପତ୍ତି ହଡ଼ପକାରୀଙ୍କ କାର୍ଯ୍ୟକଳାପ ବଢ଼ି ଯାଇଛି । ମନ୍ଦିର ଖର୍ଚ୍ଚବାର୍ଚ୍ଚ କ୍ଷେତ୍ରରେ କ’ଣ ଘଟୁଛି ତାହା ସେବାୟତଗଣ ଜାଣି ପାରୁନାହାନ୍ତି । କେବଳ ଠାକୁରଙ୍କ ପ୍ରତି ଥିବା ଶ୍ରଦ୍ଧାଭାବ ଯୋଗୁ ସେବାୟତଗଣ ନୀତିକାନ୍ତି କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁନାହାନ୍ତି । ତେଣୁ ବାହାରକୁ ସବୁ ଠିକ୍‌ ଦେଖା ଯାଉଥିଲେ ମଧ୍ୟ ଆଢ଼ୁଆଳରେ ମନ୍ଦିର ସମ୍ପତ୍ତି ଲୁଟ୍‌ ଚାଲିଛି ବୋଲି ଶ୍ରଦ୍ଧାଳୁଗଣ ଅଭିଯୋଗ କରିଛନ୍ତି ।

ଏହି ପ୍ରସଙ୍ଗରେ ବୁଦ୍ଧିଜୀବୀଗଣ ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ବରିଷ୍ଠ ଆଇନଜୀବୀ ରବି ରାଉତରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, ହିନ୍ଦୁ ଧର୍ମାନୁଷ୍ଠାନ କ୍ଷେତ୍ରରେ ସରକାର ଯେଉଁ ନୀତି ଆପଣାଇଛନ୍ତି ତାହା ଭାରତୀୟ ସମ୍ବିଧାନର ଧାରା ୨୫ ଓ ୨୬ର ତତ୍ତ୍ୱକୁ ବିରୁଦ୍ଧାଚରଣ କରୁଛି । ଆଇନ ସଂଶୋଧନ ଆଳରେ ଯେଉଁ ତ୍ରୁଟି କରାଯାଇଛି ତାହା ହିନ୍ଦୁ ଧର୍ମାନୁଷ୍ଠାନ ପରିଚାଳନାରେ ଘୋର ସଂକଟ ସୃଷ୍ଟି କରିଛି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

ସେହିଭଳି ଆଇନଜୀବୀ ସୁଭ୍ରାଂଶୁ ଶେଖର ଜେନା କହିଛନ୍ତି, ହିନ୍ଦୁ ଧର୍ମାନୁଷ୍ଠାନକୁ ରାଜନୀତିକରଣ କରିବାର ଏହା ଏକ ହୀନ ଚକ୍ରାନ୍ତ । ପରିଚାଳନା କମିଟିର ୫୦ ପ୍ରତିଶତ ସ୍ଥାନ ସରକାରୀ କର୍ମଚାରୀଙ୍କ ପାଇଁ ସଂରକ୍ଷିତ କରାଯାଇଛି । ବାକି ୫୦ ପ୍ରତିଶତକୁ ମଧ୍ୟ ଶାସକ ଦଳର ଲୋକେ ମାଡ଼ି ବସିବେ । ଫଳରେ ସ୍ଥାନୀୟ ଲୋକଙ୍କ ଅଧିକାର କ୍ଷୁଣ୍ଣ ହେବ । ସରକାର କେବଳ ହିନ୍ଦୁ ଧର୍ମାନୁଷ୍ଠାନରେ ଏଭଳି ହସ୍ତକ୍ଷେପ କରୁଛନ୍ତି । ଅନ୍ୟ କୌଣସି ଧର୍ମାନୁଷ୍ଠାନରେ ଏଭଳି ହସ୍ତକ୍ଷେପ କଲେ ସେମାନେ ବରଦାସ୍ତ କରିବେ ନାହିଁ ।