ଭୁବନେଶ୍ୱର, ୦୧/୦୫ : ସରିଲା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ। ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଗୁରୁବାର ଗୃହରେ ମାରାଥନ ଆଲୋଚନା ହୋଇଛି। ଆଲୋଚନାରେ ପ୍ରାୟ ୪୦ ଜଣ ସଦସ୍ୟ ଭାଗ ନେଇଥିଲେ। ଦିନ ୧୧ଟାରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି ୧୨.୪୫ ପର୍ଯ୍ୟନ୍ତ ଗୃହକାର୍ଯ୍ୟ ଚାଲିଥିଲା। ପ୍ରାୟ ୧୦ ଘଣ୍ଟା ଧରି ଆଲୋଚନା ଚାଲିଥିଲା। ମହିଳା ସଂରକ୍ଷଣକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଶାସକ-ବିରୋଧୀଙ୍କ କଥା କଟାକଟି ଭିତରେ ବିଧାନସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂକଳ୍ପ ବାଚନିକ ଭୋଟରେ ପାରିତ ହୋଇଛି।

ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିବାବେଳେ ରାତି ୧୨ଟା ୩୪ରେ ଏହି ସଂକଳ୍ପ ପାରିତ ହୋଇଥିଲା । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏହାକୁ ଆଗତ କରିଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏଥିରେ ସଂଶୋଧନ ଆଣିବାକୁ କହିଥିଲେ । ପରେ ଏହାକୁ ସଂଶୋଧନ କରିବା ସହିତ ପାରିତ କରାଯାଇଥିଲା । ଗୃହରେ ମହିଳା ଅଧିକାର ନେଇ ଆଲୋଚନା ଚାଲିଥିବାବେଳେ ବିରୋଧୀ ଦଳ ସଦସ୍ୟମାନେ ରାବଣ ଗେରୁଆ ବେଶରେ ଆସିଥିବା ପ୍ରସଙ୍ଗ ଉଠାଇଥିଲେ । ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନାପସନ୍ଦ କରିଥିଲେ । ଏନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଜଣେ ବରିଷ୍ଠ ସଦସ୍ୟ ହୋଇ ଏଭଳି କହିବା ଶୋଭା ପାଉନି ବୋଲି ଦର୍ଶାଇଥିଲେ । ପରେ ଶ୍ରୀ ଆଚାର୍ଯ୍ୟ ଏହାର ଖଣ୍ଡନ କରିଥିଲେ । ତାଙ୍କ ବିବୃତ୍ତିକୁ ଭିନ୍ନ ଅର୍ଥରେ ଦର୍ଶାଯାଉଛି । ଭାରତୀୟ ସଂସ୍କୃତି ଓ ଗୈରିକ ରଙ୍ଗ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ଅଛି ବୋଲି ସେ କହିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ କଂଗ୍ରେସ ଦଳର ଗୁଣ୍ଡା ଗର୍ଦ୍ଦି ଆଚରଣ ଶବ୍ଦକୁ ନାପସନ୍ଦ କରିଥିଲେ ।

ସୂଚନାନୁଯାୟୀ, ସ୍ଵତନ୍ତ୍ର ଅଧିବେଶନରେ ନାରୀ ଶକ୍ତି ବନ୍ଧନ ଅଧିନିୟମ ଆଇନ ୨୦୨୩କୁ କାର୍ଯ୍ୟକାରୀ କରିବା ପାଇଁ ସଂକଳ୍ପ ପାରିତ ହୋଇଛି। ଗୋଟିଏ ଦିନରେ ୧୩ ଘଣ୍ଟା ୪୫ ମିନିଟ ଧରି ବିଧାନସଭା ଚାଲିଥିଲା। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଅଧିବେଶନ  ରାତି ୧୨.୪୫ ପର୍ଯ୍ୟନ୍ତ ଚାଲିଲା। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ଦିନ ତମାମ ଗୃହରେ ସରଗରମ ଆଲୋଚନା ହୋଇଥିଲା। ସମସ୍ତ ଦଳର ପ୍ରାୟ ୪୦ରୁ ଅଧିକ ବିଧାୟକ ଓ ବିଧାୟିକା ଆଲୋଚନାରେ ଭାଗ ନେଇଥିଲେ। ଅଧିବେଶନ ଶେଷରେ ବାଚସ୍ପତିଙ୍କ ସହ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା ଗୃହ ଆଲୋଚନାରେ ଭାଗ ନେଇଥିଲେ।

ଏହି ଖବରଟିକୁ ପଢନ୍ତୁWeather Update : ଅସହ୍ୟ ତାତିରୁ ଆଶ୍ଵସ୍ତି ଦେଲା କାଳବୈଶାଖୀ, ଆହୁରି ୩ ଡିଗ୍ରୀ ଖସିବ ପାରଦ