ନୂଆପଡା ୧୮।୪: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୦ରୁ ୨୨ ତାରିଖ ତିନି ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଜିଲାପାଳ ଛୁଟି ଘୋଷଣା କରିଛନ୍ତି।
ତେବେ ଜନଗଣନା, ପ୍ରବେଶ, ୟୁନିଫର୍ମ ବଣ୍ଟନ ଓ ରେକର୍ଡ ଅପଡେଟ୍ ଚାଲିଥିବାରୁ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସ୍କୁଲରେ ଉପସ୍ଥିତ ରହିବେ । ସମସ୍ତ ସତର୍କତାର ସହ ଜନଗଣନା ଜାରି ରହିବ । ଏନେଇ ଏକ ସ୍ୱତନ୍ତ୍ର ନୋଟିସ୍ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଜାରି କରିଛନ୍ତି ।
ପୂର୍ବରୁ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟର ୫ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।ଶୁକ୍ରବାର ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ଥିବା ଶିକ୍ଷାନୁଷ୍ଠାନକୁ ଜିଲ୍ଲାପାଳ ଛୁଟି ଘୋଷଣା କରିଥିଲେ । ଶନିବାର ନବରଙ୍ଗପୁର ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ।