ଭୁବନେଶ୍ବର,୨୨।୧୦ :  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୪ଟି ଜିଲ୍ଶାରେ ରାଜ୍ୟ ସରକାର  କଲେଜ  ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ କଲେଜ  ଓ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ।   ଏ ନେଇ ଏସଆରସି   ଦେଓ ରଞ୍ଜନ ସିଂ ଉଚ୍ଚଶିକ୍ଷା ସଚିବଙ୍କୁ ଚିଠି ଲେଖିଛନ୍ତି । ପୂର୍ବରୁ ୧୪ଟି ଜିଲ୍ଲାର ସ୍କୁଲ  ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। 

ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ ,ଜଗତସିଂହପୁର,  କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର,ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ, କଟକ ଜିଲ୍ଲାରେ କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରହିବ।  

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ଗଭୀର ଅବପାତରେ ପରିଣତ ହୋଇଛି । ୨୩ ତାରିଖ ସକାଳେ ଏହା ବାତ୍ୟାର ରୂପ ନେବ। କାଳକ୍ରମେ ଏହା ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ। ୨୪ ତାରିଖ ରାତି ଓ ୨୫ ସକାଳ ମଧ୍ୟରେ ଏହା ପୁରୀରୁ ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ପ୍ରଭାବରେ ପୁରୀରୁ ୨୪ ପ୍ରଗଣା ଜିଲ୍ଲା ମଧ୍ୟରେ ପ୍ରବଳ ବର୍ଷା ପବନ ହେବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୦୦ ରୁ ୧୨୦ କିମି ରହିବ। ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଏହାର ବେଶୀ ପ୍ରଭାବ ପଡ଼ିବ। କିଛି ସ୍ଥାନରେ ଭୀଷଣ ବର୍ଷା ହୋଇପାରେ ବୋଲି  ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।