ଗୁଣପୁର, ୨୬।୫ : ରାୟଗଡା ଜିଲ୍ଲା ଗୁଡାରୀ ବ୍ୟାଙ୍କ ସାହି ଅଞ୍ଚଳରେ ବିଳମ୍ବିତ ରାତ୍ରିରେ ଡକାୟତି ଉଦ୍ୟମ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ସୁନା ଦୋକାନୀ ଗୁରୁତର ଆହତ ହୋଇଛି। ଅନ୍ୟପକ୍ଷରେ ଦୁର୍ବୃତ୍ତମାନଙ୍କ ଡକାୟତି ଉଦ୍ୟମ ପଣ୍ଡ ହୋଇଯାଇଥିବା ଜଣାପଡିଛି। ଗୁରୁତର ସୁନା ଦୋକାନୀ ଜଣକ ହେଲେ ପି. ନବୀନ କୁମାର।
ସୂଚନା ଅନୁଯାୟୀ, ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ଗୁଡାରି ବ୍ୟାଙ୍କ ସାହିର ଜଗଦୀଶ ସାସନପୁରୀଙ୍କ ସୁନା ଦୋକାନକୁ ଟାର୍ଗେଟ କରି ଡକାୟତି ଉଦ୍ୟମ କରୁଥିଲେ। ଏହି ସମୟରେ ଅନ୍ୟ ଜଣେ ସୁନା ଦୋକାନ ମାଲିକ ପି. ନବୀନ କୁମାର ନିଜ ମୋବାଇଲ୍ ମାଧ୍ୟମରେ ଦୋକାନର ସିସି କ୍ୟାମେରା ଯାଞ୍ଚ କରୁଥିଲେ। କ୍ୟାମେରାରେ ଭିଡିଓ ଉଠୁନଥିବା ଦେଖି ସନ୍ଦେହ କରିଥିଲେ। ପରେ ସେ ବିଳମ୍ବିତ ରାତ୍ରିରେ ନିଜ ଦୋକାନ ପାଖକୁ ଆସି ଦେଖିଥିଲେ ଯେ, ସିସି କ୍ୟାମେରାଗୁଡିକରେ ଷ୍ଟିକର ଲଗାଇ କଭର କରିଦିଆଯାଇଛି। ଷ୍ଟିକର କାଢି ଘରକୁ ଫେରୁଥିବା ସମୟରେ ଜଗଦୀଶ ସାସନପୁରୀଙ୍କ ସୁନା ଦୋକାନରେ କିଛି ଦୁର୍ବୃତ୍ତ ତାଲା ଭାଙ୍ଗୁଥିବା ସେ ଦେଖିଥିଲେ। ଏହା ପରେ ସେ ଦୁର୍ବୃତ୍ତମାନଙ୍କୁ ପଚରାଉଚୁରା କରିଥିଲେ। ତେବେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ପି. ନବୀନ କୁମାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଆକ୍ରମଣ ପରେ ରକ୍ତାକ୍ତ ଅବସ୍ଥାରେ ସେ ନିଜ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ଘରକୁ ପହଞ୍ଚିଥିଲେ। ପରେ ଘର ଦାଣ୍ଡରେ ଚେତାଶୂନ୍ୟ ହୋଇ ପଡ଼ି ରହିଥିବା ବେଳେ ସକାଳେ ପରିବାର ଲୋକ ତାଙ୍କୁ ଦେଖି ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଖବର ପାଇ ଗୁଡାରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ୍ ସିସି କ୍ୟାମେରା ଯାଞ୍ଚ କରି ଦୁର୍ବୃତ୍ତମାନଙ୍କ ଫୁଟେଜ ଜବତ କରିଛି ।
ଆହୁରି ପଢନ୍ତୁ : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କଳାହାଣ୍ଡିର କମାଲ: ୪ର୍ଥ ସ୍ଥାନ ହାସଲ କଲେ କେସିଙ୍ଗାର ଝିଅ କନକ