ଭୁବନେଶ୍ୱର,୦୪/୦୪: ବିଡିଏରେ ନୂଆ କରି ୧୪୩ ରାଜସ୍ୱ ଗ୍ରାମ ମିଶିଲା । ଗୁରୁବାର ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା ବସିଥିବା ଏହି ବୈଠକରେ  ଏନେଇ ମୋହର ବାଜିଛି । ଏହି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ  ପାଇଁ ୧୫୩୬.୦୮ କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ବିଡିଏରେ ନୂଆ କରି ୧୪୩ଟି ଗ୍ରାମକୁ ସାମିଲ କରାଯାଇଛି ।  ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଖୋର୍ଦ୍ଧା ପୌର ପରିଷଦ,  ଜଟଣୀ ପୌର ପରିଷଦ, ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଆଦି ଚାରିଗାଟି ସହରାଞ୍ଚଳ ସହ ନିକଟବର୍ତ୍ତୀ ଗ୍ରାମ ପଞ୍ଚାୟତ  ଅଞ୍ଚଳଗୁଡ଼ିକର ରାଜସ୍ୱ ଗ୍ରାମ ଏଥିରେ ସାମିଲ ହୋଇଛି । 

ପ୍ରକାଶ ଥାଉକି, ୧୯୮୩ରେ ମାତ୍ର ୧୧୬ଟି ରାଜସ୍ୱ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଚିନ୍ତାଧାରା ଆରମ୍ଭ ହୋଇଥିଲା । ପରେ ୨୦୦୨, ୨୦୦୩ ଏବଂ ୨୦୧୧ରେ ଏହାର କଳେବରକୁ ସମ୍ପ୍ରସାରଣ କରାଯାଇଥିଲା । ଏହି ନୂତନ ଗ୍ରାମଗୁଡ଼ିକ ମିଶିବା ପରେ ବିଡିଏ ଅଧିକାର କ୍ଷେତ୍ରରେ ଥିବା ମୋଟ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨କୁ ପହଞ୍ଚିବ । କର୍ତ୍ତୃପକ୍ଷଙ୍କ ଅନୁମାଦନ ପରେ ଏହି ପ୍ରସ୍ତାବ ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ, ୧୯୮୨ର ଧାରା ୩ ଅନୁଯାୟୀ ରାଜ୍ୟ  ସରକାରଙ୍କ ନିକଟକୁ ବିଚାର ଓ ଅନୁମୋଦନ ପାଇଁ ପଠାଯିବ । 

ଏହାବାଦ ଚଳିତ ବର୍ଷ ବିଡିଏ ଏକାଧିକ ପ୍ରକଳ୍ପ ସହ ସହର  ସମ୍ପ୍ରସାରଣକୁ ଗୁରୁତ୍ୱ ଦେଇଛି । କିପରି ରାଜସ୍ୱ ଆଦାୟ ବଢ଼ିବ, ଏହା ଉପରେ ମଧ୍ୟ ବିଡିଏ ଫୋକସ କରିଛି । ତେଣୁ ରାଜସ୍ୱ ବୃଦ୍ଧି କରିବାକୁ ବିଡିଏ ଜମି ମୁଦ୍ରୀକରଣ ପ୍ରସ୍ତାବକୁ ଅନୁମୋଦନ କରିଛି ।  ଏଥିପାଇଁ ଅନେକ ଜମି ଖଣ୍ଡକୁ ନିଲାମ କରିବାକୁ ଚିହ୍ନଟ କରାଯାଇଛି । 

ସେହିପରି, ବିଡିଏର ଗୃହ ନିର୍ମାଣ ଓ ବାଣିଜ୍ୟିକ ବିକାଶ ଯୋଜନାରେ ଚନ୍ଦ୍ରଶେଖରପୁର, ଖୋର୍ଦ୍ଧାର ଜଗସାରା ଓ ସାନପଲ୍ଲାରେ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି  ନେଇଛି । ଏହା ସହିତ, ପଟିଆରେ ବାଣିଜ୍ୟିକ ସ୍ଥାନର ବିକାଶ  କରାଯିବ । କର୍ତ୍ତୃପକ୍ଷ ମାଷ୍ଟର କ୍ୟାଣ୍ଟିନ୍‌ରେ ଭୁବନେଶ୍ୱର ଟାଉନ୍‌  ସେଣ୍ଟର (ବିଟିସି) ଏବଂ ବିଡିଏ ସିଟି ସେଣ୍ଟର, ଯାହା ନିକୋ ପାର୍କ  ଭାବେ ଜଣାଶୁଣା, ତାହାର ବିକାଶକୁ ମଧ୍ୟ ଅନୁମୋଦନ କରିଛନ୍ତି ।  

ବିଡିଏ ସହର ମଧ୍ୟରେ ୨୪ଟି ସିଡିପି ରାସ୍ତା ବିକାଶ  କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ଜୟଦେବ  ବିହାରରୁ ନନ୍ଦନକାନନ ଭାୟା ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତା, ନୂଆ  ଭୁବନେଶ୍ୱର ରେଳ ଷ୍ଟେସନକୁ ଯିବା ଆପ୍ରୋଚ୍‌ ରୋଡ, ଟିପି ସ୍କିମ-୮ ଦେଇ ଅତିକ୍ରମ କରୁଥିବା ନୂଆଗାଁ-କାଟେଣୀ ରୋଡ, ନ୍ୟୁ-ସିଟି  ପାଇଁ ଚିହ୍ନଟ ହୋଇଥିବା ରାସ୍ତା, ଏବଂ ଚନ୍ଦକା-ଖଣ୍ଡଗିରି ରାସ୍ତାରୁ  ପିତାପଲ୍ଲୀ-ବାରଙ୍ଗ ରାସ୍ତା, ଯାହା ଟିପି ଯୋଜନା ନମ୍ବର ୮ ଏବଂ  ନ୍ୟୁ-ସିଟି ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ ଦେଇ ଯାଉଥିବା ରାସ୍ତାଗୁଡ଼ିକ ରହିଛି ।   

ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର  ମେୟର ସୁଲୋଚନା ଦାସ, ଜଟଣୀ ପୌର ପରିଷଦ ଅଧ୍ୟକ୍ଷ  ଅନନ୍ତ ବେହେରା, ଖୋର୍ଦ୍ଧା ପୌର ପରିଷଦ ଅଧକ୍ଷା ଲକ୍ଷ୍ମୀ ମହାନ୍ତି,  ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ବିଡିଏ  ଉପାଧ୍ୟକ୍ଷ ଡା .ଏନ୍‌ ତିରୁମାଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।