ନୂତନ ଜ୍ଞାନକୌଶଳର ଚମତ୍କାରିତା, ଜ୍ୟାକ୍ ଲଗାଇ ୧୫ ବର୍ଷ ପୁରୁଣା ଘର ୪ ଫୁଟ୍ ଉପରକୁ ଉଠାଇଲେ କୁଶଳି ଶ୍ରମିକ

ରାୟଗଡ଼ା, ୦୪/୦୭ : ୧୫ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଘର । ହେଲେ କାଳକ୍ରମେ ରାସ୍ତାର ଉଚ୍ଚତା ଅନୁଯାୟୀ ଘର ତଳୁଆ ହେବା ସହିତ ପିଇବା ପାଣି ପାଇଁ ଅସୁବିଧା ଉପୁଜିବା କାରଣରୁ ଜଣେ ବ୍ୟକ୍ତି ତାଙ୍କ ଘରକୁ ୪ ଫୁଟ ଉପରକୁ ଉଠାଇଛନ୍ତି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ଏହା ସମ୍ଭବ ହୋଇଥିବା ପ୍ରମାଣିତ ହୋଇଛି ।
ରାୟଗଡା ବ୍ଲକ ଅମଳାଭଟ୍ଟା ଛକର ରବି ଶେଖର ନାମକ ଜଣେ ବ୍ୟକ୍ତି ୨୦୦୭ରେ ତାଙ୍କ ବାସଗୃହ ନିର୍ମାଣ କରିଥିଲେ । ହେଲେ ୧୫ ବର୍ଷପରେ ରାସ୍ତାର ଉଚ୍ଚତା ବଢିବା ସହିତ ଘରକୁ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିଲା । ଏହାପରେ ସେ ସୂଚନା ପାଇଥିଲେ ଯେ, ହରିୟାଣା ରାଜ୍ୟରେ ଯନ୍ତ୍ରୀମାନେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ନିର୍ମାଣ ହୋଇଥିବା ଘରକୁ ଉପରକୁ ଉଠାଉଛନ୍ତି । ସୂଚନା ମିଳିବା ପରେ ହରିୟାଣା ରାଜ୍ୟ ରୋହତକର ଯନ୍ତ୍ରୀମାନଙ୍କୁ ଯୋଗାଯୋଗ କରିଥିଲେ । ସମସ୍ତ ସୂଚନା ଓ ଜ୍ଞାନ କୌଶଳ ସମ୍ପର୍କରେ ଜାଣିବା ପରେ ରବି ଆରମ୍ଭ କରିଥିଲେ ତାଙ୍କ ଅଭିଯାନ ।
ରୋହତକରୁ ସେହି ନିର୍ମାଣକାରୀ ଟିମକୁ ଡକାଇ ତାଙ୍କ ଘରକୁ ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ୧୨୦୦ ବର୍ଗଫୁଟ ବିଶିଷ୍ଟ ଘରକୁ ବର୍ତ୍ତମାନ ୪ ଫୁଟ ଉଚ୍ଚତାକୁ ଉଠାଯାଇଛି । ୨୨୦ ଟି ଜ୍ୟାକ୍ ଲଗାଇ ଘରକୁ ଉଠାଇ ତାହା ତଳେ ପୁଣି ନିର୍ମାଣ କରାଯାଇଥିଲା । ୪ ଫୁଟ ଉଚ୍ଚକୁ ଉଠାଯିବା ପରେ ସାଧାରଣ ନିର୍ମାଣଶୈଳୀରେ କଂକ୍ରିଟ ଦିଆଯାଇ ଗୃହ ନିର୍ମାଣ ହୋଇଛି । ଏହା ନିର୍ମାଣ ପାଇଁ ହରିୟାଣାର ଯନ୍ତ୍ରୀଙ୍କୁ ବର୍ତ୍ତମାନ ସୁଦ୍ଧା ୧ ମାସ ୩ ଦିନ ଲାଗିଥିବା ବେଳେ ଆଉ ମାତ୍ର ଏକ ସପ୍ତାହ ମଧ୍ୟରେ ଏହା ଶେଷ ହୋଇଯିବ ବୋଲି ସୂଚନା ଦିଆଯାଇଛି । ଫଳରେ ଯେଉଁ ସମସ୍ୟା ପୂର୍ବରୁ ରହିଥିଲା ତାହା ଧିରେ ଧିରେ ଦୂର ହେଉଥିବା କହିଛନ୍ତି ରବି ।
ଏହି ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୫ ଲକ୍ଷ ଟଙ୍କା । ତେବେ ଏହିଭଳି କାର୍ଯ୍ୟକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ପ୍ରକଟ କରୁଛି । କିଭଳି ଏହା ସମ୍ଭବ ହୋଇପାରିଲା ବୋଲି ପଚାରିବା ପାଇଁ ରୋହତକର ସେହି ଯନ୍ତ୍ରୀଙ୍କ ନିକଟରେ ଭିଡ ଜମାଉଛନ୍ତି । ବୁଦ୍ଧି ଓ ଜ୍ଞାନ କୌଶଳ ଜରିଆରେ ସବୁକିଛି ସମ୍ଭବପର ତାହା ପ୍ରମାଣିତ ହୋଇଛି । ହରିୟାଣାରେ ଏଭଳି ଅନେକ ବାସଗୃହ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଏଭଳି କାମ ହୋଇଥିବା ଉକ୍ତ ଟିମ୍ ସୂଚନା ଦେଇଛନ୍ତି ।