PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ମିସବାଙ୍କ ଖରାପ ସଟ୍‌ ଆଉ ଭାରତ ବିଶ୍ବ ବିଜୟୀ,୧୫ ବର୍ଷ ପୂର୍ବର ସେ ପରାଜୟକୁ ଆଜି ବି ଭୁଲିନି ପାକିସ୍ତାନ

ନୂଆଦିଲ୍ଲୀ ୨୪/ ୦୯: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଫାଇନାଲ ମ୍ୟାଚ୍। ମୁହାଁମୁହିଁ ହୋଇଥାନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ । ଖଚାଖଚ୍‌ ଭରା ହୋଇଥାଏ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମ । ହାଇଭୋଲଟେଜ୍‌ ମ୍ୟାଚରେ ଚିତ୍ତାକର୍ଷକ ଖେଳ ଜାରି ରହିଥାଏ । ପ୍ରଥମେ ବ୍ୟାଟିଂ କରି ଭାରତ ସଂଗ୍ରହ କରିଥିଲା ୧୫୭ ରନ । ଛୋଟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଶେଷ ଓଭରରେ ୧୩ ରନ ଆବଶ୍ୟକ ଥିବାବେଳେ ଶେଷ ଓ୍ବିକେଟରେ ଭାରତକୁ ଚକମା ଦେଇଥିଲେ ପାକିସ୍ତାନ ଅଧିନାୟକ ମିସବା ଉଲ-ହକ୍‌ । ଲାଗୁଥିଲା ଭାରତ ହାତରୁ ମ୍ୟାଚ୍‌ ସହ ଟାଇଟଲ୍‌ ବି ଖସିଯିବ । କିନ୍ତୁ ମିସବାଙ୍କ ଗୋଟିଏ ଖରାପ ସଟ୍‌ ଆଉ ଭାରତ ବିଶ୍ବ ବିଜୟୀ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ ଟାଇଟଲ ହାତେଇଥିଲା । ୨୦୦୭ ସେପ୍ଟେମ୍ବର ୨୪ରେ ଖେଳାଯାଇଥିଲା ନିଃଶ୍ବାସ ଅଟକିଗଲା ଭଳି ମୁକାବିଲା । ଆଉ ଆଜି ଭାରତ ଚାମ୍ପିୟନ ହେବାକୁ ପୂରିଛି ୧୫ ବର୍ଷ ।

ବିଶ୍ବକପର ଫାଇନାଲ ମୁକାବିଲାରେ ପାକିସ୍ତାନକୁ ବିଜୟ ପାଇଁ ଶେଷ ୬ଟି ବଲରୁ ୧୩ ରନ ଆବଶ୍ୟକ ଥିଲା । ଯୋଗିନ୍ଦର ଶର୍ମା ଶେଷ ଓଭର ବୋଲିଂ କରୁଥିବା ବେଳେ ଦ୍ବିତୀୟ ବଲରେ ବିଶାଳ ଛକା ମାରିଥିଲେ ପାକ୍‌ ଅଧିନାୟକ ମିସବା ଉଲ ହକ୍‌ । ଲାଗୁଥିଲା ଭାରତ ହାତରୁ ମ୍ୟାଚ୍‌ ଖସିଯିବ । କିନ୍ତୁ ଠିକ ପରବର୍ତ୍ତି ବଲରେ ଲେଗ୍‌ ସାଇଡ୍‌ରେ ଫିଲଡିଂ କରୁଥିବା ଶ୍ରୀସନ୍ତଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ ମିସବା ଆଉ ଭାରତ ହୋଇଥିଲା ବିଶ୍ବ ଚାମ୍ପିୟନ । ଆଜି ୧୫ ବର୍ଷ ପରେ ବି ପରାଜୟକୁ ଭୁଲିନାହାନ୍ତି ପୂର୍ବତନ ପାକିସ୍ତାନୀ ଅଧିନାୟକ ମିସବା ଉଲ୍-ହକ୍‌ ।

ଟ୍ବିଟରରେ ସେୟାର ହୋଇଥିବା ଏକ ଭିଡିଓରେ ମିସବା କହିଛନ୍ତି, ‘ସେତେବେଳେ ମୁଁ ବହୁତ ଭଲ ଫର୍ମରେ ଥିଲି । ଆମର ୯ ଓ୍ବିକେଟ ପଡିଥିବା ବେଳେ ଚାପରେ ଥିଲି । ଶେଷ ଓଭରରେ ୧୩ ରନ ଆବଶ୍ୟକ ଥିବାବେଳେ ମାତ୍ର ୨ଟି ବଡ ସଟ୍‌ ଆବଶ୍ୟକ ଥିଲା । ମନରେ ବିଶ୍ବାସ ଥିଲା ଯେ ଲକ୍ଷ୍ୟ ହାସଲ ହୋଇଯିବ । ଗୋଟିଏ ଛକା ମାରିବା ପରେ ପରବର୍ତ୍ତୀ ବଲରେ ଆଉ ଏକ ବାଉଣ୍ଡରୀ ମାରିବାକୁ ଯାଇ ସର୍କଲ ଭିତରେ କ୍ୟାଚ୍‌ ଆଉଟ ହୋଇଥିଲି । ଭୁଲ ସଟ୍‌ ଯୋଗୁ ଆମେ ବିଶ୍ବ ଚାମ୍ପିୟନ ହେବାରୁ ଅଳ୍ପକେ ବର୍ତ୍ତିଥିଲୁ’।

୨୦୦୭ ଟ୍ବେଣ୍ଟି ଟ୍ବେଣ୍ଟି ଫାଇନାଲ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ଓ୍ବିକେଟ ହରାଇ କରିଥିଲା ୧୫୭ ରନ । ଦଳ ପକ୍ଷରୁ ଗୌତମ ଗମ୍ଭୀର ସର୍ବାଧିକ ୭୫ ରନ କରିଥିବା ବେଳେ ରୋହିତ ଶର୍ମା ୧୫ ବଲରୁ ଖେଳିଥିଲେ ୩୦ ରନର ଇନିଂସ । ଅନ୍ୟମାନେ କମ ସ୍କୋର କରିଥିଲେ । ଜବାବରେ ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ଅଧିନାୟକ ମିସବା ଉଲ ହକ୍‌ ସର୍ବାଧିକ ୪୩ ରନ କରିଥିବା ବେଳେ ଇମ୍ରାନ ନାଜିର ୩୩ରନ, ୟୁନିସ ଖଶନ ୨୪ ରନ କରିଥିଲେ । ଭାରତ ପକ୍ଷରୁ ଶ୍ରୀସନ୍ତ ଦୁଇଟି, ଯୋଗିନ୍ଦର ଶର୍ମା ଦୁଇଟି ଓ୍ବିକେଟ ନେଇଥିଲେ।