ଭୁବନେଶ୍ୱର, ୧୭/୦୯ : “ମା' ପାଇଁ ବୃକ୍ଷଟିଏ” ଅଭିଯାନରେ ସାରା ରାଜ୍ୟରେ ୭୫  ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି ଅଭିଯାନରେ ସାମିଲ ହୋଇ ସବୁ ଜିଲ୍ଲାରେ ୨୩ ଲକ୍ଷରୁ ଅଧିକ ଫଳ ଚାରା ରୋପଣ ପାଇଁ ପ୍ରାୟସ କରୁଛି। ଏହି ଏକଦିନିଆ ବୃକ୍ଷରୋପଣ ଅଭିଯାନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ୱର ଡେରାସ ଉଦ୍ୟାନ କୃଷି ଫାର୍ମରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଠାରେ ୧୫୦୦ ଟି ଉତ୍ତମ ମାନର ଜାମୁକୋଳି, ଲିଚୁ, ନଡିଆ ଓ ସପୁରୀ ଫଳ ଚାରା ରୋପଣ କରାଯାଇଛି । 

ବୁଧବାର ସକାଳ ସାଢେ ୯ଟାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଛି। ଉଦ୍ୟାନ କୃଷି ଉତ୍କର୍ଷ କେନ୍ଦ୍ର, ଡେରାସର ପ୍ରଶିକ୍ଷାର୍ଥୀ ଏବଂ ଫାର୍ମ କର୍ମଚାରୀ ଓ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଚାରା ରୋପଣ କରିଛନ୍ତି। ପ୍ରତ୍ୟେକ ଲୋକଙ୍କୁ ମା’ଙ୍କ ସ୍ମୃତି ଓ ସମ୍ମାନରେ ଗଛ ଲଗାଇବାକୁ ପ୍ରୋତ୍ସାହିତ କରିବା। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ କାର୍ଯ୍ୟାଳୟ ପରିସରରେ ଫଳ ଚାରାରୋପଣ ମାଧ୍ୟମରେ ସବୁଜ ଆବରଣ ବୃଦ୍ଧି କରିବା ଓ ପରିବେଶୀୟ ସୁସ୍ଥିରତାକୁ ବଢ଼ାଇବା ଏହାର ଲକ୍ଷ୍ୟ ବୋଲି ଡ଼ ପାଢ଼ୀ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ, ମହିଳା  ସ୍ୱୟଂସହାୟକ ଗୋଷ୍ଠୀ (SHGs), କୃଷକ ଉତ୍ପାଦକ ସଂଗଠନ (FPOs), ବେସରକାରୀ ସଂଗଠନ (NGOs) ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଚାରାରୋପଣ ପରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମ୍ବନ୍ଧୀୟ ସଚେତନତା ପ୍ରଦାନ କରାଯାଇଛି। ଏହି ଦିନ, ରୋପିତ ଚାରାର ସଂଖ୍ୟା ଓ ଫଟୋଗ୍ରାଫ୍‌ଗୁଡିକୁ MeriLiFE Portal ରେ ପ୍ରତ୍ୟେକ ଜିଲ୍ଲାରୁ ଅପଲୋଡ୍‌ କରାଯାଉଛି । ମା’ଙ୍କ ନାମରେ ହେଉଥିବା ଏହି ଚାରାରୋପଣ  କାର୍ଯ୍ୟକ୍ରମ ନିଶ୍ଚୟ ଏକ ପ୍ରଦୂଷଣମୁକ୍ତ, ସବୁଜିମା ରେ ପରିପୂର୍ଣ୍ଣ  ସୁନ୍ଦର ଓଡ଼ିଶାର ନିର୍ମାଣ କରିବ ବୋଲି କୁହାଯାଉଛି।  ଏହି କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଲାଙ୍ଗେ ଗୋରେଖ ୱମନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।