ପୁରୀ,୧୦।୧୨ : ଆସନ୍ତା ୧୭ ତାରିଖରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ଛତିଶା ନିଯୋଗ ବୈଠକ ପରେ ମରାମତି ପାଇଁ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଛି। ମରାମତି ସମୟରେ ବନ୍ଦ୍ ରହିବ ଭିତର କାଠ ଦର୍ଶନ ।ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।ନୀତିରେ କୌଣସି ବିଶୃଙ୍ଖଳା ସୃଷ୍ଟି ନହେବା ପାଇଁ ନୀତି ସଅଳ ଉପରେ ଗୁରୁତ୍ବ ଦିଆଯିବ ।
ରାତି ୨ ଟା ରୁ ହେବ ଦ୍ଵାରଫିଟା।ଦ୍ଵିତୀୟ ଭୋଗ ମଣ୍ଡପ ପରେ ଏ ଏସ ଆଇ କୁ କାମ କରିବାକୁ ଦିଆଯିବ ଅନୁମତି ।ଅପରାହ୍ନ ୧୨ ଟା ୩୦ ସୁଦ୍ଧା ସରିବ ଦ୍ଵିତୀୟ ଭୋଗ ମଣ୍ଡପ । ୧୨ ଟା ୩୦ ବା ଦ୍ଵିତୀୟ ଭୋଗ ମଣ୍ଡପ ପରଠାରୁ ସନ୍ଧ୍ୟା ପ୍ରାୟ ୫ ଟା ରୁ ୬ ଟା ପର୍ଯ୍ୟନ୍ତ କାମ କରିବ ଏ ଏସ ଆଇ । ସନ୍ଧ୍ୟା ୬ ଟା ପରେ ମହାପ୍ରଭୁଙ୍କ ବେଶ ମଇଲମ ସହ ସନ୍ଧ୍ୟା ଆଳତି ହୋଇ ଅନ୍ୟାନ୍ୟ ନୀତି ବଢିବ। ସକାଳ ଧୂପ ଓ ମଧ୍ୟାହ୍ନ ଧୂପରେ ହେବ ନାହିଁ ବରାଦୀ ବିକ୍ରି ।
ରାତ୍ର ୨ ରୁ ଦ୍ବାରଫିଟା ହେବାପରେ ୩ ଟାରେ ମଙ୍ଗଳ ଆଳତି ଓ ୫ ଟା ୩୦ ରୁ ୬ ଟା ମଧ୍ୟରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ ନୀତି ଶେଷ ହେବ। ସକାଳ ୬ ଟା ୩୦ ରୁ ୮ ଟା ମଧ୍ୟରେ ସକାଳ ଧୂପରେ କେବଳ କୋଠ ଭୋଗ ହେବାସହ ୧୦ ଟା ରୁ ୧୧ ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ରେ କେବଳ ମଧ୍ୟ କୋଠ ଭୋଗ ହେବ । ୧୦ ଟା ୧୫ ରୁ ୧୨ ଟା ୩୦ ମଧ୍ୟରେ ସରିବ ଦ୍ଵିତୀୟ ଭୋଗ ମଣ୍ଡପ । ବିଶେଷ ଅର୍ଥାତ୍ ପୁଜାପର୍ବାଣି ଦିନ ମାନଙ୍କରେ ମରାମତି କାର୍ଯ୍ୟ ବନ୍ଦ ରଖିବା ଉପରେ ନିଷ୍ପତ୍ତି ନେଇପାରିବେ ନୀତି ପ୍ରଶାସକ ।