ନୂଆଦିଲ୍ଲୀ,୦୩/୦୬: ଦକ୍ଷିଣ କୋରିଆ ସେୟାର ବଜାର ଭାରତୀୟ ପୁଞ୍ଜି ବଜାରକୁ ପଛରେ ପକାଇ ବିଶ୍ୱର ୬ଷ୍ଠ ବୃହତ ସେୟାର ବଜାର ଭାବେ ଉଭା ହୋଇଛି । ଏହାର ମୁଖ୍ୟ କାରଣ ସେମିକଣ୍ଡକ୍ଟର ଚିପ୍ ପ୍ରସ୍ତୁତ କରୁଥିବା ଆଗଧାଡ଼ିର କମ୍ପାନି । ଏଆଇର ବର୍ଦ୍ଧିତ ଚାହିଦା ଯୋଗୁ ଏହି କମ୍ପାନିଗୁଡିକର ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି । ବ୍ଲୁମ୍ବର୍ଗର ଏକ ରିପୋର୍ଟ ମୁତାବକ, ଦକ୍ଷିଣ କୋରିଆ ପୁଞ୍ଜି ବଜାରରେ ସୂଚୀଭୁକ୍ତ କମ୍ପାନିଗୁଡିକର ମୂଲ୍ୟ ୮୬% ବୃଦ୍ଧି ହୋଇ ୫ ଟ୍ରିଲିୟନ ଡଲାର (୪୭୫ ଲକ୍ଷ କୋଟି ଟଙ୍କା) ଛୁଇଁଛି ।
ଅନ୍ୟପଟେ, ଭାରତୀୟ ସେୟାର ବଜାରର ଏମ୍କ୍ୟାପ୍ ୪.୮ ଟ୍ରିଲିୟନ ଡଲାର (୪୫୬ ଲକ୍ଷ କୋଟି ଟଙ୍କା) ସ୍ତରରେ ରହିଛି । ବିଶ୍ୱର ଶ୍ରେଷ୍ଠ ୧୦ ସେୟାର ବଜାରକୁ ଦେଖିଲେ ଆମେରିକା ପୁଞ୍ଜି ବଜାରର ମୂଲ୍ୟ ୭୫ ଲକ୍ଷ କୋଟି ଡଲାର ରହିଛି । ସେହିଭଳି ଚୀନ ୧୬ ଲକ୍ଷ କୋଟି ଡଲାର, ଜାପାନ ୮.୫ ଲକ୍ଷ କୋଟି ଡଲାର, ହଂକଂ ୭ ଲକ୍ଷ କୋଟି ଡଲାର, ତାଇୱାନ ୫ ଲକ୍ଷ କୋଟି ଡଲାର, କାନାଡା ୪.୫ ଲକ୍ଷ କୋଟି ଡଲାର, ବ୍ରିଟେନ ୪ ଲକ୍ଷ କୋଟି ଡଲାର ଏବଂ ଫ୍ରାନ୍ସ ୩.୫ ଲକ୍ଷ କୋଟି ଡଲାର ରହିଛି ।
ଆହୁରି ପଢନ୍ତୁ- AI Race : ଏଆଇ ଦୌଡ଼ରେ ଆଗୁଆ କ୍ଷୁଦ୍ର ରାଷ୍ଟ୍ର, ପ୍ରଥମରେ ୟୁଏଇ, ପଛରେ ଆମେରିକା
ଭାରତୀୟ ପୁଞ୍ଜି ବଜାର ଖସିବା ପଛରେ ୩ କାରଣ ଦାୟୀ ରହିଛି । ଏହା ମଧ୍ୟରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା, ବିଦେଶୀ ନିବେଶକଙ୍କ ଲଗାତର ପୁଞ୍ଜି ପ୍ରତ୍ୟାହାର ଏବଂ ଭାରତରେ ଏଆଇ କମ୍ପାନିଗୁଡିକର ଉପସ୍ଥିତି ନ ରହିବା । ପୁଞ୍ଜି ବଜାର ମୂଲ୍ୟକୁ ଦେଖିଲେ ଦକ୍ଷିଣ କୋରିଆ ଭାରତକୁ ପଛରେ ପକାଇଛି । ମାତ୍ର ଜିଡିପି ଦୃଷ୍ଟିକୋଣରୁ ଭାରତ ଦକ୍ଷିଣ କୋରିଆଠାରୁ ଆଗରେ ରହିଛି । ଆଇଏମ୍ଏଫ୍ ଅନୁସାରେ ଭାରତର ଜିଡିପି ଆକାର ୪.୧୫ ଟ୍ରିଲିୟନ ଡଲାର ରହିଛି । ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଦକ୍ଷିଣ କୋରିଆର ଜିଡିପି ୧.୯୩ ଟ୍ରିଲିୟନ ଡଲାର । ଯାହା ଭାରତ ଜିଡିପିର ଅଧାରୁ ମଧ୍ୟ କମ୍ ।