ନୂଆଦିଲ୍ଲୀ,୦୩/୦୬: ବିଶ୍ୱ ବଜାରରେ ଲିକ୍ୱିଫାଏଡ୍ ନାଚୁରାଲ ଗ୍ୟାସ(ଏଲ୍ଏନ୍ଜି) ର ଅଭାବ ନୁହେଁ ବରଂ ବଳକା ବା ସର୍ପ୍ଲସ୍ ସ୍ଥିତି ଉପୁଯିବ । ହୋର୍ମୁଜ ଜଳମାର୍ଗରେ ଭୁରାଜନୈତିକ ଅସ୍ଥିରତା ଯୋଗୁ ଯଦିଓ ଦର ବଢ଼ିଥିଲା କିନ୍ତୁ ଏବେ ଉତ୍ତର ଆମେରିକା ଓ କତାରରୁ ପର୍ଯ୍ୟାପ୍ତ ଯୋଗାଣ ଦୀର୍ଘଦିନ ପାଇଁ ଦରକୁ ଖସାଇପାରେ । ଏହି ଦାବି ବିରୋଧାଭାସୀ ଲାଗିପାରେ । କାରଣ ଏବେ ବି ହୋର୍ମୁଜ ଜଳମାର୍ଗ ଅବରୋଧ ଅଛି । ଯୁଦ୍ଧ ଯୋଗୁ ବିଶ୍ୱର ସର୍ବବୃହତ୍ ଏଲ୍ଏନ୍ଜି ପ୍ଲାଣ୍ଟ୍ ବନ୍ଦ ପଡ଼ିଛି ଏବଂ କତାରର କହିବାନୁସାରେ, ଏହାର ମରାମତି ପାଇଁ ଅନ୍ୟୁନ ୩ ବର୍ଷ ସମୟ ଲାଗିବ । ଏହାସତ୍ତେ୍ୱ ଏକ ଦୀର୍ଘମିଆଦୀ ସର୍ପ୍ଲସ ସ୍ଥିତିର ରୂପରେଖ ଆଗୁଆ ଦେଖିବାକୁ ମିଳିଲାଣି । ଯଦି ୱାଶିଂଟନ ଏବଂ ତେହରାନ ମଧ୍ୟରେ ଶାନ୍ତି ବାର୍ତ୍ତା ବିଫଳ ନ ହୁଏ ଏବଂ ହୋର୍ମୁଜ ଜୁଲାଇ ପରେ ବନ୍ଦ ନ ରୁହେ ତେବେ ଏଲ୍ଏନ୍ଜି ଦର ପୁଣି ଥରେ ଖସିବ ଏବଂ ଏହା ଲମ୍ବା ସମୟ ପର୍ଯ୍ୟନ୍ତ କମ୍ ରହିବ ବୋଲି ଅନୁମାନ କରିଛନ୍ତି ବିଶେଷଜ୍ଞ ।

ଏହା ପଛର କାରଣ ବୁଝିବା ପାଇଁ ପ୍ରଥମେ ଏହି ଉଦ୍ୟୋଗର କାର୍ଯ୍ୟପ୍ରଣାଳୀର ଗଭୀରତାକୁ ବୁଝିବାକୁ ପଡ଼ିବ । ଏଲ୍ଏନ୍ଜିର ବିଶେଷତ୍ୱ ହେଉଛି ଏହାକୁ ପ୍ରାୟ -୧୬୦ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ଅତ୍ୟଧିକ ଥଣ୍ଡା କରିବା ପରେ ଏହା ତରଳ ରୂପରେ ପରିବର୍ତ୍ତିତ ହୋଇଯାଏ, ଯାହାଦ୍ୱାରା ଏହାକୁ ଟ୍ୟାଙ୍କରରେ ଭରି ତେଲ ଭଳି ବିଶ୍ୱର ଯେକୌଣସି ସ୍ଥାନକୁ ପଠାଯାଇପାରିବ । ଏହିଭଳି ଭାବେ ଏଲ୍ଏନ୍ଜି ଯେକୌଣସି ରାଷ୍ଟ୍ରରେ ପହଞ୍ଚିପାରିବ, ଯାହାଦ୍ୱାରା ଗ୍ୟାସ୍ ପାଇପ୍ଲାଇନ୍ର ଐତିହାସିକ ସୀମା ସମାପ୍ତ ହୋଇଯିବ । ଏହି ଦ୍ରବୀକରଣ ପ୍ଲାଣ୍ଟର ନିର୍ମାଣରେ ବଡ଼ ଆକାରରେ ପ୍ରାରମ୍ଭିକ ନିବେଶ ଲୋଡ଼ା । କିଛି ପ୍ଲାଣ୍ଟରେ ୨୦ରୁ ୩୦ ବିଲିୟନ ଡଲାର ଖର୍ଚ୍ଚ ହୋଇଥାଏ ।

ପରିଣାମସ୍ୱରୂପ, ଏନ୍ଏନ୍ଜି କମ୍ପାନିଗୁଡ଼ିକ ନୂଆ ସୁବିଧାଗୁଡ଼ିକୁ ସେତେବେଳେ ମଞ୍ଜୁରି ଦେଇଥାନ୍ତି, ଯେତେବେଳେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଗ୍ରାହକ ଥିବେ । ଏହାଦ୍ୱାରା ସେମାନେ ନିଜ ବ୍ୟାଙ୍କଗୁଡ଼ିକୁ ପରିଯୋଜନାର ସୁରକ୍ଷା ପ୍ରତି ଆଶସ୍ତ କରିପାରିବେ । ଏ ବ୍ୟବସ୍ଥା ବଜାରକୁ ଅପେକ୍ଷାକୃତ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ, ଯେଉଁଥିରେ ଯୋଗାଣ ବୃଦ୍ଧି ଚାହିଦା ବୃଦ୍ଧି ଅନୁରୂପ ହୋଇଥାଏ । ଅନ୍ତରାଷ୍ଟ୍ରୀୟ ଶକ୍ତି ଏଜେନ୍ସିର ନୂଆ ଅନୁମାନ ଅନୁସାରେ, ଗତବର୍ଷ ଏଲ୍ଏନ୍ଜି ଉଦ୍ୟୋଗ ୧୦୦ ବିଲିୟନ ଘନ ମିଟରର ନୂଆ କ୍ଷମତା ନିର୍ମାଣକୁ ମଞ୍ଜୁରି ଦେଇଛି, ଯାହା ଏଯାବତ ସର୍ବାଧିକ । ଆଇଇଏ ଅନୁସାରେ, ବିଶ୍ୱ ସ୍ତରରେ ୭୦୦ ବିଲିୟନ ଘନମିଟରରୁ ଅଧିକ ପରିଯୋଜନା ଏବେ ବି ଅନ୍ତିମ ନିବେଶ ନିର୍ଣ୍ଣୟର ପ୍ରତୀକ୍ଷା କରିଛି, ଯେଉଁଥିରୁ ୧୧୦ ବିଲିୟନ ଘନମିଟରର ପରିଯୋଜନା ଆମେରିକାରେ ଅଛି, ଯାହାକୁ ନିୟାମକ ମଞ୍ଜୁରି ମିଳିସାରିଛି ।

ଗତବର୍ଷ ବିଶ୍ୱ ଏଲ୍ଏନ୍ଜି ଉତ୍ପାଦନ ପ୍ରାୟ ୬୦୦ ବିଲିୟନ ଘନମିଟର ଥିଲା । ଯଦି ସମସ୍ତ ସମ୍ଭାବ୍ୟ ପରିଯୋଜନା କାର୍ଯ୍ୟକାରୀ ହୁଏ ତେବେ ବିଶ୍ୱ ଏଲ୍ଏନ୍ଜି ଯୋଗାଣ ଦୁଇ ଗୁଣାରୁ ଅଧିକ ହୋଇଯିବ । ଯୋଗାଣ ବୃଦ୍ଧି ଦ୍ୱାରା ଦର ଖସିଯିବ । ୟୁରୋପ ଏବଂ ଏସିଆରେ ଏଲ୍ଏନ୍ଜି ଦରର ଭବିଷ୍ୟତ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ରହିବ, ଯେଉଁଠି ଏହି ପଦାର୍ଥର ଉପଯୋଗ ବିଜୁଳି ଏବଂ ତାତି ସୃଷ୍ଟି କରିବାରେ ବ୍ୟବହାର ହୋଇଥାଏ କିମ୍ବା ରସାୟନ ଏବଂ ସାର ଉତ୍ପାଦନ ପାଇଁ କଞ୍ଚାମାଲ ରୂପେ କରାଯାଇଥାଏ । ପ୍ରକାଶଯୋଗ୍ୟ, ଇରାନରେ ଯୁଦ୍ଧ ମଧ୍ୟରେ ବେଞ୍ଚମାର୍କ ଏଲ୍ଏନ୍ଜି ଦରରେ ଦ୍ରୁତ ବୃଦ୍ଧି ଘଟିଛି । ଯଦିଓ ଦର ରୁଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ପରେ ଦେଖାଦେଇଥିବା ସର୍ବକାଳୀନ ଉଚ୍ଚ ସ୍ତରରୁ ଅନେକ ମାତ୍ରାରେ କମ୍ ରହିଛି ।

ଆହୁରି ପଢନ୍ତୁ-Mamata Banerjee: ମମତାଙ୍କ ଗଡ଼ରେ ବିଦ୍ରୋହର ନିଆଁ, ୬୦ ବିଧାୟକଙ୍କୁ ନେଇ ପୃଥକ ଗୋଷ୍ଠୀ ଗଠନ ପ୍ରସ୍ତୁତି

ମାର୍ଚ୍ଚରେ ଜେକେଏମ୍ ନାମରେ ଜଣା ଏସୀୟ ବେଞ୍ଚମାର୍କ କିଛି ସମୟ ପାଇଁ ବଢ଼ି ପ୍ରାୟ ୩୦ ଡଲାର ପ୍ରତି ମିଲିୟନ ବ୍ରିଟିଶ ଥର୍ମାଲ ୟୁନିଟ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା, ଯାହା ଫେବ୍ରୁଆରୀରେ ୧୧ ଡଲାରରୁ କମ୍ ଥିଲା । ତୁଳନାତ୍ମକ ଭାବେ ୨୦୨୨ରେ ଏଥିରେ ୮ ଗୁଣା ବୃଦ୍ଧି ଦେଖାଦେଇଥିଲା ଏବଂ ଏହା ପ୍ରାୟ ୭୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଇରାନରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପରେ ହୋର୍ମୁଜ ଜଳମାର୍ଗ ବନ୍ଦ ହେବା ପରେ ବିଶ୍ୱର ୨୦% ଏଲ୍ଏନ୍ଜି ଯୋଗାଣ ବାଧିତ ହୋଇଛି, ଯାହାଦ୍ୱାରା କିଛି ଆମଦାନିକାରୀ ବିଶେଷ ରୂପେ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଏଲ୍ଏନ୍ଜି ଅଭାବ ସ୍ଥିତି ଉପୁଜିଥିଲା । ସବୁଠୁ ଅଧିକ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ରହିଥିଲେ ଭାରତ, ବାଂଲାଦେଶ ଏବଂ ପାକିସ୍ତାନ । ବଜାର ବିଶେଷଜ୍ଞଙ୍କ ଅନୁସାରେ, ଆଗକୁ ଏଲ୍ଏନ୍ଜି ବଜାରର ରୂପରେଖ ବଦଳିଯିବ । ଅଭାବ ନୁହେଁ ବରଂ ବଳକା ସ୍ଥିତି ଉପୁଜିବ ।