ନୂଆଦିଲ୍ଲୀ, ୩।୬: ଭାରତର ଅଗ୍ରଣୀ ଆଇଟି ସେକ୍ଟର କମ୍ପାନୀ 'ୱିପ୍ରୋ' ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ କମ୍ପାନୀର ଶୀର୍ଷ ଅଧିକାରୀମାନଙ୍କ ଦରମାକୁ ନେଇ ଏକ ବଡ଼ ଖୁଲାସା ହୋଇଛି । କମ୍ପାନୀ ନିଜର ଟପ୍ ମ୍ୟାନେଜମେଣ୍ଟକୁ ମୋଟା ଅଙ୍କର ଦରମା ଓ ଭତ୍ତା ପ୍ରଦାନ କରି ଚର୍ଚ୍ଚାକୁ ଆସିଛି । ବିଶେଷ କରି ୱିପ୍ରୋର ସିଇଓ ଶ୍ରୀନିବାସ ପଲ୍ଲିଆଙ୍କୁ ମିଳିଥିବା ପ୍ୟାକେଜ୍ ଏବେ ସାରା କର୍ପୋରେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଛି ।
ସିଇଓ ଶ୍ରୀନିବାସ ପଲ୍ଲିଆଙ୍କୁ ମିଳିଲା ୪୯.୬୪ କୋଟିର ଦରମା:
ୱିପ୍ରୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଶ୍ରୀନିବାସ ପଲ୍ଲିଆଙ୍କୁ ଆର୍ଥିକ ବର୍ଷ ୨୦୨୫-୨୬ରେ ମୋଟ୍ ୫୨.୯ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୯.୬୪ କୋଟି ଟଙ୍କାର ପାରିଶ୍ରମିକ ମିଳିଛି । ସୂଚନାଯୋଗ୍ୟ ଯେ, ସେ ଏପ୍ରିଲ ୨୦୨୪ରେ ୱିପ୍ରୋର ସିଇଓ ଏବଂ ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
ପଲ୍ଲିଆଙ୍କ ସାଲାରୀର ସମ୍ପୂର୍ଣ୍ଣ ହିସାବ:
ଶ୍ରୀନିବାସ ପଲ୍ଲିଆଙ୍କୁ ମିଳିଥିବା ମୋଟ ୫୨,୯୦,୫୬୮ ଡଲାରର ପ୍ୟାକେଜ୍ରେ ନିମ୍ନଲିଖିତ ସୁବିଧା ଅନ୍ତର୍ଭୁକ୍ତ ରହିଛି:
ଦରମା ଏବଂ ଭତ୍ତା: ୧୬.୫ ଲକ୍ଷ ଡଲାର
କମିଶନ ଏବଂ ଭାରିଏବଲ୍ ପେ: ୧୦.୫ ଲକ୍ଷ ଡଲାର
ଅନ୍ୟାନ୍ୟ ଲାଭ/ସୁବିଧା: ୨୪.୭ ଲକ୍ଷ ଡଲାର
ଚେୟାରମ୍ୟାନ୍ ଏବଂ ସିଏଫଓଙ୍କୁ ବି ମିଳିଲା ମୋଟା ଅଙ୍କର ଦେୟ:
ୱିପ୍ରୋର କାର୍ଯ୍ୟକାରୀ ଚେୟାରମ୍ୟାନ୍ ରିଶଦ୍ ଏ. ପ୍ରେମଜୀଙ୍କୁ ଏହି ସମାନ ଅବଧି ମଧ୍ୟରେ ମୋଟ ୭,୭୩,୨୧୩ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୭.୨୫ କୋଟି ଟଙ୍କା ପାରିଶ୍ରମିକ ମିଳିଛି । ତେବେ ଏହି ଆର୍ଥିକ ବର୍ଷରେ ତାଙ୍କୁ କୌଣସି ଶେୟାର ଅପ୍ସନ ଦିଆଯାଇନାହିଁ । ରିପୋର୍ଟ ଅନୁସାରେ, କମ୍ପାନୀର ଶୁଦ୍ଧ ଲାଭ ବୃଦ୍ଧି ଆଧାରରେ ପ୍ରେମଜୀ ଏବଂ ପଲ୍ଲିଆଙ୍କୁ ୦.୩୫ ପ୍ରତିଶତ ହାରରେ କମିଶନ ମିଳିବାର ଅଧିକାର ରହିଛି । ସେହିପରି କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ ଅପର୍ଣ୍ଣା ସି. ଆୟରଙ୍କୁ ଆର୍ଥିକ ବର୍ଷ ୨୦୨୫-୨" ରେ ୭,୧୭,୭୪୯ ଡଲାର ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୬.୭୩ କୋଟି ଟଙ୍କା ପାରିଶ୍ରମିକ ମିଳିଛି ।
କେମିତି ଅଛି ୱିପ୍ରୋ ଶେୟାରର ସ୍ଥିତି ?
ଜୁନ୍ ୩ ତାରିଖ ସୁଦ୍ଧା ଷ୍ଟକ୍ ମାର୍କେଟରେ ୱିପ୍ରୋ ଶେୟାରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । କମ୍ପାନୀର ଶେୟାର ପ୍ରାୟ ୨.୮୨ ପ୍ରତିଶତ ହ୍ରାସ ପାଇ ୨୦୩.୭୫ ଟଙ୍କାରେ କାରବାର କରୁଥିବା ଦେଖାଯାଇଛି । କହିରଖୁଛୁ ଯେ, ଗତ ୫୨ ସପ୍ତାହ ମଧ୍ୟରେ ୱିପ୍ରୋ ଶେୟାରର ସର୍ବୋଚ୍ଚ ସ୍ତର ୨୭୩.୧୦ ଟଙ୍କା ରହିଥିବା ବେଳେ ସର୍ବନିମ୍ନ ସ୍ତର ୧୮୬.୫୦ ଟଙ୍କା ରହିଛି ।
ଆହୁରି ପଢ଼ନ୍ତୁ... 26/11 Attack: ମୁମ୍ବାଇ ଆକ୍ରମଣ ବେଳେ ବଲିଉଡ୍ ଷ୍ଟାର୍ଙ୍କ ସହ ପାର୍ଟି କରୁଥିଲେ କଙ୍ଗନା, ମହେଶ ଭଟ୍ଟ ଦେଇଥିଲେ ସେହି ଭୟାନକ ଖବର !