ଭୁବନେଶ୍ୱର,୨୨/୧୦ : ସରକାର ଘୋଷଣା କଲେ । ବିଜ୍ଞପ୍ତି ଜାରି ହେଲା । ହେଲେ ଘୋଷଣାରେ ରହିଗଲା ନୂଆ ସମବାୟ ସମିତି । ୧୮୭ଟି ସମିତି ଏଯାଏଁ କାର୍ଯ୍ୟକ୍ଷମ ହୋଇନି । ଚାଷୀ ଓ ଋଣୀମାନେ ପୂର୍ବ ଭଳି ପୁରୁଣା ସମିତିକୁ କାମ ପାଇଁ ଧାଉଁଛନ୍ତି । ସରକାର ଯେଉଁ ଲକ୍ଷ୍ୟ ରଖି ନୂଆ ସମିତି ଗଢ଼ିଲେ ତାହା ମୂଳ ଲକ୍ଷ୍ୟଠାରୁ ଯଥେଷ୍ଟ ଦୂରରେ । ରାଜ୍ୟ ସରକାର ୨୦୨୩ ଓ ୨୦୨୪ରେ ୧୫୪୨ ନୂଆ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଏବଂ ବହୁମୁଖୀ ସମବାୟ ସମିତି (ଲାମ୍ପସ୍) ଗଠନ କରିଛନ୍ତି । ଏଥିରୁ ୧୩୫୪ ସମିତି କାର୍ଯ୍ୟକ୍ଷମ ହୋଇଛି । ୧୮୭ ସମିତି ଏଯାଏଁ ଚାଲୁ ହୋଇନି । ବିଭାଗ ଦର୍ଶାଉଛି, ସମିତିଗୁଡ଼ିକ ଜିଲ୍ଲା ବ୍ୟାଙ୍କ ସହ ସହବନ୍ଧନରେ ବିଳମ୍ବ ହେବା ସହ ନୂଆ ସମିତିର ଫାଇଲ ଓ କାଗଜପତ୍ର ହସ୍ତାନ୍ତରରେ ବିଳମ୍ବ, ପଞ୍ଜୀକରଣ ସଂପର୍କିତ ପ୍ରତିବନ୍ଧକ ଯୋଗୁଁ ପ୍ରକ୍ରିୟା ବିଳମ୍ବ ଧରିଛି । ତେବେ ଏହାକୁ ତ୍ୱରାନ୍ୱିତ କରି ଲୋକଙ୍କୁ ସେବା ଯୋଗାଇବାକୁ ବିଭାଗ ଉଦ୍ୟମ ଚଳାଇଛି ।
ସମବାୟ ସଂସ୍ଥା ହେବ ଗ୍ରାମ୍ୟ ଅର୍ଥନୀତିର ପ୍ରମୁଖ ଇଞ୍ଜିନ । ଏହାକୁ ଆଖିରେ ରଖି ରାଜ୍ୟରେ ୧୫୪୨ ନୂଆ ସମବାୟ ସମିତିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୁବିଧାରେ ଋଣ ବଣ୍ଟନ, ଧାନ ସଂଗ୍ରହ, ସାର ସହ ଅନ୍ୟାନ୍ୟ ସେବା ପାଇଁ ସରକାର ଅଧିକ ସମିତି ଖୋଲିବା ଉପରେ ଜୋର ଦେଉଛନ୍ତି । ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ ଓ ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନର ଯୋଜନା ରହିଛି । ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ମଡେଲ ପ୍ୟାକ୍ସଗୁଡ଼ିକରେ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିପାରିବ । କେନ୍ଦ୍ର ସରକାର ନୂଆ ସମବାୟ ନୀତି ଆଣିବା ପରେ ରାଜ୍ୟ ସରକାର ମଧ୍ୟ ସମବାୟ ନୀତି ଆଣିବାକୁ ଚିଠା ନୀତି ପ୍ରସ୍ତୁତ କରି ତର୍ଜମା କରୁଛନ୍ତି । ସମବାୟ କ୍ଷେତ୍ରକୁ କ୍ରିୟାଶୀଳ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ଆଉ ୧୫୪୨ ସମିତି ଖୋଲିବା ପରେ ୪୨୫୩ରେ ସମିତି ସଂଖ୍ୟା ପହଞ୍ଚିଲା । ହେଲେ ଏଯାଏଁ ୧୮୭ ସମିତି କାର୍ଯ୍ୟକ୍ଷମ ହୋଇନି ।
କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୪୯ଟି କାର୍ଯ୍ୟକ୍ଷମ ହୋଇନି । ବାଲେଶ୍ୱରରେ ୨୯, ଭଦ୍ରକରେ ୨୫, କଟକ ୩୪, ନୟାଗଡ଼ରେ ୨୦, ଖୋର୍ଦ୍ଧା, ଜଗତସିଂହପୁରରେ ୬ଟି ଲେଖାଏଁ କାର୍ଯ୍ୟକ୍ଷମ ହୋଇନି । ସମବାୟ ସହ ଲୋକଙ୍କୁ ଯୋଡ଼ିବା ଏବଂ ଆୟ ବୃଦ୍ଧି ପାଇଁ ଇ-କମର୍ସ, ଡିଜିଟାଲ ମାର୍କେଟିଂ, ମଡେଲ ମଣ୍ଡି ପ୍ରତିଷ୍ଠା ସହ ଭିତ୍ତିଭୂମି ବଢ଼ିବ । ମହିଳା, ଯୁବ ଓ ଦୁର୍ବଳ ବର୍ଗଙ୍କ କଲ୍ୟାଣ ପାଇଁ ସମବାୟ ନୂଆ କାର୍ଯ୍ୟକ୍ରମ ହାତକୁ ନେବ । ଷ୍ଟାର୍ଟଅପକୁ ପାଣ୍ଠି ସହଯୋଗ ମଧ୍ୟ ଯୋଗାଇବ ସମବାୟ । ବହୁ ଲୋଭନୀୟ ପ୍ରସ୍ତାବ ଥିଲେ ମଧ୍ୟ ଲୋକଙ୍କୁ ଦୁଆର ମୁହଁରେ ସମବାୟ ସେବା ପହଞ୍ଚାଇବାକୁ ସରକାରୀ ଲକ୍ଷ୍ୟରେ ନୂଆ ସମିତି ଗଠନରେ ବିଳମ୍ବ ବାଧକ ସାଜିଛି । ଘୋଷଣା ହୋଇଥିବା ଏ ସମିତିଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି ।