ନୂଆଦିଲ୍ଲୀ,୧୫/୦୨; ଦିନେ (ଚଳିତ ଫେବ୍ରୁଆରୀ) ଅପରାହ୍ନରେ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କର ଏକ ଖଣ୍ଡପୀଠ ନିଜ ସିଟ୍‌ରୁ ଉଠୁଥିଲେ । ଏତିକିବେଳେ ଜଣେ ଯୁବକଙ୍କ କଣ୍ଠ ସ୍ୱର ଆଉ ୧୦ ମିନିଟ୍ ସମୟ ମାଗିଲା । ସେ ସ୍ୱର କୌଣସି ବରିଷ୍ଠ ଓକିଲ କିମ୍ବା ସାମ୍ବିଧାନିକ ବିଶେଷଜ୍ଞଙ୍କର ନ ଥିଲା । ଜବଲପୁର ବାସିନ୍ଦା ଦ୍ୱାଦଶ ପାସ୍ ୧୯ ବର୍ଷୀୟ ଅଥର୍ବ ଚତୁର୍ବେଦୀଙ୍କର ଥିଲା । ଡାକ୍ତର ହେବାକୁ ତାଙ୍କର ଲକ୍ଷ୍ୟ । ସେହି ୧୦ ମିନିଟ୍ ପରେ ବିରାରପତି ଅଥର୍ବଙ୍କ ସପକ୍ଷରେ ରାୟ ଦେଲେ । ସମ୍ବିଧାନର ଧାରା-୧୪୨ ଅନୁଯାୟୀ ନିଜର ଅଦ୍ୱିତୀୟ କ୍ଷମତାର ଉପଯୋଗ କରି ସୁପ୍ରିମ୍‌କୋର୍ଟ ନିଟ୍-ଯୋଗ୍ୟତାପ୍ରାପ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରାର୍ଥୀଙ୍କୁ ଅନ୍ତରୀଣ ଏମ୍ବିବିଏସ୍ ନାମଲେଖା ପାଇଁ ଅନୁମତି ଦେବାକୁ ନ୍ୟାସନାଲ ମେଡିକାଲ କମିଶନ ଓ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ।

ଅଥର୍ବଙ୍କ ପାଇଁ ଏହା କେବଳ ଏକ ନ୍ୟାୟିକ ବିଜୟ ନ ଥିଲା, ବରଂ ଅଣନିଃଶ୍ୱାସୀ ହୋଇ ମରିଯାଉଥିବା ଏକ ସ୍ୱପ୍ନ ପାଇଁ ଅମ୍ଳଜାନ ଥିଲା । ମକଦ୍ଦମା ଜିତିଥିବା ଅଥର୍ବଙ୍କ ପରିଚୟ କିନ୍ତୁ ଭିନ୍ନ । ସେ ଉଭୟ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାୟୋଲୋଜି ଭଳି ଜଟିଳ ବିଷୟକୁ ଚୟନ କରିଛନ୍ତି । ଥରେ ନୁହେଁ, ଦୁଇ ଥର ସେ ନିଟ୍ ପାସ୍ କରିଥିଲେ ଏବଂ ୫୩୦ ମାର୍କ ରଖିଥିଲେ । ତଥାପି ଘରୋଇ କଲେଜରେ ଇଡବ୍ଲ୍ୟୁଏସ୍ କୋଟାରେ ଏମ୍ବିବିଏସ୍ ସିଟ୍ ପାଇପାରିଲେ ନାହିଁ । କାରଣ ଆରକ୍ଷଣ ବୃଦ୍ଧି ଲାଗି ରାଜ୍ୟ ନୀତି ନିର୍ଦ୍ଧାରଣ କରିନଥିଲା ।

ଜବଲପୁର ହାଇକୋର୍ଟ ଯେତେବେଳେ ଶୁଣିଲେ ଅଥର୍ବ ନିଜ ମାମଲା ନିଜେ ଲଢୁଛନ୍ତି, ବିଚାରପତି ତାଙ୍କୁ ପ୍ରଶଂସା କରିବା ସହିତ ମଜାରେ କହିଲେ ‘ତୁମେ ଓକିଲ ହେବା ଉଚିତ୍, ଡାକ୍ତର ନୁହେଁ । ତୁମେ ଭୁଲ କ୍ଷେତ୍ରରେ ଅଛ ।’ କିନ୍ତୁ ଅଥର୍ବ ଜାଣିଥିଲେ କେଉଁ କ୍ଷେତ୍ରରେ ସେ ରହିବା ଉଚିତ୍ । ତାଙ୍କ ବାପା ମନୋଜ ଚତୁର୍ବେଦୀ ଜଣେ ଓକିଲ । କିନ୍ତୁ ସେ କେବେ ସୁପ୍ରିମ୍କୋର୍ଟରେ ଓକିଲାତି ଅଭ୍ୟାସ କରିନଥିଲେ । କୋଭିଡ୍ ଲକ୍ଡାଉନ୍ ସମୟରେ କୋର୍ଟ ଭର୍ଚୁଆଲ ପରିଚାଳିତ ହେଉଥିବା ବେଳେ ଟେକ୍ନୋଲୋଜି ତାଙ୍କ ପରିବାରର ଶିକ୍ଷକ ପାଲଟିଥିଲା । ଅଥର୍ବଙ୍କ ବାପା କହିଛନ୍ତି, ମୋ ପୁଅ କେବେ ବି ଆଇନ ଅଧ୍ୟୟନ କରିନାହିଁ । କିନ୍ତୁ କେତେବେଳେ କହିବାକୁ ହେବ, କେତେବେଳେ ନିରବ ରହିବାକୁ ହେବ, ସେ ସବୁ ଦେଖିଥିଲା । ବାସ୍ତବରେ ସେ ହିଁ ମୋତେ ପିଟିସନ୍ ସ୍କାନ୍ ଓ ଅପ୍ଲୋଡ୍ ଶିଖାଇଛି ।

ଏହା ବି ପଢନ୍ତୁ...ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍ ୨.୦ କୁ କ୍ୟାବିନେଟ ଅନୁମୋଦନ, ୧୦ ହଜାର କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ

କୋଭିଡ୍ ସମୟରେ ବିଶ୍ୱ ରୋଷେଇ ଶିଖିବାରେ, ଜୁମ୍ ମିଟିଂରେ ବ୍ୟସ୍ତ ଥିବାବେଳେ ଅଥର୍ବ ଅନ୍‌ଲାଇନ୍‌ରେ ପଚରାଉଚରା ଓ କୋର୍ଟରୁମ୍ ଶୃଙ୍ଖଳା ଶିଖୁଥିଲେ । ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍‌ରୁୁ ସେ ସ୍ପେଶାଲ ଲିଭ୍ ପିଟିସନ୍ ଫର୍ମାଟ ଡାଉନ୍‌ଲୋଡ୍ କଲେ । ବିଚାରପତିଙ୍କ ପୂର୍ବ ବିଚାରଗୁଡ଼ିକୁ ଅଧ୍ୟୟନ କଲେ । ନିଜ ଏସ୍ଏଲପି ଡ୍ରାଫ୍ଟ କରି ରେଜିଷ୍ଟ୍ରି ଆପତ୍ତିକୁ ସଂଶୋଧନ କରିବା ପରେ ଗତ ଜାନୁଆରୀ ୬ ତାରିଖରେ ତାକୁ ଅନ୍‌ଲାଇନ୍ ଦାଖଲ କଲେ । ସୁପ୍ରିମ୍‌କୋର୍ଟରେ ଏସ୍ଏଲପି ଦାଖଲ କରିବା ପୂର୍ବରୁ ନାମୀ ଓକିଲମାନେ ବି ବେଳେବେଳେ ସଂକୋଚ କରନ୍ତି । ଅଥର୍ବ ଦିଲ୍ଲୀ ଯାତ୍ରା ଖର୍ଚ୍ଚ ବଞ୍ଚାଇ ଜବଲପୁରରେ ଥାଇ ତାହା କଲେ ।

ସୁପ୍ରିମ୍‌କୋର୍ଟ ଖଣ୍ଡପୀଠ ରାୟରେ ଉଲ୍ଲେଖ କଲେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପୃଷ୍ଠଭୂମିର ଏହି ଯୁବ ଆବେଦନକାରୀ ଦୁଇ ଥର ନିଟ୍ ଯୋଗ୍ୟତା ହାସଲ କରିଥିଲେ । କିନ୍ତୁ ନୀତି ନିର୍ଦ୍ଧାରଣରେ ରାଜ୍ୟର ତ୍ରୁଟି ଯୋଗୁ ସେ କଲେଜରେ ନାମ ଲେଖାଇପାରିଲେ ନାହିଁ । ଘରୋଇ କଲେଜମାନଙ୍କରେ ଇଡବ୍ଲ୍ୟୁଏସ୍ ଆରକ୍ଷଣକୁ ସୂଚିତ କରିବାରେ ରାଜ୍ୟ ବିଫଳ ହେବା ଯୋଗୁ ନାମଲେଖାକୁ ପ୍ରତ୍ୟାଖ୍ୟାନ କରାଯାଇ ପାରିବ ନାହିଁ । ସେହି ୧୦ ମିନିଟ୍‌ରେ କୋର୍ଟ ଫି’ ପେମେଣ୍ଟ୍ ଆଧାରରେ ୨୦୨୫-୨୬ ଅଧିବେଶନ ନିମନ୍ତେ ଅନ୍ତରୀଣ ନାମଲେଖା ପାଇଁ ଅନୁମତି ପ୍ରଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ । ଅଥର୍ବଙ୍କୁ ସୁପ୍ରିମକୋର୍ଟ ମଜାଳିଆରେ କହିଥିଲେ ତୁମେ ଡାକ୍ତର ନୁହେଁ ଓକିଲା ହେବା ଦରକାର