ସୋର ୨୭/୫ : ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମରେ ହାତ ଗୋଡ଼ ବାନ୍ଧି ଗୁଳି ଫୁଟାଇ ଲୁଟ ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁସାରେ ଦୟାନିଧିପୁର ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତିରେ ରବିନ୍ଦ୍ର ନାୟକଙ୍କ ଘରେ ୭ ରୁ ୮ ଜଣ ଦୁବୃର୍ତ୍ତ ପଶି ସ୍କ୍ରିନ ଚିରି ପରିବାର ଲୋକଙ୍କ ହାତ ଗୋଡ଼ ବାନ୍ଧି ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗହଣା ସମେତ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଉପରେ ଶୋଇଥିବା ରବୀନ୍ଦ୍ରଙ୍କ ପୁଅ ନିକଟରୁ ଖବର ପାଇ ପଡୋଶୀ ବଳରାମ ରାଉତ ଏବଂ ପ୍ରଶାନ୍ତ ରାଉତ ସେଠାରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ମାନେ ଗୁଳି ମାଡ଼ରେ ଦୁଇ ପଡୋଶୀଙ୍କୁ ଗୁରୁତର ଆହତ କରିଥିଲେ । ଏ ବାବଦରେ ରବୀନ୍ଦ୍ରଙ୍କ ପତ୍ନୀ ମଞ୍ଜୁଲତା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୪୦୩/୨୫ ରେ ଏକ ମାମଲା ରୁଜ୍ଜୁ କରିଥିଲା ।
ଉକ୍ତ ଘଟଣା ପରେ ବାଲେଶ୍ୱର ଏସପି ରାଜ ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲେ । ପରେ ତାଙ୍କ ନେତୃତ୍ୱରେ ଅତିରିକ୍ତ ଏସପି ଦେବଜ୍ୟୋତି ଦାସ, ସଦର ଏସଡିପିଓ ଶୁଭ୍ରାଂଶୁ ନାୟକ, ସୋର ଆଇଆଇସି ସୁଦୀପ୍ତ ସାହୁ ଏବଂ ସୋର ଥାନାର କିଛି ପୁଲିସ ଅଧିକାରୀଙ୍କୁ ନେଇ ଟିମ ଗଠନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ପରିବାର ଲୋକଙ୍କ ସହଯୋଗରେ ଅଭିଯୁକ୍ତର ସ୍କେଚ ତିଆରି କରାଯାଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଗୁଡ଼ି ଅଂଚଳରୁ ଘଟଣାର ୨୪ ଘଣ୍ଟା ମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆଲାବାଗ ଗ୍ରାମର ମନରଞ୍ଜନ ପାଣି (୩୪) କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଥିଲା।
ପୁଲିସ ତା ନିକଟରୁ ଦୁଇଟି ପିସ୍ତଲ, ୨୦ ଗୋଟି ଅଫୁଟା ଗୁଳି, ଗୋଟିଏ ସୁନା ନେକଲେସ, ୪ ଟି ସୁନା ଚେନ, ୪ ହଳ କାନଫୁଲ, ୯ ଟି ସୁନା ମୁଦି, ୪ ହଳ ସୁନା ଚୁଡ଼ି, ୫ ଶହ ଗ୍ରାମ ରୁପା, ୪ଟି ମୋବାଇଲ, ଗୋଟିଏ ବୁଲେଟ ବାଇକ, ନଗଦ ୨୭ ହଜାର ଟଙ୍କା, ହନୁମାନ ପଇସା ସମେତ କିଛି ପୁରୁଣା କଏନକୁ ଜବତ କରିଥିଲା । ଅଭିଯୁକ୍ତ ନାମରେ ଖଇରା, ସୋର, ସିମୁଳିଆ, ବାସୁଦେବପୁର,ଚାନ୍ଦବାଲି, ତାଳଚେର ସଦର ସମେତ ବିଭିନ୍ନ ଥାନାରେ ୧୯ ରୁ ଅଧିକ ମାମଲା ଥିବା ଜଣାପଡିଥିଲା। ତେବେ ଏହି ଘଟଣାରେ ପୁଲିସ ଅନ୍ୟ ଦୁଇ ଅଭିଯୁକ୍ତ କୁରୁଡ଼ା ଗ୍ରାମର ଅଜୟ କୁମାର ମହାନ୍ତି (୩୦) ଏବଂ ଚରମ୍ପା ଅଞ୍ଚଳର ବିଶ୍ୱନାଥ ଧଡ଼ା (୩୧) କୁ ପୁଲିସ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ପୁଲିସ ବିଶ୍ୱନାଥ ପାଖରୁ ୨ ଟି ସୁନାଚେନ, ୩ ଟି ସୁନା ମୁଦି, କାନଫୁଲ ୨ ହଳ, ରୁପାଚେନ ୨ ଟି ଏବଂ ରୁପା ପାଉଁଜି ୨ ହଳ ପୁଲିସ ଜବତ କରିଛି।