ଭୁବନେଶ୍ୱର,୦୪/୦୬: ରାଜ୍ୟରେ ଖୁବ୍‌ଶୀ ଘ୍ର ଗଡ଼ିବ ହାଇଡ୍ରୋଜେନ୍ ବସ୍ । ପ୍ରଥମ ପର୍ଯ୍ୟାୟରେ ୩ଟି ବସ୍ ଚଳାଇବାକୁ ଯୋଜନା କରାଯାଇଛି । ଭୁବନେଶ୍ୱର- କଟକ-ଖୋର୍ଦ୍ଧା-ପୁରୀ-କୋଣାର୍କ ରୁଟ୍‌ରେ ଏହି ବସ୍ ସେବା ଆରମ୍ଭ ହେବ । ଏହି ପ୍ରକ୍ରିୟାକୁ ତ୍ୱାରନ୍ୱିତ କରିବାକୁ ବୁଧବାର ନଗର ଉନ୍ନୟନ ବିଭାଗ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କ୍ରୁଟ୍, ଏନଟିପିସି ଏବଂ ଗ୍ରୀଡକୋର ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା । ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍' ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା କରାଯାଇଛି ।

ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ସହ ଆଦର୍ଶ ସ୍ଥିତିରେ ଏହି ବସ୍‌ ଗୁଡ଼ିକୁ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହା ସ୍ୱଚ୍ଛ ଓ ଦକ୍ଷ ସାଧାରଣ ପରିବହନର ବିକଳ୍ପ ଯୋଗାଇବା ସହ ଶୂନ୍ୟ ନିର୍ଗମନ ସୁନିଶ୍ଚିତ କରିବ । ଫଳରେ ବାର୍ଷିକ ପ୍ରାୟ ୯୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ଯାହା ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ହେବ ।

ଏହି ପ୍ରକଳ୍ପ ପାଇଁ ମୋଟ ୫୩.୫୫ କୋଟି ଟଙ୍କା ପୁଞ୍ଜି ବିନିଯୋଗ ଆକଳନ କରାଯାଇଛି, ଯେଉଁଥିରୁ ନୂତନ ଏବଂ ନବୀକରଣଯାଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି । ବାକି ଅର୍ଥ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି ।

ଅଧିକ ପଢ଼ନ୍ତୁ :-  ଯୁକ୍ତ ୩ ପାଇଁ ଫର୍ମପୂରଣ କଲେ ବୈଲୋଚନ, ବଡ଼ କଲେଜରେ ପଢି ହେବେ ବଡ଼ ମଣିଷ

କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର ସମୀକ୍ଷା କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ଦ୍ୱାରା ବ୍ୟବସାୟିକ ସଫଳତା ମିଳିବା ସହ ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ପରିବହନର ସଫଳ ପ୍ରଦର୍ଶନ ହୋଇପାରିବ ।