ଭୁବନେଶ୍ୱର,୦୪/୦୬: ରାଜ୍ୟରେ ପୁଣି ତାତି ବଢ଼ିଛି । ଉଭୟ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ବୁଧବାର ନାକେଦମ କରିଥିଲା ତାତି ପ୍ରକୋପ । ଅପରାହ୍ନରେ ଭୁବନେଶ୍ୱର ସମେତ ବିଭିନ୍ନ ଉପକୂଳ ଅଞ୍ଚଳରେ ପାଗ ବଦଳିଯାଇଥିଲା । ଘଡ଼ଘଡ଼ି ସହ ହାଲୁକା ଝିପିଝିପି ବର୍ଷା ଦୀର୍ଘ ସମୟ ଧରି ହୋଇଥିଲା ।
ବୁଧବାର ସକାଳୁ ଖରା ପ୍ରକୋପ ଆରମ୍ଭ ହୋଇଯାଇଥିଲା । ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା । ଟିଟିଲାଗଡ଼ ୪୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ସିଝିଥିଲା । ବୌଦ୍ଧ ଓ ସମ୍ବଲପୁରରେ ପାରଦ ୪୧.୨ ଡିଗ୍ରୀ ଥିବାବେଳେ ହୀରାକୁଦ, ତାଳଚେର, ଭବାନୀପାଟଣା, ବଲାଙ୍ଗିର, ସୋନପୁର, ଢେଙ୍କାନାଳ, ବରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା । ଅପରାହ୍ନରେ ଉପକୂଳ ଆକାଶକୁ ଘୋଟିଥିଲା ବାଦଲ । ଆରବ ସାଗର ପଟୁ ଦକ୍ଷିଣ ଆର୍ଦ୍ରତା ଓଡ଼ିଶା ଉପକୂଳ ଦେଇ ଉତ୍ତର ପୂର୍ବ ଭାରତକୁ ଯାଇଥିଲା । ଯେଉଁଥିପାଇଁ ଆକାଶ ମେଘାଚ୍ଛନ୍ନ ହୋଇଥିଲା । ଏହା ପ୍ରଭାବରେ ବଡ଼ ବର୍ଷା ନ ହେଲେ ବି ଝିପିଝିପି ବର୍ଷା ହୋଇଥିଲା । ଭୁବନେଶ୍ୱର, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ଅନୁଗୁଳରେ ହାଲୁକା ବର୍ଷା ହୋଇଥିଲା ।
ଅଧିକ ପଢ଼ନ୍ତୁ :- 'El Nino: ବିପର୍ଯ୍ୟୟ ଆଣିବ ‘ଏଲ୍ ନିନୋ’; ଜୁନରୁ ଅଗଷ୍ଟ ମଧ୍ୟରେ ହେବ ସୃଷ୍ଟି,ଭାରତକୁ ସୁରକ୍ଷା ଦେଇପାରିବ ଦୁଇଟି ପ୍ରଣାଳୀ
କେରଳରେ ଏବେ ବର୍ଷା ଜାରି ରହିଛି । ସମ୍ଭବତଃ ଗୁରୁବାର ମୌସୁମୀ ପ୍ରବେଶ ନେଇ ଘୋଷଣା କରିପାରେ ପାଣିପାଗ ବିଭାଗ । ପୂର୍ବାନୁମାନ ହୋଇଛି, ମୌସୁମୀ ୨୪ ଘଣ୍ଟା ଭିତରେ କେରଳ ଓ ତାମିଲନାଡ଼ୁର କିଛି ଅଂଶ ଛୁଇଁପାରେ ।