ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଥିବା ବିଭିନ୍ନ ଜୁନିୟର୍ କଲେଜ ତଥା ହାୟାର୍ ସେକେଣ୍ଡାରୀ ସ୍କୁଲଗୁଡିକରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଆସନ୍ତାକାଲି (୬ ତାରିଖ) ଦିନ ୧୧ଟାରୁ ଆବେଦନ ଆରମ୍ଭ ହେବ । ଛାତ୍ରଛାତ୍ରୀ www.samsodisha.gov.inରେ ଅନଲାଇନ୍ ଆବେଦନ କରିପାରିବେ । ୨୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନ କରିହେବ । ପ୍ରଥମ ମେଧା ତାଲିକା (ମେରିଟ୍ ଲିଷ୍ଟ୍) ଜୁନ୍ ୨୬ରେ ବାହାରିବ । ଯାହାର ନାମଲେଖା ଜୁନ୍ ୨୮ରୁ ଜୁଲାଇ ୫ ତାରିଖ ମଧ୍ୟରେ ହେବ ।
ସେହିପରି ଦ୍ୱିତୀୟ ମେଧା ତାଲିକା ଜୁଲାଇ ୮ରେ ବାହାରିବା ସହିତ ଜୁଲାଇ ୯ରୁ ୧୧ ତାରିଖ ମଧ୍ୟରେ ନାମଲେଖା ହେବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ବଳକା ସିଟଗୁଡ଼ିକରେ ସ୍ପଟ୍ ଆଡମିଶନ୍ ପାଇଁ ମେଧା ତାଲିକା ଜୁଲାଇ ୧୬ରେ ବାହାରିବ । ଯାହାର ନାମଲେଖା ଜୁଲାଇ ୨୦ରୁ ୨୨ ମଧ୍ୟରେ ସରିବ । ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ ହେବ । ନାମଲେଖା ସମ୍ପର୍କିତ ଅସୁବିଧା ପାଇଁ ଛାତ୍ରଛାତ୍ରୀମାନେ ନିକଟରେ ଥିବା ସାମ୍ସ ରିସୋର୍ସ ସେଣ୍ଟର୍ଗୁଡ଼ିକରେ ଯୋଗାଯୋଗ କରିପାରିବେ । ନଚେତ୍ ସଂଯୋଗ ହେଲ୍ପଲାଇନ୍ ଟୋଲ୍ ଫ୍ରି ନମ୍ବର (୧୫୫୩୩୫ କିମ୍ବା ୧୮୦୦-୩୪୫-୬୭୭୦)ରେ କଲ୍ କରିପାରିବେ । ଚଳିତ ବର୍ଷ ରାଜ୍ୟର ୨୦୪୧ ଜୁନିୟର୍ କଲେଜର ୪ ଲକ୍ଷ ୫୧ ହଜାର ୧୬୭ଟି ସିଟ୍ରେ ନାମଲେଖା ହେବ । କଳାରେ ସର୍ବାଧିକ ୨ ଲକ୍ଷ ୩୬ ହଜାର ୮୯୪ ଟି ସିଟ୍ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ହଜାର ୮୨୨ ଓ ବାଣିଜ୍ୟରେ ୪୫ ହଜାର୪୧୧ଟି ସିଟ୍ ରହିଛି ।