ବଡବିଲ, ୨୮।୨ : ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର - ଚମ୍ପୁଆ ରାସ୍ତାର ଜଡ଼ିପଦା ନିକଟରେ ଏଲପିଜି ବୋଝେଇ ପିକଅପ୍ ଭ୍ୟାନ୍ ସହ ବାଇକ୍ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଉଛନ୍ତି ସାତହଳିଆ ଗ୍ରାମର ଯାଦବ ମୁଣ୍ଡା ଏବଂ ଶୁକରା ମୁଣ୍ଡା ।

ଏହି ଦୁଇ ଜଣ ଏକ ବାଇକ୍ ଯୋଗେ ଚମ୍ପୁଆ ଆସୁଥିବା ସମୟରେ ଚମ୍ପୁଆ ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ଏହି ପିକଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ଯାଦବ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକରା ମୁଣ୍ଡାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକ୍ଅପକୁ ଜବତକରି ତଦନ୍ତ ଆରମ୍ଭ କରିଛି ।